News18 Odia Digital
ଭୁବନେଶ୍ୱର: ଦୁର୍ବଳ ହେଲା ଅବପାତ। ସୁଦୃଶ ଲଘୁଚାପ ହୋଇ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶ ଓ ପାର୍ଶ୍ଵଵର୍ତ୍ତୀ ଅଞ୍ଚଳରେ କରିଛି ଅବସ୍ଥାନ। ୨୪ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବ। ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୮ସେପ୍ଟେମ୍ବର ବେଳକୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ।
ଦୁର୍ବଳ ହେବାରେ ଲାଗିଛି ଅବପାତ। ଦକ୍ଷିଣ ଛତିଶଗଡ଼ ପାର୍ଶ୍ଵବର୍ତ୍ତୀ ବିଦର୍ଭା ଅଞ୍ଚଳରେ ଥିବା ଅବପାତ ଦୁର୍ବଳ ହୋଇଛି। ଯାହା ସୁଦୃଶ ଲଘୁଚାପ ହୋଇ ଦକ୍ଷିଣ ପୂର୍ବ ଓ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଆଗାମୀ ୪୮ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟପ୍ରଦେଶ ଉପକୂଳ ଅତିକ୍ରମ କରି ଆହୁରି ଦୁର୍ବଳ ହେବ। ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଫଳରେ ୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୧୪ ତାରିଖରେ ମଧ୍ୟ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସକ୍ରିୟ ମୌସୁମୀ ଯୋଗୁଁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବ। ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ସତର୍କ କରିଛି ପାଣିପାଗ ବିଭାଗ।
ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ପୁଣି ଭଲ ବର୍ଷା ମିଳିବ। ୧୮ ରୁ ୨୩ ମଧ୍ୟ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
"ରାଜ୍ୟକୁ ବର୍ତ୍ତମାନ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଭଲ ବର୍ଷା ମିଳିବା ପାଇଁ ପାଣିପାଗ ଅନୁକୂଳ ରହିଛି। ଆଗକୁ ଆଉ ୪ଟି ଘୁର୍ଣ୍ଣିବଳୟ ଆସିବ। କିଛି ଲଘୁଚାପର ରୂପ ନେଇପାରେ। ଏଣୁ ଚଳିତ ଥତ ମୌସୁମୀ ପ୍ରତ୍ୟାବର୍ତ୍ତନରେ ମଧ୍ୟ ବିଳମ୍ବ ହେବ," କହିଛନ୍ତି ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ବଭାବିକ ଠାରୁ ୫% ଅଧିକ ବର୍ଷା ହୋଇଛି। ଆଗକୁ ସିରିଜ ଲଘୁଚାପ ଯୋଗୁଁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।