ଲୋପ ପାଇବାକୁ ବସିଛି ଗଞ୍ଜାମର ଲୋକ କଳା ବାଘ ନାଚ (ପ୍ରତୀକାତ୍ମକ ଛବି)
News18 Odia Digital
ଗଞ୍ଜାମ: ବାଘନାଚ ହେଉଛି ଗଞ୍ଜାମ ଜିଲ୍ଲାର ଏକ ପୂରାତନ ଲୋକ କଳା । ଦିନ ଥିଲା ଗାଁ ଗାଁରେ ପର୍ବପର୍ବାଣି ହେଲେ ଦେଖିବାକୁ ମିଳୁଥିଲା ବାଘନାଚ । କିନ୍ତୁ ଆଜିର ଆଧୁନିକ ସମୟରେ ପୁରାତନ କଳା ଐତିହ ଲୋପ ପାଇବାକୁ ବସିଲାଣି। ଏବେ ଆଉ ଦେଖିବାକୁ ମିଳୁନାହିଁ ସେହି ପୂରାତନ ବାଘନାଚ।
ଦିନ ଥିଲା ସହର ଠାରୁ ଆରମ୍ଭ କରି ଗାଁ ଗହଳିରେ ଯାନି ଯାତରା ହେଲେ ଦେଖିବାକୁ ମିଳୁଥିବା ବର୍ଷ ବର୍ଷ ର ପୁରାତନ ପରମ୍ପରା ବାଘନାଚ । ଖାଲି ସେତକି ନୁହଁ ଗାଁ କୁ କୌଣସି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଆଗମନ ହେଲେ ସେମାନଙ୍କୁ ପାଛୋଟିବା ପାଇଁ ବାଦ୍ୟରେ ତାଳେ ତାଳେ ଗାଁ ଗାଁରେ ବାଘନାଚ ପ୍ରଦର୍ଶିତ ହେଉଥିଲା। ଏମିତି କି ଏହା ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାଥିବା ବେଳେ ବାଘ ଷଣ୍ଡ ଲଢେଇ ଦୃଶ୍ୟ ଥିଲା ବେଶ ନିଆରା। ହେଲେ କିନ୍ତୁ ଅତି ଦୁଃଖର ବିଷୟ ଯେ ଆଜିର ଡିଜେ ଯୁଗରେ ବର୍ଷ ବର୍ଷର ଲୋକକଳା ହଜିଯିବାକୁ ବସିଛି।
“ ଏହି କଳାକୁ ବଞ୍ଚାଇ ରଖିବାକୁ ହେଲେ ଜିଲ୍ଲା ପ୍ରଶାସନ ହେଉ ବା ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନଜର ଦେବାର ଆବଶ୍ୟକତା ରହିଛି । ଯାହା ଫଳରେ ବାଘ ନାଚ ବଞ୍ଚି ରହିବା ସହ କଳାକାରମାନେ ମଧ୍ୟ ନିଜର ପେଟ ପୋଷିବାରେ ସକ୍ଷମ ହୋଇପାରିବେ," କହିଛନ୍ତି କଳାକାର ବୁଦ୍ଧିରାମ ସାହୁ।
ସତେ ଯେମିତି ଜନମାନସରୁ ଏହି ଲୋକ କଳା ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ସରକାରୀ ସ୍ଥରରେ ଏହାକୁ ବଞ୍ଚାଇ ରଖିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବାର କଳାକାରମାନେ ଅଭିଯୋଗ କରିଛନ୍ତି। ଏହି ବାଘ ନାଚର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ସରକାର ନଜର ଦେବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ପିଢ଼ି ବେଳକୁ ଏହା ଲୋପ ପାଇଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛି।
କିନ୍ତୁ ଏହି ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । "ଗାଁ ଗାଁରେ ଏହି କଳାକୁ ବଜାୟ ରଖିବା ପାଇଁ ଲୋକଙ୍କୁ ସଚେତନତା କରାଯିବ,"କହିଛନ୍ତି ଜିଲ୍ଲାପାଳ ଅମୃତ କୁଲାଙ୍ଗେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।