ମହଙ୍ଗା ହେଲା ମହାପ୍ରଭୁଙ୍କ ପତିତପାବନ ବାନା; ୧୧ ବର୍ଷ ପରେ ବଦଳିଲା ଦର

ଗରିବ ଭକ୍ତଟିଏ ପାଇଁ ବଢିଲା ଚିନ୍ତା । ବଢ଼ିଲା ମହାପ୍ରଭୁଙ୍କ ନୀଳଚକ୍ର ଓଲାଗି ବାନାର ଦର ।

୧୧ ବର୍ଷ ପରେ ବଦଳିଲା ଦର

୧୧ ବର୍ଷ ପରେ ବଦଳିଲା ଦର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ମହଙ୍ଗା ହେଲା ମହାପ୍ରଭୁଙ୍କ ନୀଳଚକ୍ର ବାନା । ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ପାଇଁ ଲାଗୁ ହେଲା ବର୍ଦ୍ଧିତ ଦର । ଏଣିକି ଶ୍ରୀଜୀଉଙ୍କ ଓଲାଗି ଚଉଦ ହାତିଆ ବାନା ଦୁଇଶହ ଟଙ୍କା ପରିବର୍ତ୍ତେ ତିନି ଶହ ଟଙ୍କା ଦେଇ କିଣିବେ ଭକ୍ତ।

ବଢ଼ିଲା ମହାପ୍ରଭୁଙ୍କ ନୀଳଚକ୍ର ଓଲାଗି ବାନାର ଦର । ଏଣିକି ୨ଶହ ନୁହେଁ ୩ଶହ ଟଙ୍କାରେ ଓଲାଗି ବାନାଟିଏ କିଣିବ ଭକ୍ତ । ଦୀର୍ଘ  ଏଗାର ବର୍ଷ ପରେ ବାନାର ଦର ବୃଦ୍ଧି କରିଛି ଶ୍ରୀମନ୍ଦିର ପ୍ରଶାସନ । ମାର୍ଚ୍ଚ ୨୦ ରେ ଅନୁଷ୍ଠିତ ଅର୍ଥ ସବ କମିଟି ବୈଠକରେ ଆଲୋଚନା ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ଓଲାଗି ଚଉଦ ହାତିଆ ବାନାର ଦର ଦୁଇଶହ ଟଙ୍କାରୁ ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ର ଗୁଡିକରେ ଏପ୍ରିଲ ପହିଲାରୁ ନୂଆ ଦର ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।ତେବେ ୨୦୧୨ ମସିହାରେ ଏହିଭଳି ବାନା ପ୍ରତି ଦର ୩ଶହ ଟଙ୍କା କରାଯାଇଥିବା ବେଳେ ଭକ୍ତଙ୍କ ଅସନ୍ତୋଷ ଯୋଗୁଁ ଏହାକୁ ପୂର୍ବ ଦରରେ ସୀମିତ ରଖାଯାଇଥିଲା ବୋଲି କହିଛନ୍ତି ନୀତି ପ୍ରଶାସକ ।

ନୀଳଚକ୍ରରେ ଉଡୁଥିବା ଧ୍ୱଜାକୁ ପତିତ ପାବନ ବାନା କୁହାଯାଇଥାଏ। ଭକ୍ତ ଶ୍ରଦ୍ଧାଳୁ ମାନେ ମନସ୍କାମନା ପୂରଣ ଉଦ୍ଦେଶ୍ୟରେ ଏହି ବାନା ଦେୟ ଅର୍ଥ ପୈଠ କରି ଦେଇଥାନ୍ତି । ନୀଳଚକ୍ର ଉପରେ ଏହି ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଜାଏ । ତେଣୁ ଓଲାଗି ବାନାକୁ ନେବା ପାଇଁ ଭକ୍ତଙ୍କର ବେଶ ଆବେଗ ରହିଥାଏ । ଏହାକୁ ଘର ମାନଙ୍କରେ ଶୁଭ କାମରେ ଓ ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ଭାବରେ ରଖିଥାନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପ୍ରିଲ ପହିଲାରୁ ଓଲାଗି ଧ୍ବଜା ପ୍ରତି ୩୦୦ ଟଙ୍କା କରିବା ବେଶ ନିନ୍ଦନୀୟ। ଶ୍ରୀମନ୍ଦିର ପ୍ରଶାସନ କୋଟି କୋଟି ଟଙ୍କା ଦାନ ପାଉଥିବା ବେଳେ ଏଭଳି ବାନାର ଦର ବୃଦ୍ଧି କରିବା ଭକ୍ତଙ୍କ ଉପରେ ଜିଜିଆ କର ସଦୃଶ ବୋଲି  କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବି । ସେପଟେ ଶ୍ରୀମନ୍ଦିରକୁ ଆସିଲେ ଭକ୍ତଟିଏ ସୁଲଭ ମୂଲ୍ୟରେ ବାନାଟିଏ କିଣି ନେଇ ଯାଇପାରୁଥିବା ବେଳେ ବାନାର ଦରବୃଦ୍ଧି ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ତେବେ ପୂର୍ବରୁ ଏଭଳି ବିରୋଧ କରାଯାଇଥିଲା,ତେଣୁ ଏହି ନିଷ୍ପତ୍ତିରୁ ନ ଓହରିଲେ ପୁଣି ବିରୋଧ କରାଯିବ କହିଛନ୍ତି ଆଇନଜୀବି ।

ଫ୍ଲାଇଟରେ ଭରାହେଉଥିବା ପେଟ୍ରୋଲ ଦାମ କେତେ; ଘଣ୍ଟା ପ୍ରତି ଦେଖାଏ ଏତିକି ମାଇଲେଜ

ଶ୍ରୀମନ୍ଦିର ପ୍ରଶାସନ ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ଦେଶର ଅନ୍ୟ ମନ୍ଦିର ମାନଙ୍କ ଭଳି ଭକ୍ତଙ୍କ ପାଇଁ ସେଭଳି କୌଣସି ନିଶୁଳ୍କ ସେବା ନାହିଁ । ମହାପ୍ରଭୁଙ୍କ ବାନା ବିକ୍ରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଉଥିବା ବେଳେ ଅନ୍ୟପଟରେ ପ୍ରଶାସନ ଏଥିରୁ ଆୟ ମଧ୍ୟ ପାଉଛି ମାତ୍ର ବାନାର ଦର ବୃଦ୍ଧି ଏବେ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଆଣିଦେଇଛି ।
Published by:Soumya Das
First published: