News18 Odia Digital
ଭୁବନେଶ୍ୱର: ଖାଉଟି ବଜାରରେ ଚଡ଼କ। ବିଭିନ୍ନ ପ୍ରକାର ଖାଇବା ତେଲର ଦାମ ଏବେ ଆକାଶ ଛୁଆଁ। ସୋୟାବିନ, ସୂର୍ଯ୍ୟମୁଖୀ ଆଦି ଖାଇବା ତେଲଠାରୁ ଆରମ୍ଭ କରି ପାମୋଲିଭ ଏପରିକି ସୋରିଷ ତେଲ ପର୍ଯ୍ୟନ୍ତ, ସବୁ ପ୍ରକାର ଖାଇବା ତେଲର ଦାମ ଗତ କିଛି ସପ୍ତାହ ଧରି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ଯୋଗାଣ ନୀତି ହିଁ ଏହି ସ୍ଥିତି ଆମନ୍ତ୍ରଣ କରୁଛି ଓ ଆଗକୁ ସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି ମତ ରଖିଛି ରାଜ୍ୟ ବ୍ୟବସାୟୀ ମହାସଂଘ।
"ଭୁବନେଶ୍ବର ବିଭିନ୍ନ ଖୁଚୁରା ଗ୍ରୋସରି ଦୋକାନରେ ରିଫାଇନ ଖାଇବା ତେଲର ଦାମ ଥିଲା ଲିଟର ପିଛା ୧୭୦ ରୁ ୧୮୦। ଏବେ ସେହି ତେଲର ଖୁଚୁରା ଖାଉଟି ଦାମ ୨୦୦ ଟପିଛି। ସେହିଭଳି ସୂର୍ଯ୍ୟମୁଖୀ ବ୍ରାଣ୍ଡର ତେଲର ଲିଟର ପିଛା ଦାମ ୨୦ରୁ ୨୫ ଟଙ୍କା ଓ ପାମୋଲିଭ ଖାଇବା ତେଲର ଦାମ ଲିଟର ପିଛା ୨୦ରୁ ୨୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଖାଇବା ତେଲର ଦାମ ଲିଟର ପିଛା ୨୦ରୁ ୩୦ ଟଙ୍କା ବଢ଼ିଛି, ଯାହା ଖାଉଟିଙ୍କ ପକେଟକୁ ବାଧୁଛି। ଏପରିକି ବଜାରରେ ଉପଲବ୍ଧ ବିଭିନ୍ନ ବ୍ରାଣ୍ଡର ସୋରିଷ ତେଲର ଦାମ ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦରବୃଦ୍ଧି କାରଣରୁ ଖାଇବା ତେଲ ଆଡୁ ଗ୍ରାହକ ମୁହଁ ଫେରାଇ ନେଉଥିବା ଖୁଚୁରା ଗ୍ରୋସରି ବ୍ୟବସାୟୀ ମଧ୍ୟ ହତାଶ," କହିଛନ୍ତି ଖୁଚୁରା ବ୍ୟବସାୟୀ ପି କୃଷ୍ଣଚନ୍ଦ୍ର। .
ରାଜ୍ୟ ବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ , ଭାରତରେ ବର୍ଷକୁ ପ୍ରାୟ ଏକ କୋଟି ୯୦ ଲକ୍ଷ ଟନରୁ ଅଧିକ ପରିମାଣର ଖାଇବା ତେଲ ବ୍ୟବହାର ହୋଇଥାଏ । ସେ ତୁଳନାରେ ଖାଉଟି ରାଜ୍ୟ ଓଡ଼ିଶା ବଜାରକୁ ଦେଖିଲେ ଏଠାରେ ବର୍ଷକୁ ୫ରୁ ସାଢ଼େ ୫ ଲକ୍ଷ ଟନ୍ ପର୍ଯ୍ୟନ୍ତ ଖାଇବା ତେଲ ବ୍ୟବହାର ହୋଇଥାଏ । ଆନୁପାତିକ ହିସାବ ଅନୁସାରେ ମାସକୁ ଓଡ଼ିଶାରେ ୪୦ରୁ ୫୦ ହଜାର ଟନର ଖାଇବା ତେଲ ବ୍ୟବହାର ହୋଇଥାଏ ।
ଓଡ଼ିଶା ବ୍ୟବସାୟୀ ମହାସଂଘର ମହା ସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ, ଧୀରେ ଧୀରେ ଭାରତୀୟ ବଜାରରେ ଖାଇବା ତେଲର ଦାମ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଦର ବୃଦ୍ଧି କେବଳ ଯୁଦ୍ଧର ପରିଣାମ ନୁହେଁ । ବିକ୍ରିର ଉତ୍ସରୁ ଦାମ ବଢୁଥିବାରୁ ଏଭଳି ଦାମ ବୃଦ୍ଧି ପାଇବାରେ ଲାଗିଛି ।ତାଛଡା ଅନ୍ୟ ରାଜ୍ୟରେ ବିଭିନ୍ନ ପ୍ରକାର ଖାଇବା ତେଲ ମହଜୁଦ ପରିମାଣ ୨୦୦ ଟନ ପର୍ଯ୍ୟନ୍ତ ଅନୁମତି ଥିବା ବେଳେ ଓଡ଼ିଶାରେ ଏହି ପରିମାଣ ମାତ୍ର ୫୦ ଟନ ଭିତରେ ସୀମିତ। ରାଜ୍ୟ ସରକାର ବାସ୍ତବତା ଉପଲବ୍ଧି କରିବା ଦରକାର। ବ୍ୟବସାୟୀ ମହାସଂଘ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ମିଳୁନି। ଏଭଳି ସ୍ଥିତିରେ ଏବେ ସମସ୍ତଙ୍କ ନଜର ବିଭାଗୀୟ ସରକାରୀ ନିଷ୍ପତ୍ତି ଉପରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।