News18 Odia Digital
ଭୁବନେଶ୍ୱର: ହିନ୍ଦୁଙ୍କ ଗୌରବର ପୁନଃ ପ୍ରତିଷ୍ଠା ଓ ହିନ୍ଦୁ ସୁରକ୍ଷାର ସଂକଳ୍ପ ପାଇଁ ହିନ୍ଦୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ, ସମ୍ମାନଯୁକ୍ତ ହିନ୍ଦୁ ହେବାର ଲକ୍ଷ୍ୟ ରହିବ। ସମୃଦ୍ଧ ହିନ୍ଦୁ ପାଇଁ ୪ଟି ଲକ୍ଷ୍ୟ ରହିବ। ଗରିବୀ ମୁକ୍ତ ଭାରତ, ରୋଜଗାର ପ୍ରାପ୍ତ ଯୁବକ, ଋଣ ମୁକ୍ତ କୃଷକ ଓ ମହଙ୍ଗାଇ ମୁକ୍ତ ଗୃହିଣୀ । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଭାପତି ଡ଼ଃ. ପ୍ରବୀଣଭାଇ ତୋଗାଡ଼ି଼ଆ।
ତୋଗାଡିଆ କହିଛନ୍ତି,"ଏହି ୪ଟି ଲକ୍ଷ୍ୟ ପୂରଣ କରିବା ପାଇଁ ସରକାରଙ୍କ ପାଖରେ ଦୁଇଟି ଦାବି ରହିଛି । ଉଭୟ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ପାଖରେ ପ୍ରାୟ ଏକ କୋଟି ସରକାରୀ ପଦବୀ ଖାଲି ପଡ଼ିଛି । ସେଗୁଡିକୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପୂରଣ କରନ୍ତୁ । ଯାହାଦ୍ୱାରା ଦେଶର ୧ କୋଟି ଲୋକଙ୍କୁ ରୋଜଗାର ମିଳିପାରିବ । ୩୦ କୋଟି ଲୋକଙ୍କର ଇ-ଶ୍ରମ କାର୍ଡ଼ ତିଆରି ହୋଇଛି । ସେମାନଙ୍କ ଆକାଉଣ୍ଟରେ ବର୍ଷକୁ ୬ ହଜାର ଟଙ୍କା ଜମା କରନ୍ତୁ ସରକାର । କେନ୍ଦ୍ର ଓ ରାଜ୍ୟ ସରକାର ୧ କୋଟି ଲୋକଙ୍କୁ ନିଯୁକ୍ତି ଦିଅନ୍ତୁ । ସମ୍ପୂର୍ଣ୍ଣ ଦେଶରେ ଅନ୍ନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କୁଇଣ୍ଟାଲ ପିଛା ୧୯୪୦ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଉ ।
ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମହଙ୍ଗାଇ କମ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ପରିଷଦ ପକ୍ଷରୁ ଏଥିପାଇଁ ଦେଶ ବ୍ୟାପୀ ଜନଜାଗରଣ କରାଯିବ । ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ନ୍ୟାସନାଲ ସେଲ୍ଫ ଏମପ୍ଲଏମଣ୍ଟ ଫୋରମ(NSEF) ବା ହିନ୍ଦୁ ସ୍ୱରୋଜଗାର ଯୋଜନା ଆରମ୍ଭ କରି ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଲୋକଙ୍କୁ ରୋଜଗାର ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ମେ' ମାସରୁ ଆରମ୍ଭ ହେବକୁ ଯାଉଛି । ନିକଟରେ କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ Common Civil Code ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ।
ସୁରକ୍ଷିତ ହିନ୍ଦୁ ଅଭିଯାନ ଲକ୍ଷ୍ୟ ନେଇ ୨କୋଟି ହିନ୍ଦୁ ଯୁବକଙ୍କୁ ତ୍ରିଶୂଳ ଦେଇ ବୀର ହିନ୍ଦୁ ବିଜେତା ହିନ୍ଦୁ ଅଭିଯାନ ଆରମ୍ଭ କରାଯାଇଛି । ଆଗାମୀ ୫ ବର୍ଷରେ ଏହି ଲକ୍ଷ୍ୟ ପୂରଣ କରାଯିବ । ବର୍ତ୍ତମାନ ୪ଟି ଲକ୍ଷ୍ୟ ନେଇ ପରିଷଦ କାର୍ଯ୍ୟ କରୁଛି ।
ଯେକୌଣସି ହିନ୍ଦୁ ଭାରତର ଯେକୌଣସି ସ୍ଥାନକୁ ଗଲେ ସେମାନଙ୍କର ସହାୟତା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ୨୪ ଘଣ୍ଟିଆ ହିନ୍ଦୁ ହେଲ୍ପଲାଇନ ନମ୍ବର ୦୨୦୬୬୮୦୩୩୦୦ ଜାରି କରାଯାଇଛି । ପରିଷଦ ପକ୍ଷରୁ ୧୦ ହଜାର ସ୍ପେସିଆଲିଷ୍ଟ ଡାକ୍ତର ଅଛନ୍ତି । ଯେଉଁମାନେ ପ୍ରତିଦିନ ଜଣେ ଗରିବ ହିନ୍ଦୁଙ୍କର ମାଗଣାରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କୌଣସି ହିନ୍ଦୁ ଭୋକରେ ଯେମିତି ନରହିବେ ସେଥିପାଇଁ ୨୫ ଲକ୍ଷ ଘରୁ ଖାଦ୍ୟ ଶସ୍ୟ ସଂଗ୍ରହ କରାଯିବ । ଜେଲରେ ଥିବା ଗରିବ କଏଦୀ, ଯେଉଁମାନଙ୍କ ପାଖରେ ଜାମିନ ପାଇବା ପାଇଁ ଓକିଲଙ୍କୁ ପଇସା ଦେବାକୁ ନାହିଁ । ସେମାନଙ୍କୁ ହିନ୍ଦୁ ଆଡଭୋକେଟ ଫୋରମ ମାଧ୍ୟମରେ ମାଗଣାରେ ଜାମିନ କରାଯିବ ।
"ପୂର୍ବରୁ ସେକ୍ୟୁଲର ବା ଧର୍ମ ନିରପେକ୍ଷତା ହେବାର ରାଜନୀତି ଚାଲିଥିଲା । ଏବେ ହନୁମାନ ଚଲିଶାର ରାଜନୀତି ଆରମ୍ଭ ହୋଇଛି । ଏହାକୁ ହିନ୍ଦୁତ୍ୱର ବିଜୟ ବୋଲି କୁହାଯାଇପାରିବ । ମନ୍ଦିର, ମଠର ସୁରକ୍ଷା ଏବଂ ବିକାଶ ଅଲଗା ଅଲଗା ପ୍ରସଙ୍ଗ । ବିକାଶର ଅର୍ଥ ସେଠାକୁ ଯିବାପାଇଁ ରାସ୍ତା ତିଆରି ହେଉ, ଶୌଚାଳୟ ହେଉ, ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା ହେଉ, ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବାର ବ୍ୟବସ୍ଥା ହେଉ । କିନ୍ତୁ ଯଦି ମଠ କିମ୍ବା ମନ୍ଦିର ଭାଙ୍ଗି ଏଗୁଡ଼ିକ କରାଗଲେ ଏହା ଭୁଲ ନିଷ୍ପତ୍ତି। ଉପକୂଳ ଓଡିଶାରେ ବ୍ୟାପକ ମାତ୍ରାରେ ବଙ୍ଗଳାଦେଶୀ ମୁସଲିମ ମାନଙ୍କର ଅନୁପ୍ରବେଶ ହେଉଛି । ଏହା ଉପରେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି,"କହିଛନ୍ତି ଡ଼ଃ ପ୍ରବୀଣ ତୋଗାଡିଆ। ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।