ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚିଠା ସଂରକ୍ଷଣ ତାଲିକା; ବିରୋଧୀ ଅସନ୍ତୋଷ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚିଠା ସଂରକ୍ଷଣ ତାଲିକା; ବିରୋଧୀ ଅସନ୍ତୋଷ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ତାଲିକା। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚିଠା ସଂରକ୍ଷଣ ତାଲିକା; ବିରୋଧୀ ଅସନ୍ତୋଷ
ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 10, 2021, 4:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ତାଲିକା। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି।

ଓ୍ବାର୍ଡ଼ ମେମ୍ବର, ସରପଞ୍ଚ,ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଥିବା ବେଳେ ଆଶାୟୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିରୋଧୀ ବିଜେପି କହିଛି ତରବରିଆ ଭାବେ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ କଂଗ୍ରେସ କହିଛି ବିଜେଡ଼ି ନେତାଙ୍କ ମର୍ଜିରେ ତାଲିକା ପ୍ରସ୍ତୁତ ହୋଇଛି। ବିଜେଡ଼ି କହିଛି ବ୍ୟତିକ୍ରମ ଥିଲେ ଜିଲ୍ଲାପାଳ ସ୍ତରରେ ସଂଶୋଧନ ହେବ।

ତାଲିକା ପ୍ରକାଶ ପରେ କିଛି ଅସନ୍ତୋଷ ଆଶାୟୀ ନିଜ ନିଜ ବିଧାୟକଙ୍କ ଘରେ ମେଳି କରୁଥିବା ଜଣାପଡ଼ିଛି। ବିରୋଧୀ କଂଗ୍ରେସ ଓ ବିଜେପି ତାଲିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୄଥୀରାଜ ହରିଚନ୍ଦନ କହିଛନ୍ତି," ପଞ୍ଚାୟତ ସଂରକ୍ଷଣ ଆଧାର ବିହୀନ ହୋଇଛି। ତରବରିଆ ଭାବେ କରିଥିବାରୁ ଅନେକ ଜାଗାରେ ତ୍ରୁଟି ହୋଇଛି। ପ୍ରାୟ ସବୁ ଜିଲ୍ଲାରୁ ଅଭିଯୋଗ ଆସିବ। ସଂରକ୍ଷଣ ତାଲିକା ଏକ ତ୍ରୁଟିପୂର୍ଣ୍ଣ । ଅନେକ ଜାଗାରୁ ଅଭିଯୋଗ ପାଇଁ ଲୋକେ ପ୍ରସ୍ତୁତ ହେଲେଣି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବର ସହ ବିଚାର କରିବା ଦରକାର"।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି,"କାହାକୁ ନେଇ ପଞ୍ଚାୟତ ସଂରକ୍ଷଣ ହେଉଛି? କେଉଁ ଆଧାରରେ ବିଡ଼ିଓମାନେ ସଂରକ୍ଷଣ କରିଛନ୍ତି। ଓ୍ବାର୍ଡ଼ ମେମ୍ବରଠୁ ନେଇ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ କେଉଁ ଆଧାରରେ ହୋଇଛି। ବହୁ ଦିନ ପୂର୍ବରୁ ଏଭଳି ପ୍ଲାନ ହୋଇଛି। ଜିଲ୍ଲାପାଳ, ବିଡ଼ିଓମାନେ ଶାସକ ଦଳର ବିଧାୟକଙ୍କ ସହିତ ଆଲୋଚନା କରି ଏହାକୁ ପ୍ରସ୍ତୁତ କରିଛନ୍ତି। ଏହା ସମ୍ପୂର୍ଣ୍ଣ ତ୍ରୁଟିପୁର୍ଣ୍ଣ, ରାଜନୈତିକ ଅଭିସନ୍ଧି ରଖି ଏହି ତାଲିକା ପ୍ରସ୍ତୁତ ହୋଇଛି। ଯେତିକି ଅବଜେକସନ ଆସିବ ଶୁଣିବା ପାଇଁ ଦେଢ଼ମାସ ଲାଗିବ। ଅପଜେକସନ ନ ହେବା ପାଇଁ ଚାରିଆଡେ ହ୍ବିପ ଜାରିକଲେଣି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ପଞ୍ଚାୟତ ରାଜ ସଚିବଙ୍କୁ ଅନୁରୋଧ କରୁଛି ଏହାକୁ ବାତିଲ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ"।

କେବଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୧୬ ତାରିଖରେ ରାଜ୍ୟ ସରକାର ସିଧାସଳଖ ଚିଠା ତାଲିକା ପ୍ରକାଶ କରିବେ। ଓ୍ବାର୍ଡ଼ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ,ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକା ଉପରେ ଲୋକ ମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୬ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ୨୧ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ୨୬ ତାରିଖରେ ଜିଲ୍ଲାପାଳମାନେ ସିଧାସଳଖ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ।

ବିରୋଧୀଙ୍କ ଅଭିଯୋଗ ଉପରେ ବିଜେଡ଼ି ବିଧାୟକ ଅମର ଶତପଥୀ କହିଛନ୍ତି, "ରିଝର୍ଭେସନ ଏକ ସ୍ବଭାବିକ ପ୍ରକ୍ରିୟା। ଏଥିରେ କିଛି ନୂଆ କଥା ନାହିଁ। ସବୁ ସମୟରେ ହୁଏ। ଆଇନର ବ୍ୟବସ୍ଥା ଅନୁସାରେ ହୋଇଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା କଥା ନୁହେ। କେହି ଚାହିଁଲେ ବି ବଦଳେଇ ପାରିଵେନି।ବିଜେଡ଼ି ପ୍ରତି ଲୋକଙ୍କ ସମର୍ଥନ ରହିଛି।ସେଠି ପ୍ରାର୍ଥୀ ବିଶେଷ ଗୁରୁତ୍ୱ ବହନ କରିବନି। ବିରୋଧୀ ଦଳରୁ ଶହ ଶହ ସଂଖ୍ୟାରେ ଲୋକ ବିଜେଡ଼ିକୁ ଆସୁଛନ୍ତି।ଏଥିରେ ବିଜେଡ଼ି ପ୍ରତିଦିନ ଦୄଢ଼ ହେଉଛି ପ୍ରଭାବ ପଡିବନି। ଯେଉଁ ପ୍ରକ୍ରିୟା ଭିତରେ ଚିଠା ପ୍ରସ୍ତାବ ହୋଇଛି ଯଦି କିଛି ବ୍ୟତିକ୍ରମ ହୋଇଥାଏ ତାକୁ ଜିଲ୍ଲାପାଳଙ୍କ କ୍ଷେତ୍ରରେ ସଂଶୋଧନ ହେବ। ବିଜେଡ଼ି ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ"।

ସଂରକ୍ଷଣ ପାଇଁ ପଞ୍ଚାୟତ ରାଜ ବିଭାଗ ଏକ ଗାଇଡ଼ ଲାଇନ ଜାରି କରିଛି।ଗାଇଡ଼ଲାଇନ ଅନୁସାରେ ୨୦୧୧ ଜନଗଣନା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ସେହିପରି ଗତ ୪ଟି ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ସ୍ଥିତିକୁ ଦେଖି ରୋଟେସନ ବା ପର୍ଯ୍ୟାୟ କ୍ରମେ ଆସନ ସଂରକ୍ଷଣ ନିଷ୍ପତ୍ତି ହେବ। ଅନ୍ୟପକ୍ଷରେ ଯେଉଁ ବର୍ଗର ଯେତେ ସିଟ୍ ସଂରକ୍ଷିତ ରହିବ। ତାର ୫୦ ପ୍ରତିଶତ ବା ଅଧା ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପଞ୍ଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍‌ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଓ ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।
Published by: Soumya Das
First published: October 10, 2021, 4:09 PM IST