ଆସନ୍ତା କାଲିଠାରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା; ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ

ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା। ସାରା ରାଜ୍ୟରେ ଏଥିପାଇଁ ୧୧୩୩ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୨୦୨ଟି ହବ କରାଯାଇଛି।

ଆସନ୍ତା କାଲିଠାରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା (ପ୍ରତୀକାତ୍ମକ ଛବି)

ଆସନ୍ତା କାଲିଠାରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା। ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା। ପରୀକ୍ଷା ଦେବେ ୩,୨୧,୫୦୮ ପରୀକ୍ଷାର୍ଥୀ। ସାରା ରାଜ୍ୟରେ ଏଥିପାଇଁ ୧୧୩୩ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୨୦୨ଟି ହବ କରାଯାଇଛି। ସକାଳ ୯ ଟାରୁ ଆରମ୍ଭ ହେବ ପରୀକ୍ଷା।

ଦୁଇ ବର୍ଷ ପରେ ଚଳିତବର୍ଷ ହେବ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା। ୨୦୨୦ ରେ ପରୀକ୍ଷା ଅଧାରୁ ବାତିଲ ହୋଇଥିବାବେଳେ ୨୦୨୧ ବର୍ଷ ସମ୍ପୁର୍ଣ୍ଣ ବାତିଲ କରାଯାଇଥିଲା ବୋର୍ଡ଼ ପରୀକ୍ଷା। ଏବର୍ଷ ବିଳମ୍ବରେ ହେଲେ ବି ଅଫଲାଇନ ପରୀକ୍ଷା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏଥର ମୋଟ ୧୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ। କଳାରେ ୨,୧୩,୪୩୨ ଜଣ, ୭୮,୦୭୭ ଜଣ ବିଜ୍ଞାନରେ, ୨୪,୧୩୬ ଜଣ ବାଣିଜ୍ୟରେ ଓ ୫,୮୬୩ ଜଣ ଧନ୍ଦାମୂଳକ ବିଷୟରେ ଦେବେ ପରୀକ୍ଷା। ରାଜ୍ୟର ୨୦୨ ହବରେ ପ୍ରଶ୍ନପତ୍ର ମହଜୁଦ ରହିଥିବାବେଳେ ଆସନ୍ତାକାଲି ୮ ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ସେହିଭଳି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ କୋଭିଡ଼ ୧୯କୁ ନଜରରେ ରଖି ବସିବା ବ୍ୟବସ୍ଥା କରାଯାଇଛି। ଖରାକୁ ଆଖିରେ ରଖି କେନ୍ଦ୍ରରେ ପାଣି ଓ ଅନ୍ୟାନ୍ୟ ଫାଷ୍ଟ ଏଡ଼ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପାଇଁ କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଶେଷ ହୋଇଥିବା ସେଣ୍ଟର ଇନଚାର୍ଜ କହିଛନ୍ତି।

"ଆସନ୍ତାକାଲି ୨୮ ଓ ୨୯ ରୁ ରାଜ୍ୟରେ ଯୁକ୍ତ ୨ ଓ ମାଟ୍ରିକ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଗଣଶିକ୍ଷା ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ବିଶେଷ କରି ଖରାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି,"କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

"ବିଜେବି କଲେଜରେ ୧୭ଶହ ପିଲା ପରୀକ୍ଷା ଦେବେ। ୫ଟି କଲେଜ ଏଠି ଟ୍ୟାଗ ହୋଇଛି। ହବରେ ପ୍ରଶ୍ନ ପତ୍ର ରହିଛି। ସୁରକ୍ଷାର ସହ ଆମେ କାଲି ସକାଳୁ ସବୁ ସେଣ୍ଟରକୁ ପଠାଇବୁ। ଅନ୍ୟାନ୍ୟ ବ୍ୟବସ୍ଥା ନିୟମ ଅନୁଯାୟୀ ହୋଇଛି," କହିଛନ୍ତି ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲର ସେଣ୍ଟର ଇନଚାର୍ଜ ରଂଜନ ବଳ।

ପ୍ରଥମ ଦିନରେ ସାହିତ୍ୟ ବା ଓଡ଼ିଆ ବିଷୟ ପରୀକ୍ଷା ହେବ। ସକାଳ ୯ ଟା ରୁ ୧୨ ଟା ହେବ ପରୀକ୍ଷା। ୮ଟା ରୁ ୮.୩୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ କେନ୍ଦ୍ରକୁ ଛଡ଼ାଯିବ। ଛାତ୍ରଛାତ୍ରୀ ସାଙ୍ଗରେ କେବଳ ଆଡ଼ମିଟକାର୍ଡ଼, ବ୍ଲାକ ବଲ ପେନ, ପାଣି ବୋତଲ ଓ ସାନିଟାଇଜର ନେଇ ଯାଇ ପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ଜିନିଷ ଘଣ୍ଟା ହେଉ କି ମୋବାଇଲ କି ପରୀକ୍ଷା ବୋର୍ଡ଼ ନେଇପାରିବେ ନାହିଁ। ଏପରିକି କମ୍ପାସ ବକ୍ସ ବା ପେନ୍ସିଲ ବକ୍ସ ମଧ୍ୟ ନେଇପାରିବେ ନାହିଁ। ତେବେ ଅଫଲାଇନ ପରୀକ୍ଷା ହେବା ନିହାତି ଆବଶ୍ୟକ ଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି। ପରୀକ୍ଷା ପାଇଁ ଯଥେଷ୍ଟ ସମୟ ମିଳିଥିବାରୁ ପରୀକ୍ଷା ଭଲ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

"ଆମ ପରୀକ୍ଷା ହେଉଥିବାରୁ ଆମେ ଖୁସି ଅଛୁ। ଲମ୍ବା ସମୟ ଧରି ପରୀକ୍ଷା ହେବ ତ ପ୍ରସ୍ତୁତି ପାଇଁ ଅନେକ ସମୟ ମିଳିବ। ସକାଳୁ ପରୀକ୍ଷା ହୋଇ ୧୨ଟାରେ ସରିବ। ପରୀକ୍ଷା ପାଇଁ ପ୍ରସ୍ତୁତି ଭଲ ହୋଇଛି ଆଶା କରୁଛି ଭଲ କରିବି,"କହିଛନ୍ତି ପରୀକ୍ଷାର୍ଥୀ ସୁଚିସ୍ମିତା ବେହେରା।

ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ସମ୍ପୂର୍ଣ୍ଣ ୧୦୦ ମାର୍କର ହେବ ପରୀକ୍ଷା। ଲେଖିବା ପାଇଁ ୨୮ ପୃଷ୍ଠା ସମ୍ବଳିତ ଉତ୍ତର ଖାତା ଦିଆଯିବ। ଏହା ବ୍ୟତୀତ ଆଡ଼ିସନାଲ ପେପର ଦିଆଜିବନାହିଁ। ସି.ଏଚ.ଏସ.ଇ ନିୟମ ଅନୁଯାୟୀ ପରୀକ୍ଷା ହେବ।
Published by:Soumya Das
First published: