ଚିନ୍ତା ବଢ଼ାଉଛି ଜୈବିକ ଖତ କାରଖାନା; ବିରୋଧ କରୁଛନ୍ତି ସିଡିଏ ବାସିନ୍ଦା

କଟକ ସିଡିଏ ୭ ନମ୍ବର ଅଞ୍ଚଳରେ ଉଦଘାଟିତ ହୋଇଥିବା ଜୈବିକ ଖତ କାରଖାନା ଏବେ ସିଡିଏ ବାସୀଙ୍କ ପାଇଁ ପାଲଟି ଯାଇଛି ଅଭିଶାପ । ଜନବସତି ଭିତରେ ସ୍ଥାପିତ ଏହି କାରଖାନାକୁ ଏବେ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳବାସୀ।

ଜୈବିକ ଖତ କାରଖାନା ସିଡିଏ ବାସିନ୍ଦାଙ୍କ ଚିନ୍ତା ବଢ଼ାଉଛି (ପ୍ରତୀକାତ୍ମକ ଛବି)

ଜୈବିକ ଖତ କାରଖାନା ସିଡିଏ ବାସିନ୍ଦାଙ୍କ ଚିନ୍ତା ବଢ଼ାଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ସିଡିଏ ବାସୀଙ୍କୁ ଡ଼ରାଉଛି ସରକାରୀ ପ୍ରକଳ୍ପ । ଘରେ ତ ରହିବା ଦୂରର କଥା ବାହାରେ ବୁଲିବା ମଧ୍ୟ କଷ୍ଟ ହୋଇ ପଡୁଛି । ୩ ମାସ ତଳେ କଟକ ସିଡିଏ ୭ ନମ୍ବର ଅଞ୍ଚଳରେ ଉଦଘାଟିତ ହୋଇଥିବା ଜୈବିକ ଖତ କାରଖାନା ଏବେ ସିଡିଏ ବାସୀଙ୍କ ପାଇଁ ପାଲଟି ଯାଇଛି ଅଭିଶାପ ।

ସିଲଭର ସିଟିରେ ପରିମଳ ଦିଗରେ ବିକାଶ ପାଇଁ ମହାନଗର ନିଗମ ନେଉଛି ଅନେକ ପଦକ୍ଷେପ । ସହରରେ କିପରି ସୌନ୍ଦର୍ଯ୍ୟକରଣର ବିକାଶ ହେବ ସେନେଇ ମଧ୍ୟ ଜାରି ରହିଛି ମେଗା ବ୍ଲୁ ପ୍ରିଣ୍ଟ। କିନ୍ତୁ ଏହି ଜୈବିକ ଖତ କାରଖାନା ଯୋଗୁଁ  ନା ଘରେ ରହି ହେଉଛି ନା ବାହାରେ । ଚାରିଆଡ଼େ ଦୁର୍ଗନ୍ଧ ହିଁ ଦୁର୍ଗନ୍ଧ । ଏହି ଖତ କାରଖାନାରୁ ବାହାରୁ ଥିବା ଦୁର୍ଗନ୍ଧ ସାଙ୍ଗକୁ ଭଣଭଣ ପୋକ ଜୋକରେ ଅଣ ନିଶ୍ୱାସୀ ହେଉଛନ୍ତି ସିଡିଏର ୬,୭,୮ ଓ ୯ ସେକ୍ଟର ର ପାଞ୍ଚ ଶହରୁ ଉର୍ଦ୍ଧ୍ବ ପରିବାର।

ବିଶେଷକରି ବିତ୍ତଶାଳୀ ଅଞ୍ଚଳ ବୋଲାଉଥିଲା ଏହି 'ସାଟେଲାଇଟ' ସିଟିର ବାସ୍ତବ ସ୍ଥିତି ଏବେ ସଙ୍ଗୀନ। ଜନବସତି ଭିତରେ ସ୍ଥାପିତ ଏହି କାରଖାନାକୁ ଏବେ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳବାସୀ। ସିଡିଏ ବାସିନ୍ଧା କମଳାକାନ୍ତ ଦାସ କହିଛନ୍ତି," ବାରମ୍ବାର ମହାନଗର ନିଗମର କତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ"। ତେଣୁ ତୁରନ୍ତ ଏହାକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ।

ବର୍ଜ୍ୟବସ୍ତୁ ଓ ଘରୁ ବାହାରୁଥିବା ଅଳିଆରୁ ଜୈବିକ ଖତ ପ୍ରସ୍ତୁତ କରିବାକୁ ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସରେ ଏହି କାରଖାନା କୁ ସିଡିଏ ୭ ନମ୍ବର ଅଞ୍ଚଳରେ ଶୁଭାରମ୍ଭ କରିଥିଲା କଟକ ମହାନଗର ନିଗମ । କିନ୍ତୁ  ୩ ମାସ ନପୁରୁଣୁ  ପ୍ରକଳ୍ପର ପ୍ରତିକୂଳ ପ୍ରଭାବରେ ଘାଣ୍ଟି ହେଲେଣି ସ୍ଥାନୀୟ ବସିନ୍ଦା । ତେବେ କାରଖାନା ନିର୍ମାଣ ବେଳେ ଏହାର ନକ୍ସାରେ କିଛି ତ୍ରୁଟି ରହିଛି ଓ ଏହାର ନିରାକରଣ କରାଯିବା ସହ ଜନସାଧାରଣଙ୍କ ଦାବି ଅନୁସାରେ ଖୁବଶୀଘ୍ର ଏହାର ସମାଧାନ ମଧ୍ୟ କରାଯିବା ବୋଲି  କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ।

କଟକ ବାସୀଙ୍କ ହିତ ପାଇଁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଏବେ ଅହିତ ଦିଗରେ ଗତି କରୁଛି । ତେବେ ଏହି ଦିଗରେ ମହାନଗର ନିଗମ କେବେ ଦୃଷ୍ଟି ଦେଉଛି ତାହା ଉପରେ ହିଁ ସମସ୍ତଙ୍କ ନଜର ରହିଛି।
Published by:Soumya Das
First published:
)}