News18 Odia Digital
President Draupadi Murmu Newsମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବଡ଼ ଅବ୍ୟବସ୍ଥା । ପ୍ରେସିଡେଣ୍ଟ ପ୍ରୋଗ୍ରାମ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଚାରିଆଡ଼ ଅନ୍ଧାର ହୋଇଗଲା । ଅନ୍ଧାରରେ ଭାଷଣ ଦେଲେ ମହାମହିମ, ଯାହାକୁୁ ନେଇ ସାରା ଦେଶରେ ଚର୍ଚ୍ଚା । ହେଲେ ସବୁଠୁ ବଡ଼ କଥା ହେଲା ଏଠି ବି ନିଜ ସରଳ ଓ ମହାନ ବ୍ୟକ୍ତିତ୍ବର ପରିଚୟ ଦେଇଥିଲେ ଦ୍ରୌପଦୀ ।
ଦେଶର ସର୍ବୋଚ୍ଚ ପଦବୀରେ ଥାଇ ରାଷ୍ଟ୍ରପତି ସବୁ ପରିସ୍ଥିତିରେ ବି ଦେଖାଇଛନ୍ତି ନିଜର ମହନୀୟତା । ତାଙ୍କ କର୍ତ୍ତବ୍ୟ ପରାୟଣତା, ସମାନୁବର୍ତ୍ତିତା ଓ ସରଳତା ଆଗର ଯେକେହି ବି ମୁଣ୍ଡ ନୁଆଁଇବ ଓ କହିବ ରାଷ୍ଟ୍ରପତି ହେବେ ତ ଏମିତି । ଆଜି ମଧ୍ୟ ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ୯ ମିନିଟ କାଳ ବିଜୁଳି ନଥିଲା, ହେଲେ ଏହାକୁ ଅତ୍ୟନ୍ତ ସ୍ବାଭାବିକ ଭାବେ ନେଇ କିଟ୍ କିଟ୍ ଅନ୍ଧାର ଭିତରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେବା ବନ୍ଦ କରିନଥିଲେ ରାଷ୍ଟ୍ରପତି ।
କେଉଁଠି ଓ କେମିତି ହେଲା ଏତେ ବଡ଼ ବିଭ୍ରାଟ ? ଆଜି ଥିଲା ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ। ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ ରାଷ୍ଟ୍ରପତି । ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ମହାମହିମ । କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ଲାଇନ କଟିଯାଇଥିଲା । ସବୁ ବ୍ୟବସ୍ଥା ସତ୍ତ୍ୱେ ଲାଇନ ପଳାଇବା ପରେ ଉପସ୍ଥିତ ଅତିଥି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟସ୍ତ ହୋଇଯାଇଥିଲେ । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି । ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଏଭଳି ଅବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ମୁହଁରେ କିନ୍ତୁ ଦେଖିବାକୁ ମିଳିନିଥିଲେ ସାମାନ୍ଯ ବ୍ଯସ୍ତତା । ସେ ପୂର୍ବ ପରି ନିଜ ଭାଷଣ ଜାରି ରଖିଥିଲେ । କୌଣସି ପ୍ରତିକ୍ରିୟା କିମ୍ୱା ବିରକ୍ତ ଭାବ ପ୍ରକାଶ ନକରି ସେ ପିଲାମାନଙ୍କୁ ଉଦବୋଧନ ଦେଇଚାଲିଥିଲେ ।
ଅନ୍ଯପଟେ ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ ବିଭାଗ କରିଛି । ପାୱାର ଟ୍ରିପ୍ ଯୋଗୁଁ ୧୧.୫୬ରୁ ୧୨.୫ ଯାଏ କଟିଥିଲା ଲାଇନ୍ । ଏହା ସତ୍ତ୍ୱେ ବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନ୍ଧାରରେ ଅଭିଭାଷଣ ରଖିଲେ । ଏହି ଘଟଣାରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଶ୍ବବିଦ୍ୟାଳୟର ବିଦ୍ୟୁତ୍ କର୍ମଚାରୀ ଜୟନ୍ତ କୁମାର ତ୍ରିପାଠୀଙ୍କୁ ନଲମ୍ବିତ କରାଯାଇଛି । ରାଷ୍ଟ୍ରପତିଙ୍କ ଏଭଳି ଉଦାର ପଣିଆ ଯୋଗୁଁ ସବୁ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।
ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏହା ଭିତରେ ୮ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ୯୦ ଜଣ ଗବେଷକଙ୍କୁ ପିଏଚଡି ଓ ୩୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ । ଡିଲିଟ୍ ପାଇବାକୁ ଥିବା ୮ ଜଣ ବ୍ୟକ୍ତି ହେଲେ ରାଜଯୋଗିନୀ ବ୍ରହ୍ମକୁମାରୀ କମଲେଶ, କଂଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଆଦିବାସୀ ସଙ୍ଗୀତ ଗବେଷିକା ଡକ୍ଟର ବୀଣାପାଣି ମହାନ୍ତି, ପ୍ରଶାସକ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କଳାକାର ନନ୍ଦିତା ଦାସ, କଳାକାର ସଂଗ୍ରାମ କେଶରୀ ମହାନ୍ତି ଏବଂ ସାହ୍ୟିତିକ ଅର୍ଜୁନ ଚରଣ ହେମ୍ବ୍ରମ । ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡିଏସସି ଉପାଧି ମିଳିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।