ଖାଉଟିଙ୍କ ପାଇଁ ଆସୁଛି କଠିନ ସମୟ; ୫%ରୁ ଅଧିକ ବଢ଼ିବ ବଢ଼ିବ ଖାଦ୍ୟ ଶସ୍ୟର ଦାମ

ଖାଉଟିଙ୍କ ପାଇଁ ଆଗକୁ ଆସୁଛି କଠିନ ସମୟ । ଆଗକୁ ଚାଉଳ, ଚୂଡ଼ା, ଡ଼ାଲି, ଚିନି ଆଦି ଖାଦ୍ୟ ଶସ୍ୟର ଦାମ ୫ ପ୍ରତିଶତରୁ ଅଧିକ ବଢିବାକୁ ଯାଉଛି ।

୫%ରୁ ଅଧିକ ବଢ଼ିବ ବଢ଼ିବ ଖାଦ୍ୟ ଶସ୍ୟର ଦାମ (ପ୍ରତୀକାତ୍ମକ ଛବି)

୫%ରୁ ଅଧିକ ବଢ଼ିବ ବଢ଼ିବ ଖାଦ୍ୟ ଶସ୍ୟର ଦାମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର:  ଖାଇବା ତେଲର ଦର କମିଛି । ପେଟ୍ରୋଲ ଓ ଡ଼ିଜେଲ ଉପରୁ  ଟିକସ୍ ସାମାନ୍ୟ ହ୍ରାସ ପରେ ତେଲ ଦର ବି କମିଛି । କିନ୍ତୁ ଖାଉଟିଙ୍କ ପାଇଁ ଆଗକୁ ଆସୁଛି କଠିନ ସମୟ । ଆଗକୁ ଚାଉଳ, ଚୂଡ଼ା, ଡ଼ାଲି, ଚିନି ଆଦି ଖାଦ୍ୟ ଶସ୍ୟର ଦାମ ୫ ପ୍ରତିଶତରୁ ଅଧିକ ବଢିବାକୁ ଯାଉଛି । ନିକଟରେ ଶେଷ ହୋଇଥିବା ଜିଏସଟି କାଉନସିଲ ବୈଠକରେ ଏଭଳି ନିଷ୍ପତି ହୋଇଥିବାରୁ ଆସନ୍ତା ୧୮ ତାରିଖରୁ ଖାଦ୍ୟ ଶସ୍ୟର ଦର ବୃଦ୍ଧି ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।

ଏଭଳି ନିଷ୍ପତ୍ତିକୁ ନେଇ ଖୁଚୁରା ବ୍ୟବସାୟୀ ଚିନ୍ତିତ ହୋଇପଡ଼ିଥିବା ବେଳେ ନିଷ୍ପତ୍ତିକୁ ବିରୋଧ କରିିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ଏହା ବିରୋଧରେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଧ୍ୟ ଧମକ ଦେଇଛି ବ୍ୟବସାୟୀ ସଂଘ ।

ଖାଉଟିଙ୍କ ବାରମ୍ବାର ଦାବି, ପ୍ରତିବାଦ ଓ ଆନ୍ଦୋଳନ ପରେ ଗତ ସପ୍ତାହକ ଭିତରେ କମିଛି ଖାଇବା ତେଲର ଦାମ୍ । ଲିଟର ପିଛା ପାଖାପାଖି ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ଖାଇବା ତେଲର ଦାମ କମିଛି, ଯାହାକୁ ନେଇ ଉଭୟ ବ୍ୟବସାୟୀ ଓ ଖାଉଟି ସାମାନ୍ୟ ଆଶ୍ୱସ୍ତ । ସେହିଭଳି ପେଟ୍ରୋଲ ଓ ଡ଼ିଜେଲ ଉପରେ କିଛି ଶୁଳ୍କ ହଟାଇବା ପରେ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ମଧ୍ୟ ସାମାନ୍ୟ ହ୍ରାସ ହୋଇଛି । ଏଭଳି ସମୟରେ ପୁଣିଥରେ ଗ୍ରାହକ ହତାଶ ହେବାକୁ ଯାଉଛନ୍ତି । କାରଣ ଆସନ୍ତା ୧୮ ତାରିଖରୁ ବିଭିନ୍ନ ପ୍ରକାରର ଖାଦ୍ୟଶସ୍ୟ ସାମଗ୍ରୀର ମୂଲ୍ୟ ଉପରେ ଲାଗିବାକୁ ଯାଉଛି ୫ ପ୍ରତିଶତ ଅତିରିକ୍ତ ଟିକସ । ଅର୍ଥାତ୍ ଚାଉଳ, ଡ଼ାଲି,ଚିନି, ଚୁଡ଼ା ଆଦି ସାମଗ୍ରୀ ନିୟମିତ ଦରରେ ୫ ପ୍ରତିଶତ ବଢିବାକୁ ଯାଉଛି । କିଲୋ ପିଛା ଏସବୁ ସାମଗ୍ରୀର ନୂଆ ଦର ଲାଗୁ ହେବାକୁ ଯାଉଛି ଯାହାକୁ ନେଇ ଖୁଚୁରା ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

