ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ ଉତ୍ସାହିତ ରାଜ୍ୟ ବିଜେପି; ବିଶେଷଜ୍ଞ କହିଲେ 'ସମୟ ସାପେକ୍ଷ'

ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ନୂଆ ଅଧିକାରୀଙ୍କ ନାମ ଘୋଷଣା କ୍ରମରେ ଓଡ଼ିଶା ପାଇଁ ଏହି ଦୁଇ ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏମାନେ ହେଲେ ରାଜ୍ୟ ପ୍ରଭାରୀ ଶ୍ରୀମତି ଡ଼ି ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ।

ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ ଉତ୍ସାହିତ ରାଜ୍ୟ ବିଜେପି; ବିଶେଷଜ୍ଞ କହିଲେ 'ସମୟ ସାପେକ୍ଷ'
ଓଡ଼ିଶାର ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଶ୍ରୀମତି ଡ଼ି ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର
  • News18 Odia
  • Last Updated: November 15, 2020, 8:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଓଡ଼ିଶା ବିଜେପି ପାଇଁ ଅବସ୍ଥାପିତ ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ ଉତ୍ସ।ହିତ ହୋଇଛି ରାଜ୍ୟ ବିଜେପି । ଦଳ କହିଛି ଆଗକୁ ପୌର ନିର୍ବାଚନ ସହିତ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ୨୦୨୪ ର ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ନୂଆ ଅଧିକାରୀଙ୍କ ନେତୃତ୍ୱରେ ଦଳ ଅଧିକ ଉତ୍ସାହିତ ହୋଇ ଲଢ଼ିବ । ତେବେ ବିରୋଧୀ ଏହା ପ୍ରଭାବହୀନ ହେବ ବୋଲି ମତ ରଖିଥିବା ବେଳେ ରାଜନୀତି ବିଶେଷଜ୍ଞଙ୍କ ମତରେ ଉଭୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ରାଜ୍ୟରେ ବିଜେପିକୁ ସଶକ୍ତ କରିବାକୁ ବହୁ ସମୟ ଲାଗିବ ।

ନିକଟ ଭବିଷ୍ୟତରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ, ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ତଥା ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ମାର୍ଗଦର୍ଶକ ସାଜିବେ ବିଜେପିର ନୂଆ ନିଯୁକ୍ତ ରାଜ୍ୟ ପ୍ରଭାରୀ ଶ୍ରୀମତି ଡ଼ି ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର। ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ନୂଆ ଅଧିକାରୀଙ୍କ ନାମ ଘୋଷଣା କ୍ରମରେ ଓଡ଼ିଶା ପାଇଁ ଏହି ଦୁଇ ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏଥିସହିତ ଲମ୍ବା ସମୟ ଧରି ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ବ ନିର୍ବାହ କରି ଆସିଥିବା ବରିଷ୍ଠ ବିଜେପି ନେତା ଅରୁଣ ସିଂଙ୍କୁ କର୍ଣ୍ଣାଟକ ଓ ରାଜସ୍ଥାନର ପ୍ରଭାରୀ ଭାବେ ଅବସ୍ଥାପିତ କରାଯାଇଛି ।

ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ କହିଛନ୍ତି, "ଦଳ ପାଇଁ ରାଜ୍ୟରେ ନିଯୁକ୍ତ ନୂଆ ମାର୍ଗଦର୍ଶକଙ୍କୁ ନେଇ ସମସ୍ତେ ଉତ୍ସାହିତ । କାରଣ ଉଭୟ ନେତୃତ୍ବ ଅଭିଜ୍ଞତା ସଂପନ୍ନ ଓ ତୃଣମୂଳ ସ୍ତରରେ କାମ କରିବାରେ ସେମାନେ ଅଭ୍ୟସ୍ତ । ତେଣୁ ଏହା ନିଶ୍ଚିତ ଭାବେ ରାଜ୍ୟରେ ଦକକୁ ପ୍ରଗତିଶୀଳ କରିବ । "

ଦଳୀୟ ସୂଚନା ଅନୁସାରେ ୨୦୧୨ ଶେଷ ଭାଗରୁ ରାଜ୍ୟ ପ୍ରଭାରୀ ଭାବେ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ ବିଦାୟୀ ଅରୁଣ ସିଂ । ତାଙ୍କ ମାର୍ଗଦର୍ଶନରେ ପୋୖର ନିର୍ବାଚନ , ପଞ୍ଚାୟତ ନିର୍ବାଚନ ଓ ଦୁଇଟି ସାଧାରଣ ନିର୍ବାଚନ ଲଢିଥିଲା ରାଜ୍ୟ ବିଜେପି । ତୃଣମୂଳ ସ୍ତରରେ ମଧ୍ୟ ଦଳର ଗ୍ରହଣୀୟତା ବଢିଥିଲା । ତେବେ ଦଳୀୟ ଆବଶ୍ୟକତା ଅନୁସାରେ ଅରୁଣ ସିଂ ଙ୍କୁ କର୍ଣ୍ଣାଟକ ଓ ରାଜସ୍ଥାନର ଦାୟିତ୍ୱ ଦିଆଯିବା ସହିତ ଡି. ପୁରନ୍ଦେଶ୍ବରୀ ଓ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ।

ରାଜନୀତି ବିଶେଷଜ୍ଞ ଅକ୍ଷୟ ସାହୁଙ୍କ ମତରେ," ନୂଆକରି ଅବସ୍ଥାପିତ ମାର୍ଗଦର୍ଶକଙ୍କ ପାଇଁ ରାଜ୍ୟ ବିଜେପି ଉତ୍ସାହିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଉଭୟଙ୍କ ମାର୍ଗଦର୍ଶନରେ ତୁରନ୍ତ ଫାଇଦା ମିଳିବ ସେଭଳି ଭାବିବା ଭୁଲ । ଏଥିପାଇଁ ସମୟ ଲାଗିବ । କାରଣ ଉଭୟ ନେତା ତୁଳନାତ୍ମକ ଭାବେ ଓଡ଼ିଶାର ଭୌଗୋଳିକ ଅବସ୍ଥିତି ତଥା ରାଜନୈତିକ ପୃଷ୍ଟଭୂମି ସହିତ ସେତେଟା ପରିଚିତ ନୁହନ୍ତି । ତେବେ ନୂଆ ମାର୍ଗଦର୍ଶକ ଓଡ଼ିଶା ବିଜେପି ପାଇଁ ତୁରନ୍ତ ସେତେଟା ଫଳପ୍ରଦ ହେବ ନାହିଁ ।"

ଅନ୍ୟପକ୍ଷରେ ଏହି ଯୁକ୍ତି ସହିତ ସହମତି ରଖିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ନୁଆ ମାର୍ଗଦର୍ଶକଙ୍କ କାତଟି ସେତେଟା ଫଳପ୍ରଦ ହେବ ନାହିଁ । ଏହା ଅତୀତରେ ପ୍ରମାଣିତ ହୋଇଛି ଓ ଏଥର ବି ଅନୁରୂପ ଭାବେ ପ୍ରତିଫଳିତ ହେବ। " ଅନୌପଚାରିକ ଭାବେ ବିଜେଡି କହିଛି ଏହା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର । ଏବେ ସମସ୍ତଙ୍କ ନଜର ରାଜ୍ୟ ବିଜେପି ର ଏହି ନୂଆ ମାର୍ଗଦର୍ଶକଙ୍କ କାର୍ଯ୍ୟଧାରା ଉପରେ ।
Published by: Jagdish Barik
First published: November 15, 2020, 8:13 PM IST
corona virus btn
corona virus btn
Loading