ବଢ଼ିବ ଦୁଗ୍ଧଜାତ ସାମଗ୍ରୀର ଦର (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ପୁଣି ବଢ଼ିବ ଦୁଗ୍ଧଜାତ ସାମଗ୍ରୀର ଦର । ଗୋଖାଦ୍ୟ ସହିତ ଗୋପାଳନ ଓ ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତିରେ କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ସମଗ୍ରୀର ଦର ବୃଦ୍ଧି ହୋଇଥିବା ଦର୍ଶାଇ ବୁଧବାର ଦିନ ଦୁଗ୍ଧଜାତ ସାମଗ୍ରୀଗୁଡ଼ିକର ନୂଆ ଦର ଧାର୍ଯ୍ୟ କରିଛି କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ।
ଧାର୍ଯ୍ୟ ହୋଇଥିବା ନୂଆ ଦର ମୁତାବକ କଞ୍ଚା ଛେନା କେଜି ପ୍ରତି ୧୦ଟଙ୍କା ବୃଦ୍ଧି ପାଇ ଏଣିକି କେଜି ପ୍ରତି ୧୭୫ଟଙ୍କାରେ ବିକ୍ରି ହେବ। ସେହିପରି ପନୀର କେଜି ପ୍ରତି ୧୫ ଟଙ୍କା ବୃଦ୍ଧି ପାଇ ୨୨୫ ଟଙ୍କା, କଞ୍ଚାଖୁଆ କେଜି ପ୍ରତି ୩୦ ଟଙ୍କା ବୃଦ୍ଧି ପାଇ ୨୬୦ ଟଙ୍କାରେ ବିକ୍ରି ପାଇଁ ଧାର୍ଯ୍ୟ ହୋଇଛି । ତେବେ ଏହି ବର୍ଦ୍ଧିତ ଦର ଆସନ୍ତା ମେ' ୧ ତାରିଖରୁ ଲାଗୁ ହେବ ବୋଲି କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।
"ସବୁ ଦରଦାମ ବୃଦ୍ଧି ପାଇଛି । ଆଉ ସେହି ପୁରୁଣା ଦରରେ ଦୁଗ୍ଧଜାତ ଦ୍ରବ୍ୟ ପସ୍ତୁତ କରି ସେଗୁଡ଼ିକୁ ବିକ୍ରି କରିବା ସମ୍ଭବ ହେଉନାହିଁ । ତା'ପରେ ଗତ ୨୧ ତାରିଖରେ ଓମଫେଡ ବି ତାର କ୍ଷୀର ଦର ବୃଦ୍ଧି କରିଛି । ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଆମେ ଏହି ନୁଆ ଧର ଧାର୍ଯ୍ୟ କରିଛୁ । ଯେହେତୁ କଟକରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଦୁଗ୍ଧଜାତ ସାମଗ୍ରୀର ବିକ୍ରି ହୋଇଥାଏ ତେଣୁ ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ଦୁଗ୍ଦଜାତ ସମଗ୍ରୀ ଦାମ ବଢ଼ିବ" କହିଛନ୍ତି କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ।
ଏକ ଆକଳନ ମୁତାବକ ରାଜ୍ୟରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ପରିବାର ଦୁଗ୍ଧ ଚାଷ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ, କେନ୍ଦ୍ରପଡ଼ା, ଜଗତସିଂପୁର ଓ ପୁରୀ ଜିଲ୍ଲାରେ ସର୍ବାଧିକ ଦୁଗ୍ଧ ଚାଷୀ ରହିଛନ୍ତି । ତେବେ କଟକ ସହର ରାଜ୍ୟର ଦୁଗ୍ଧଜାତ ସାମଗ୍ରୀର ହବ୍ ହୋଇଥିବାରୁ ଏଠାକାର ବର୍ଦ୍ଧିତ ଦର ଅନ୍ୟ ସ୍ଥାନରେ ମଧ୍ୟ ଦେଖାଯିବା ନେଇ ଆଶଙ୍କା କରାଯାଉଛି ।
ତେବେ ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି ପରେ ଏବଂ ଦୁଗ୍ଧଜାତ ସାମଗ୍ରୀରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଉତ୍ପାଦ ବିଶେଷ କରି ବିଭିନ୍ନ ପ୍ରକାରର ମିଠାର ଦର ବୃଦ୍ଧି ପାଇବ ବୋଲି ସ୍ପଷ୍ଟ ହୋଇଯାଇଛି ।
"ତେଳ, ଚିନି, ଗ୍ୟାସ ସବୁ ରେଟ୍ ବଢିଲା ତା ପରେ ବି ମୁଁ ମିଠା ରେଟ ବଢେଇ ନଥିଲି । କିନ୍ତୁ ପହିଲାରୁ ଛେନା, ପନୀର ଆଉ ଖୁଆର ରେଟ ବଢିବ । ନିହାତି ଭାବେ ମିଠା ରେଟ ବି ବଢାଇବି," କହିଛନ୍ତି କଟକ କଲେଜ ଛକରେ ମିଠା ଦୋକାନ କରିଥିବା ବ୍ୟବସାୟୀ କରୁଣାକର ସାହୁ ।
Published by:Soumya Das
First published: