News18 Odia Digital
ଢେଙ୍କାନାଳ: ଢେଙ୍କାନାଳ କପିଳାସ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ଚାରିଲେନ ବିଶିଷ୍ଟ ରେଳପଥ ଉପରେ ନିର୍ମାଣ ହେବ ଓଭରପାସ। ଯେଉଁ ରାସ୍ତାଦେଇ ସୁରକ୍ଷିତ ଭାବେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ପାର ହେବେ। ଏହା ଦ୍ୱାରା ରେଳ ଦୁର୍ଘଟଣାରେ ପ୍ରାଣ ହରାଉଥିବା ହାତୀ ମୃତ୍ୟୁ ସଂଖ୍ୟାରେ ରୋକ ଲାଗିବ। ଏଥିପାଇଁ ଜଙ୍ଗଲ ବିଭାଗ ଓ ପୂର୍ବତଟ ରେଳପଥ ସମନ୍ୱୟରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ।
ରାଜ୍ୟରେ ପ୍ରଥମଥର ପାଇଁ ହାତୀ ଓ ଅନ୍ୟ ବନ୍ୟଜନ୍ତୁମାନଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ରେଳଧାରଣା ଉପରେ ଓଭରପାସ ରାସ୍ତା। ଏଥିପାଇଁ ନ୍ୟାସନାଲ ବୋର୍ଡ଼ ଅଫ ୱ।ଇଲ୍ଡ ଲାଇଫ ଅନୁମୋଦନ କରିସାରିଛି। ଏହି ଓଭରପାସିଙ୍ଗ ଢେଙ୍କାନାଳ କପିଳାସ ଅଭୟାରଣ୍ୟ ଦେଇ ଯାଇଥିବା ରେଳ ଧାରଣା ଉପରେ ନିର୍ମାଣ କରାଯିବ।
ଏହି ଓଭରପାସିଙ୍ଗ ତିଆରି ହେଲେ ଟ୍ରେନ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା କମ ହେବ। ଅନ୍ୟ ବନ୍ୟଜନ୍ତୁ ମଧ୍ୟ ଏହି ଓଭରପାସିଂ ଦେଇ ସୁରକ୍ଷିତ ଭାବେ ଯାତାୟତ କରିପାରିବେ । ଢେଙ୍କାନାଳ ଯୋରନ୍ଦା ରେଳ ଷ୍ଟେସନ ଓ ରାଜ ଆଠଗଡ଼ ଷ୍ଟେସନର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ନିର୍ମାଣ ହେବ। ୧୦୦ମିଟର ଚଉଡ଼ାର ଏହି ରାସ୍ତାରେ ଏକା ସାଙ୍ଗରେ ୨୫ରୁ ୩୦ ହାତୀପଲ ଯିବା ଆସିବା କରିପାରିବେ।
ଉଭୟ ଜଙ୍ଗଲ ବିଭାଗ ଓ ରେଳବିଭାଗର ମିଳିତ ସମନ୍ୱୟରେ ଏହି ରେଳ ଓଭରପାସିଙ୍ଗ କରାଯିବ। ଗତ ୨୦୧୬ ମସିହାରୁ ୨୦୨୧ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ୪୦୬ ହାତୀ ପ୍ରାଣ ହରାଇଥିବା ବେଳେ କେବଳ ଟ୍ରେନ ଦୁର୍ଘଟଣାରେ ୧୪ହାତୀ ଙ୍କର ପ୍ରାଣ ଯାଇଛି। ତାକୁ ଆଖି ଆଗରେ ରଖି ହାତୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ରାଜ୍ୟରେ ପ୍ରଥମ କରି ନିଆଯାଇଛି। ଏହି ଓଭରପାସିଙ୍ଗରେ ହାତୀଙ୍କ ସମେତ ଅନ୍ୟ ବନ୍ୟଜନ୍ତୁଙ୍କୁ ସୁହାଇଲା ଭଳି ଜଙ୍ଗଲୀୟ ପରିବେଶ ସୃଷ୍ଟି କରାଯିବ।
"ରେଳ ଓଭରପାସିଙ୍ଗ ହେବାପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଗତ ୨୦୧୨ ମସିହାରେ ଟ୍ରେନ ଦୁର୍ଘଟଣାରେ ଏକ ଦନ୍ତାହାତୀ ପ୍ରାଣ ହରାଇଥିଲା। ହାତୀଙ୍କ ସମେତ ଅନ୍ୟ ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଓ ରେଳବିଭାଗ ନିଆଯାଇଥିବା ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ। ଜିଲ୍ଲାର ଅନ୍ୟ ଯେଉଁ ସ୍ଥାନ ମାନଙ୍କରେ ହାତୀପଲ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ରେଳଧାରଣା ପାର ହେଉଛନ୍ତି ସେହି ସବୁ ସ୍ଥାନକୁ ଚିହ୍ନଟ କରାଯାଇ ଓଭରପାସିଙ୍ଗ କିମ୍ବା ଅଣ୍ଡରପାସିଂ ରାସ୍ତା ନିର୍ମାଣ କରାଯିବା ଉଚିତ,"କହିଛନ୍ତି ପରିବେଶବିତ ଶିଶିର ଶତପଥୀ।
"ଆସନ୍ତା ଚାରିମାସ ଭିତରେ ଏହି ଓଭରପାସିଙ୍ଗ କାମ ଆରମ୍ଭ ହେବା ନେଇ ଆଶାବାଦୀ ରହିଛି ଜଙ୍ଗଲ ବିଭାଗ।ପୂର୍ବତଟ ରେଳପଥ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ କରାଯିବ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହୋଇନାହିଁ।ଆଗାମୀ ଦୁଇବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହେବ," କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।