News18 Odia Digital
ଭୁବନେଶ୍ୱର: ପାରାଦ୍ୱୀପ ବନ୍ଦର ସହରକୁ ବିଜୁ ନଗର ନାମରେ ନାମିତ କରାଯାଉ। ସହରରେ ବସବାସ କରୁଥିବା ୧୪ହଜାର ପରିବାରକୁ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।
ପାରାଦ୍ୱୀପ ବନ୍ଦର ନିର୍ମାଣକୁ ବର୍ତ୍ତମାନ ୬୦ ବର୍ଷ ପୂରିଛି। ସହରରେ ଜାଗା ମିସନ ଓ ବସ୍ତି ଉନ୍ନୟନ ଯୋଜନାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି।
୧୯୬୬ ମସିହାରେ ବୃହତ ବନ୍ଦର ଆଇନ ଅନୁସାରେ ରାଜ୍ୟ ସରକାର ଓ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଜମିଜମା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇ ନାହିଁ। ରାଜ୍ୟ ସରକାର ଅଧିଗୃହୀତ ଜମିରୁ ସରକାରୀ ଜମି ଏକର ପିଛା ୧ ଟଙ୍କା ଓ ଘରୋଇ ଜମି ଏକର ପିଛା ୧୦ ଟଙ୍କା ମୂଲ୍ୟରେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜମି ଯୋଗାଇ ଦେବା ପାଇଁ ରାଜି ହୋଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ମାଲିକାନାରୁ ନିଜ ମାଲିକାନାକୁ ଜମି ନେଇ ନାହାଁନ୍ତି। ୨୦୦୭ ମସିହାରୁ ପାରାଦ୍ୱୀପ ଉନ୍ନୟନ କର୍ତ୍ତୃପକ୍ଷ ଗଠିତ ହୋଇଥିଲେ ବି ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ।
ଦାମୋଦର ରାଉତଙ୍କ ଅନୁସାରେ,ବନ୍ଦର ନିର୍ମାଣ ସମୟରୁ ଆନ୍ଧ୍ରରୁ ଆସିଥିବା ପ୍ରାୟ ୭ ହଜାର ନୋଳିଆ ପରିବାରଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବସ୍ତିବାସିନ୍ଦାମାନେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି। ଏଥିପାଇଁ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ।
ଦାମ ରାଉତ କହିଛନ୍ତି ଯେ, ୩୩ ଟି ସହରାଞ୍ଚଳରେ ଥଇଥାନ କରାଯାଇଥିବା ୭୦୭ ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନି’ ଘୋଷଣା କରାଯିବା ଗ୍ରହଣୀୟ ନୁହେଁ। ଏଥିରେ ବିଜୁ ବାବୁଙ୍କ ସମ୍ମାନ ବଢ଼ିବା ବଦଳରେ ଅସମ୍ମାନ ହେବ। ମୁଖ୍ୟମନ୍ତ୍ରୀ ଏହାର ପୁନର୍ବିଚାର କରିବା ଉଚିତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।