News18 Odia Digital
ଭୁବନେଶ୍ୱର: ଭୁବନେଶ୍ବର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ରିଜର୍ଭ ଅଫିସ ପରିସରରେ ଥିବା ଡାକ୍ତରଖାନାରେ ଏକ Physiotherapy and Rehabilitation କେନ୍ଦ୍ରର ଶୁଭ ଉଦ୍ଦଘାଟନ ହୋଇଯାଇଛି । ଏହି ଉଦଘାଟନ ପର୍ବରେ ଭୁବନେଶ୍ବର-କଟକ ପୁଲିସ କମିଶନରେଟର କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଉଦ୍ଦଘାଟନ କରିଥିଲେ।
ଏହି ନୂତନ କେନ୍ଦ୍ର ଉଦଘାଟନ ଦ୍ବାରା ଭୁବନେଶ୍ବର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀମାନେ ଉପକୃତ ହେବେ। ପୋଲିସ ବିଭାଗରେ ଅତ୍ୟଧିକ କାର୍ଯ୍ୟାଭାର ଯୋଗୁଁ ପୋଲିସ କର୍ମଚାରୀ ମାନେ ପ୍ରାୟତଃ ବିଭିନ୍ନ ପ୍ରକାର ଶାରୀରିକ ରୋଗର ସମ୍ମୁଖୀନ ହୋଇଥାନ୍ତି। ଏହି କାରଣ ହେତୁ ସେମାନେ ଏକ ସୁସ୍ଥ ଜୀବନ ଯାପନ କରିବାରେ ସମ୍ପୂର୍ଣ ଅସମର୍ଥ ହୋଇପଡୁଛନ୍ତି। ଏହି କେନ୍ଦ୍ର ସେମାନଙ୍କ ଶାରୀରିକ ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କୁ ଏକ ସୁସ୍ଥ ଜୀବନ ଯାପନରେ ସହାୟକ ହେବ ।
ଏହି ଉଦଘାଟନ ପର୍ବ ଅବସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡକ୍ଟର ଦେବାଶିଷ ସାମନ୍ତରାୟ ଓ ତାଙ୍କ ସହକର୍ମୀବୃନ୍ଦ ଯୋଗଦେଇ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ଗତ ୧୭.୦୪.୨୦୨୨ ରିଖରେ ଫିଟ ପିଏସ, କ୍ଲିନ ପିଏସ ଅଭିଯାନ କ୍ରମରେ ପୋଲିସ ରିଜର୍ଭ ଠାରେ ଅନୁଷ୍ଠିତ ହୋଇଯାଇଥିବା ଶାରୀରିକ ଦକ୍ଷତା ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇଥିବା ପୋଲିସ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଦକ୍ଷତା ଭିତ୍ତିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ ଅତିରିକ୍ତ ପୁଲିସ କମିଶନର ପ୍ରକାଶ ଚନ୍ଦ୍ର ପାଲ, ସହାୟକ କମିଶନର ମାନସ ରଞ୍ଜନ ଗଡ଼ନାୟକ, ବାଲିଅନ୍ତା ଥାନାର ଇନ୍ସପେକ୍ଟର୍ ଯୁବରାଜ ସ୍ଵାଇଁ ଓ ଏସଆଇ ସୁଦ୍ଧିର କୁମାର ଦାଶ, ଏୟାରପୋର୍ଟ ଥାନାର ହାବିଲଦାର ସି.ଆର ବିଶ୍ବାଳ ଓ ଓଏପିଏଫ କେ.ଆର ଦୋରା, ନୟାପଲ୍ଲୀ ଥାନାର ମହିଳା କନଷ୍ଟେବଲ ପି.ହେମ୍ବ୍ର ମ, ଭରତପୁର ଥାନାର କନଷ୍ଟେବଲ ବି.ଆର ହାଁସଦା ଓ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ପ୍ରମୁଖ । ଲକ୍ଷ୍ମୀସାଗର ଥାନା ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର କ୍ଲିନ ପିଏସ ଆଣ୍ଡ ଫିଟ ପିଏସ ଭାବରେ ମନୋନିତ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।