ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲା: ପତ୍ନୀଙ୍କ ବୟାନ ରେକର୍ଡ କଲା ପୋଲିସ

ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନରେ ତାଙ୍କ ସ୍ୱାମୀ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ଓ ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କହିଛନ୍ତି।

ବିଚାରପତିଙ୍କ ଆତ୍ମହତ୍ୟା ଘଟଣା

ବିଚାରପତିଙ୍କ ଆତ୍ମହତ୍ୟା ଘଟଣା

  • News18 Odia
  • Last Updated :
  • Share this:
News18 Odia Digital

କଟକ: କଟକ ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲାରେ ବିଭିନ୍ନ ଲୋକଙ୍କୁ ପଚରା ଉଚରା ସହ ବୟାନ ମଧ୍ୟ ରେକର୍ଡ କରୁଛି ମର୍କତନଗର ପୋଲିସ । ଏହି କ୍ରମରେ ୧୪ ଜଣ ଲୋକଙ୍କୁ ପଚରାଉଚରା ଶେଷ ହୋଇଥିବା ବେଳେ ସୁବାସଙ୍କ ପତ୍ନୀ ଅପରାଜିତା ରାୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନ ମୁତାବକ ସୁବାସ ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିଲେ । ମଧୁମେୟ ରୋଗ ସହିତ ଆଣ୍ଠୁ ଗଣ୍ଠି ପୀଡ଼ା ଓ ପାଟି ଭିତରେ ଘା ଭଳି ଅନେକ ବ୍ୟାଧିରେ ସେ ଆକ୍ରନ୍ତ ଥିଲେ । ଏଥିପାଇଁ ସେ ଅନେକ ସମୟରେ ଶାରିରୀକ କଷ୍ଟ ମଧ୍ୟ ଅନୁଭବ କରୁଥିଲେ । ସେହି କଷ୍ଟରୁ ମୁକ୍ତି ପାଇବା ପାଇଁ ସୁବାସ ବିହାରୀ ଆତ୍ମହତ୍ୟା କରିଥାଇପାରନ୍ତି । ଏହା ବ୍ୟତୀତ ପରିବାର ଭିତରେ ସେମିତି କୌଣସି କାରଣକୁ ନେଇ ଅଶାନ୍ତି ନଥିଲା କିମ୍ବା ସୁବାସ ଆତ୍ମହତ୍ୟା କରିବା ପାଇଁ ଯାଉଥିବା ନେଇ ସାମନ୍ୟତମ ସୁରାକ ମଧ୍ୟ ସେ ପାଇନଥିବା ପୋଲିସକୁ କହିଛନ୍ତି ଅପରାଜିତା । ଯଦି ଏ ବାବଦରେ ସୁରାକ ପାଇଥାନ୍ତେ ତେବେ ସେ କେବେ ବି ସ୍ବାମୀଙ୍କୁ ଏକୁଟିଆ ଛାଡ଼ି ଯାଇ ନଥାନ୍ତେ ବୋଲି ମଧ୍ୟ ଅପରାଜିତା ପୋଲିସକୁ କହିଛନ୍ତି ।

ସେପଟେ ଅପରାଜିତାଙ୍କ କଥାକୁ ସହଜରେ ଗ୍ରହଣ କରି ପାରୁନାନାଁନ୍ତି ସୁବାସଙ୍କ ଭାଇ। ଏହା ସମ୍ପୂର୍ଣ୍ଣ ମିଛ । ଯଦି ଭାଇଙ୍କ ଦେହ ଏତେ ଅସୁସ୍ଥ ଥିଲା ତା ହେଲେ ସେ ମେଡିକାଲରେ କାହିଁକି ଭର୍ତ୍ତି ହୋଇନଥିଲେ । ଏହା ନ ହେଇ ସେ ତ କୋର୍ଟ ଆସୁଥିଲେ । ପୋଲିସର ତଦନ୍ତକୁ ଦିଗ ହରା କରିବା ପାଇଁ ଭାଉଜ ଉଦ୍ୟମ କରୁଛନ୍ତି । କିନ୍ତୁ ପୋଲିସ ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି । ପୋଲିସ ଆମକୁ ନିଶ୍ଚିତ ନ୍ୟାୟ ଦେବ କହିଛନ୍ତି ସୁବାସଙ୍କ ସାନ ଭାଇ ସୁବୋଧ ବିହାରୀ ।

ସେପଟେ ସୁବାସ ବିହାରୀ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜ୍ଜୁ କରିବା ପରେ ଅଧିକ କ୍ରିୟାଶୀଳ ହୋଇଛି କମିଶନରେଟ ପୋଲିସ। ଏହି କ୍ରମରେ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି।

"ଏହି ମାମଲାରେ ସୁବାସଙ୍କ ପିଲାମାନଙ୍କ ବୟାନ ମଧ୍ୟ ଅନେକ ଗୁରୁତ୍ବବହନ କରୁଛି । ପୋଲିସ ତାଙ୍କର ଦୁଇ ଝିଅଙ୍କ ସହିତ ସହୃଦୟର ସହ ଆଲୋଚନା କରେ ତାଙ୍କ ପାଖରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଯାଇ ପାରେ। ଆଉ ଏକ ବଡ କଥା ହେଉଛି ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୋବାଇଲ କଲ ଡିଟେଲକୁ ଯଦି ଯାଞ୍ଚ କରାଯାଏ ତେବେ ସେଥିରୁ ମଧ୍ୟ ହୁଏ ତ କିଛି ତଥ୍ୟ ମିଳିପାରେ," କହିଛନ୍ତି ଆଇନଜିବୀ ଅରୁଣ ବୁଦ୍ଧିଆ।
Published by:Soumya Das
First published: