ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁରରେ କାୟା ମେଳାଉଛି ଡେଙ୍ଗୁ; କାମ ଦେଉନି ସଫେଇ ଓ ସଚେତନତା

ବ୍ରହ୍ମପୁରରେ କାୟା ମେଳାଉଛି ଡେଙ୍ଗୁ; କାମ ଦେଉନି ସଫେଇ ଓ ସଚେତନତା

ବ୍ରହ୍ମପୁରରେ ଦିନକୁ ଦିନ ମାଡ଼ି ଚାଲିଛି ଡେଙ୍ଗୁର ପ୍ରାଦୁର୍ଭାବ। ସଚେତନତା ଓ ସଫେଇ ପରେ ବି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କମୁନଥିବା ନେଇ ସହରବାସୀ ଚିନ୍ତିତ ହୋଇପଡୁଛନ୍ତି ।

ବ୍ରହ୍ମପୁରରେ କାୟା ମେଳାଉଛି ଡେଙ୍ଗୁ; କାମ ଦେଉନି ସଫେଇ ଓ ସଚେତନତା
ଆଶାକର୍ମୀମାନେ ବୁଲି ବୁଲି ସଚେତନ କରୁଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2021, 7:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁରରେ ଦିନକୁ ଦିନ ମାଡ଼ି ଚାଲିଛି ଡେଙ୍ଗୁର ପ୍ରାଦୁର୍ଭାବ। ସଚେତନତା ଓ ସଫେଇ ପରେ ବି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କମୁନଥିବା ନେଇ ସହରବାସୀ ଚିନ୍ତିତ ହୋଇପଡୁଛନ୍ତି ।

କରୋନା ମହାମାରୀ ସାଙ୍ଗକୁ ଡେଙ୍ଗୁର ପ୍ରାଦୁର୍ଭାବ ବ୍ରହ୍ମପୁର ସହରବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ଯେକୌଣସି ସଚେତନତା କାର୍ଯ୍ୟକ୍ରମ ଆପଣା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। କମିବା ବଦଳରେ ଦିନକୁ ଦିନ ସହରରେ ବଢ଼ି ବଢ଼ି ଚାଲିଲାଣି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା । ଏପରିକି ସହରର ପ୍ରତ୍ୟେକ ଓ୍ବାର୍ଡ଼ରୁ ଚିହ୍ନଟ ହୋଇସାରିଲେଣି ଡ଼େଙ୍ଗୁ ରୋଗୀ । ସହରର ପ୍ରତ୍ୟେକ ସାହି ଗଳିରେ ରହିଥିବା ନର୍ଦ୍ଧମା ଗୁଡ଼ିକ ନିୟମିତ ଭାବେ ସଫେଇ କରାଯାଉନାହିଁ ।

ସେହିପରି ଟିଫା ମେସିନ ତଥା ଡ଼େଙ୍ଗୁ ରୋଗର ନିରାକରଣ ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉନାହିଁ । ଯାହାଫଳରେ ଦିନକୁ ଦିନ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ସହରବାସୀ ସମ୍ପୂର୍ଣ୍ଣ ରୂପେ ଭୟଭୀତ ଅଛନ୍ତି ।

ବ୍ରହ୍ମପୁର ସହରର ଡ୍ରେନର ଅବସ୍ଥା (ପ୍ରତୀକାତ୍ମକ ଛବି)


"ଡ଼େଙ୍ଗୁ ରୋଗକୁ ରୋକିବା ଲାଗି ଯେଉଁ ସବୁ ପଦକ୍ଷେପ ଆବଶ୍ୟକ ତାହାକୁ ବିଏମସି ନେବାର ଅସଫଳ ହୋଇଥିବା ଯୋଗୁଁ ସହରରେ ଏଭଳି ଡ଼େଙ୍ଗୁ କାୟା ବିସ୍ତାର କରିଥିବା କହିଛନ୍ତି ସହରବାସୀ । ସେପଟେ ଡ଼େଙ୍ଗୁ ନିୟନ୍ତ୍ରଣରେ ରହିଥିବା ବେଳେ ସଚେତନତା, ସଫେଇ କାର୍ଯ୍ୟକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି," କହିଛନ୍ତି ବିଏମସି କମିଶନର ।

‘‘ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ଡ଼େଙ୍ଗୁ। ଗତ ଦୁଇ ମାସ ହେଲା ବ୍ରହ୍ମପୁର ସହରରେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବିଏମସି ମଧ୍ୟ ସେ ଅନୁସାରେ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । କାରଣ ଡ଼େଙ୍ଗୁ ରୋଗ ବୃଦ୍ଧି ହେବାରେ ଯେଉଁ ସବୁ କାରଣ ରହୁଛି ତାହାକୁ ସମାଧାନ କରିବା ଦିଗରେ ବିଏମସି ଆବଶ୍ୟକ ପଦକ୍ଷେପ ନେଉନାହିଁ । ବର୍ତ୍ତମାନ ସହରର ବହୁ ସାହି ଗଳିରେ ରହିଥିବା ନାଳ ନର୍ଦ୍ଧମା ଗୁଡ଼ିକ ସଫେଇ ନ ହୋଇ ସେଭଳି ପଡ଼ିରହିଛି । ଯାହାଫଳରେ ଏଡ଼ିସ ମଶା ବୃଦ୍ଧି ହେବା ସହିତ ଡ଼େଙ୍ଗୁ ରୋଗକୁ ବ୍ୟାପିବାରେ ବେଶ ସହାୟକ ହେଉଥିବା କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା କାହ୍ନ ପତି ।