କିଛି ଖୁଚୁରା ବ୍ୟବସାୟୀଙ୍କ ମତରେ ଗୋଟିଏ ପଟେ ସରକାର ଖାଇବା ତେଲର ଦର କମ କରୁଥିବା ବେଳେ ଆରପଟେ ଖାଦ୍ୟଶସ୍ୟ ଉପରେ ଅତିରିକ୍ତ ଟିକସ ଲାଗୁ କରାଇବା ଠିକ୍ ନୁହେଁ । ଏହାଦ୍ୱାରା ଖୁଚୁରା ବ୍ୟବସାୟୀ ଓ ଖାଉଟି ପ୍ରଭାବିତ ହେବେ । ଖୁଚୁରା ବ୍ୟବସାୟୀ କେ. ପଣ୍ଡାଙ୍କ ମତରେ ତେଲ ଦର କମିବା ପରେ ଖାଉଟି କିଛିଟା ଆଶ୍ୱସ୍ତ ହୋଇଥିଲେ। ବ୍ୟବସାୟ ମଧ୍ୟ ଟିକେ ବଢିବା ଆରମ୍ଭ ହୋଇଥିଲା। ଏବେ ଖାଦ୍ୟଶସ୍ୟ ଉପରେ ପୁଣି ସରକାର ୫ ପ୍ରତିଶତ ଟିକସ ଲାଗୁ ହେବାଜୁ ଯାଉଥିବାରୁ ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ। ସେହିପରି ଭୁବନେଶ୍ୱର ୧ ନମ୍ବର ହାଟର ବ୍ୟବସାୟୀ କାଳନ୍ଦୀ ବେହେରା କହିଛନ୍ତି ଏହାଦ୍ବାରା ପାଇକାରୀ ନୁହେଁ, ଖୁଚୁରା ବ୍ୟବସାୟୀ ଅଧିକ ପ୍ରଭାବିତ ହେବେ।

ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ମହାସଂଘ ମହା ସଚିବ ସୁଧାକର ପଣ୍ଡା କହିଛନ୍ତି,"ଦୀର୍ଘ ବର୍ଷ ହେଲା ଖାଦ୍ୟଶସ୍ୟ ଭଳି ସାମଗ୍ରୀକୁ ଟିକସମୁକ୍ତ ରଖାଯାଥିଲା। ଖାଦ୍ୟ ନିରାପତା ଆଇନ ବଳରେ ସବୁ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଏହି ଟିକସମୁକ୍ତ ନିଷ୍ପତ୍ତି ପ୍ରଚଳିତ ହୋଇଆସୁଥିଲା । କିନ୍ତୁ ଜିଏସ୍‌ଟି କାଉନସିଲ ନିଷ୍ପତ୍ତି ପରେ ଏବେ ଖାଦ୍ୟ ଶସ୍ୟ ଉପରେ ଅତିରିକ୍ତ ୫ ପ୍ରତିଶତ ଟିକସ ଲାଗୁ ହେବାକୁ ଯାଉଥିବାରୁ ସବୁ ପ୍ରକାର ଖାଦ୍ୟ ସାମଗ୍ରୀର ମୁଲ୍ୟ ବଢିବ । ଏହା ଖାଉଟିଙ୍କ ପକେଟକୁ ନିଶ୍ଚୟ ବାଧିବ।
Published by:Soumya Das
First published: