News18 Odia Digital
ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କ୍ରମରେ ଆଜି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୬ ଜଣଙ୍କ ମଧ୍ୟରେ ନଗର ଉନ୍ନୟନ ବିଭାଗର ୩ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର, ଜଣେ ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜଣେ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି। ଏହି ୬ ଜଣଙ୍କୁ ମିଶାଇ ଏଯାବତ ୧୫୮ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାଣି। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ସନ୍ତୋଷଜନକ ନଥିବା ବେଳେ ତାଙ୍କର ଟ୍ରାକ ରେକର୍ଡ଼ ଭଲ ନଥିଲା। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଦୟାନିଧି ସାମଲଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନଥିବା ବେଳେ ଅପାରଗତା ଓ ଅସାଧୁତା କାରଣରୁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି।ବକାର୍ଯ୍ୟନିର୍ବାହୀ ଯନ୍ତ୍ରୀ କରୁଣାକର ଘଡ଼ାଇ ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ସେହିପରି ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ମଧ୍ୟ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ଥିଲା। ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କ ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଫେବ୍ରୁଆରୀ ମାସରେ ୧୨ ଜଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଫେବୃଆରୀ ୨ରେ ବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ ବରଖାସ୍ତ କରାଯାଇଥିଲା। ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ଯାହାଦ୍ବାରା କି ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍ସ କେସ୍ ଦାୟର କରିଥିଲେ ।
ଫେବୃଆରୀ ୮ ତାରିଖରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଫେବୃଆରୀ ୧୫ ରେ ୫ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ସେହି ମାସ ୨୧ ତାରିଖରେ ଅତିରିକ୍ତ ଏସପିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।