‘‘ଡ଼େଙ୍ଗୁ ରୋଗରୁ ସହରବାସୀଙ୍କୁ ମୁକ୍ତ କରିବା ନିମନ୍ତେ ଟିଫା ମେସିନକୁ ମଧ୍ୟ ନିୟମିତ ଭାବେ ସହରରେ ବୁଲାଯାଉନାହିଁ । ଯାହାଫଳରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ସହରରେ ବୃଦ୍ଧି ପାଉଛି । ଏହାଛଡ଼ା ସହରବାସୀଙ୍କ ମଧ୍ୟ ଡ଼େଙ୍ଗୁର କାରଣ ଓ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆଖିଦୃଶିଆ ହେଉନାହିଁ । ଡ଼େଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଯେଉଁଦିନ ସହରରେ ଆରମ୍ଭ ହେଉଛି ବିଏମସି ପକ୍ଷରୁ କେବଳ ସେଦିନ ହିଁ ସହରର କିଛି ସାହିରେ ଲୋକଙ୍କୁ ସଚେତନ କରାଯାଇ ବନ୍ଦ କରି ଦିଆଯାଉଛି । ଯାହାଫଳରେ ଲୋକେ ଡ଼େଙ୍ଗୁ ପ୍ରତି ସଚେତନ ନ ହେବା ଯୋଗୁଁ ଡ଼େଙ୍ଗୁ ରୋଗ ବୃଦ୍ଧି ହେଉଛି । ତେଣୁ ଡ଼େଙ୍ଗୁ ରୋଗୀର ବ୍ୟାପିବାକୁ ରୋକିବା ନିମନ୍ତେ ବିଏମସି ତୁରନ୍ତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ସୁନୀଲ କୁମାର ପାତ୍ର ।

ଡେଙ୍ଗୁ ରୋକିବା ପାଇଁ ସହରର ଧୂଆଁର ବ୍ଯବସ୍ଥା କରାଯାଇଛି (ପ୍ରତୀକାତ୍ମକ ଛବି)


ଗଞ୍ଜାମ ଜିଲ୍ଲାରେ ଗତକାଲି ସୁଦ୍ଧା ୧୬୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ୬୨ ଜଣ ଡ଼େଙ୍ଗୁ ରୋଗୀ ବ୍ରହ୍ମପୁରରୁ ଚିହ୍ନଟ ହୋଇଛନ୍ତି । ସହରର ୪୦ଟି ଓ୍ବାର୍ଡ଼ରୁ ପ୍ରାୟ ପ୍ରତ୍ୟେକ ଓ୍ବାର୍ଡ଼ରୁ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଏଭଳି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଛି ।

‘‘ବ୍ରହ୍ମପୁର ସହରରେ ଡ଼େଙ୍ଗୁ ରୋଗ ନିୟନ୍ତ୍ରଣରେ ରହିଛି। ଡ଼େଙ୍ଗୁର କାରଣ ଓ ନିରାକରଣ ସହିତ ଯେଉଁମାନେ ଡ଼େଙ୍ଗୁ ପିଜିଟିଭ ରହିଛନ୍ତି ସେମାନଙ୍କର ମଧ୍ୟ କିଭଳି ଭାବେ ଚିକିତ୍ସା କରାଯାଇ ସୁସ୍ଥ କରାଯିବ ସେ ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି । ଲୋକେ ସଚେତନ ହେବା ସହିତ ବିଏମସିକୁ ଯଦି ସହଯୋଗ କରିବେ ତେବେ ଖୁବଶୀଘ୍ର ଡ଼େଙ୍ଗୁ ସହରରେ ସମ୍ପୂର୍ଣ୍ଣ ରୂପେ କମ ହେବ ବୋଲି କହିଛନ୍ତି,‘‘ ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

ବ୍ରହ୍ମପୁରରେ କାୟା ବିସ୍ତାର କଲାଣି ଡେଙ୍ଗୁ। ଖୁବଶୀଘ୍ର ଯଦି ସଚେତନତା କାର୍ଯ୍ୟକ୍ରମକୁ ବୃଦ୍ଧି କରାଯିବା ସହିତ ଆବଶ୍ୟକ ନିରାକରଣ ପାଇଁ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ଡ଼େଙ୍ଗୁର ଉଗ୍ର ରୂପ ସହରରେ ଦେଖିବାକୁ ମିଳିପାରେ ।
Published by: Soumya Das
First published: October 18, 2021, 7:27 PM IST