1430911_EMP_କଟକର ଅଶ୍ମିନୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଜାଞ୍ଚ କରୁଛି ଅଗ୍ନିଶମ ବିଭାଗ 1
News18 Odia Digital
କଟକ: ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । କାହିଁକି ଓ କିପରି ଏହି ଭଳି ବଡ଼ ବଡ଼ ଅଗ୍ନିକାଣ୍ଡମାନ ଘଟୁଛି ଓ ଏହାକୁ ପ୍ରତିହତ କରାଯାଇପାରିବ ବା ନାହିଁ ଏହି ପ୍ରସଙ୍ଗରେ ସମଗ୍ର ଦେଶ ଦେଶ ବ୍ୟାପୀ ମାନସ ମନ୍ଥନ କରାଯାଉ ଥିବା ବେଳେ ଏହି ଘଟଣା ପରେ ତତ୍ପରତା ପ୍ରକାଶ କରିଛି ଓଡ଼ିଶା ଅଗ୍ନିଶମ ବିଭାଗ ।
ରାଜ୍ୟରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଅଟାଳିକା ସମେତ ଶିକ୍ଷା ନୁଷ୍ଠାନ ଭଳି ବଡ଼ ବଡ଼ ବହୁ ତଳ ବିଶିଷ୍ଟ କୋଠାଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ଏହି କ୍ରମରେ ଅଗ୍ନିଶମ ବିଭାଗ ପକ୍ଷରୁ ରବିବାର ଦିନ କଟକର ଅଶ୍ୱିନୀ ହସ୍ପିଟାଲରେ ସେଠାକାର ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଛି। ହସ୍ପିଟାଲରେ ଲାଗିଥିବା ଅଗ୍ନି ନିରାପତ୍ତା ସମ୍ପର୍କିତ ବିଭିନ୍ନ ଉପକରଣ ଯଥା ସ୍ମୋକ୍ ଡିଟେକ୍ଟର, ସ୍ପ୍ରିଙ୍କଲର, ଫାୟର ଏକ୍ସଟିଂଓ୍ବିସର ଓ ହୋସ ପାଇପ ଇତ୍ୟାଦିକୁ ଯାଞ୍ଚ କରାଯିବା ସହ ଅଗ୍ନି ମୁକାବିଲା ନେଇ ହସ୍ପିଟାଲ କର୍ମଚାରୀଙ୍କ ଅଭିଜ୍ଞତାକୁ ମଧ୍ୟ ପରଖା ଯାଇଥିଲା।
ରାଜ୍ୟ ବ୍ୟାପି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଶନିବାର ଦିନ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ମୁତାବକ ରାଜ୍ୟର ବିଭିନ୍ନ ସରକାରୀ, ବେସରକାରୀ ଅଟାଳିକା ସମେତ ଶିକ୍ଷା ନୁଷ୍ଠାନ ଗୁଡ଼ିକରେ ଓଡ଼ିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ ୨୦୧୭ କିଭଳି ପାଳନ ହେଉଛି ବା ନାହିଁ ନିଜ ନିଜ ଅଞ୍ଚଳରେ ତାହା ଯାଞ୍ଚ କରିବା ପାଇଁ ଅଗ୍ନିଶମ ବିଭାଗ ଅଧିକାରୀମାନଙ୍କୁ କୁହାଯାଇଛି । ଏହା ବ୍ୟତୀତ ବିଭିନ୍ନ ସହରର ପ୍ରମୁଖ ବଜାର ଓ ହାଟ ଭଳି ନିୟମିତ ଗହଳି ହେଉଥିବା ସ୍ଥାନରେ ଅଗ୍ନି ନିରାପତ୍ତାର ବ୍ୟବସ୍ଥା ସ୍ଥିତ ଯାଞ୍ଚ କରାଯିବ । ସମସ୍ତ ରେଞ୍ଜ ଅଗ୍ନିଶମ ଅଧିକାରୀ, ଅତିରିକ୍ତ ଓ ଉପ ଅଗ୍ନିଶମ ଅଧିକାରୀ ମାନେ ଯୁଦ୍ଧ କାଳୀନ ଭିତ୍ତିରେ ଏହି ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସାମାନ୍ୟ ଢିଲାପଣ ଦେଖିବାକୁ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ନିର୍ଦେଶ ଦେଇଛନ୍ତି।
"ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଆମେ ଏହି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛୁ । ପ୍ରଥମ ପର୍ଯ୍ୟାୟରେ ହସ୍ପଟାଲ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଜାଞ୍ଚ କରାଯାଉଛି । ପରବର୍ତ୍ତି ସମୟରେ ସହରରେ ଥିବା ବଡ଼ ବଡ଼ କୋଠା ଗୁଡ଼ିକ ବିଶେଷ କରି କୋଚିଂ ସେଣ୍ଟର, ହଷ୍ଟେଲ, ଲଜ, ହୋଟେଲ, ସିନେମା ହଲ ଓ ମଲ ଇତ୍ୟାଦିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରାଯିବ," କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ସରୋଜ କାନ୍ତ ସାହୁ ।
ଅଗ୍ନିକାଣ୍ଡ ଜନିତ ଅଘଟଣ ଏଡ଼ାଇବା ପାଇଁ ପ୍ରତିଟି ପ୍ରତିଷ୍ଠାନରେ ଜଣେ ଲେଖାଁ ସୁପ୍ରଭାଇଜର କିମ୍ବା ଫାୟାର ଅଫିସର ନିଯୁକ୍ତି ନେଇ ପୂର୍ବରୁ ବିଭାଗ ନିର୍ଦ୍ଦେଶ ଦେଇଥିବାରୁ ତାହାର ମଧ୍ୟ ଜାଞ୍ଚ କରାଯାଉଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରି ରିପୋର୍ଟ ଦେବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।