News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀ ସଂଖ୍ୟା କମିଛି। ଆଉ ବଢିଛି ନିଯୁକ୍ତି। ଜାତୀୟ ସ୍ତରର ଏକ ସର୍ଭେ ରିପୋର୍ଟ ଏଭଳି ତଥ୍ୟ ଦେଇଛି। ଯାହାକୁ ନେଇ ରାଜନୈତିକ ଦଳଗୁଡିକ ପ୍ରତିକ୍ରିୟା ରଖିଛନ୍ତି।
ଓଡ଼ିଶାରେ ବେରୋଜଗାରୀ ୦.୯ ପ୍ରତିଶତ ଥିବା ନେଇ ଏକ ସର୍ଭେ ରିପୋର୍ଟ ଉଲ୍ଲେଖ ରହିଛି। ରିପୋର୍ଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବେରଜଗାରୀ କମ ରହିଛି। ଓଡିଶାରେ ବେକାରୀ ହାର ହ୍ରାସ ପାଇଥିବା ନେଇ ଆସିଥିବା ସର୍ଭେ ରିପୋର୍ଟ ଉପରେ ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇପାରୁଛି। ଇନଭେଷ୍ଟମେଣ୍ଟ ଓଡ଼ିଶାକୁ ଆସୁଛି। ସିଙ୍ଗିଲ ୱିଣ୍ଡ କ୍ଲିୟରାନ୍ସ ମିଳିଛି।ଏମଏସଏମଇ କ୍ଷେତ୍ରରେ ଭଲ ପଦକ୍ଷେପ ନେଉଥିବା ଯୋଗୁଁ ନିଯୁକ୍ତି ମିଳୁଛି ବେକାରୀ କହୁଛି ବୋଲି ବିଜେଡି କହିଛି।
ସେପଟେ ବିଜେପି ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛି। ବିଜେପିର ନିର୍ବାଚନ ପୂର୍ବରୁ ମିଛ ସର୍ଭେ ରିପୋର୍ଟ ଦେଇ ଲୋକଙ୍କୁ ଭ୍ରମିତ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଲୋକଙ୍କ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିବା ବନ୍ଦ କରନ୍ତୁ ସରକାର। ଜାତୀୟ ଇଣ୍ଡେକ୍ସ ଯେତେଥର ଆସିଛି ନବୀନ ପଟ୍ଟନାୟକ ପ୍ରାୟୋଜିତ ଭାବେ ରିପୋର୍ଟ ନିଜ ସପକ୍ଷରେ ଆଣିଛନ୍ତି । ବାସ୍ତବରେ ଯେତିକି ଜାତୀୟ ସ୍ତରର ସଂସ୍ଥା ସର୍ଭେ କରିଛନ୍ତି ଓଡିଶାରେ ବେକାରୀ ହାର ଜାତୀୟ ହାର ଠାରୁ ଅଧିକ ଆସିଛି । ଓଡିଶାରେ ବେକାରୀ ହାର ଅତ୍ୟନ୍ତ ଉଦବେଗ ଜନକ ଏବଂ ଅସହନୀୟ ସ୍ଥିତିରେ ଅଛି।
ବିଜେପି କହିବାନୁସାରେ, ଓଡିଶାରେ ନା ଶିଳ୍ପାୟନ ଅଛି, ନା ନିଯୁକ୍ତି ସୃଷ୍ଟିର ସୁଯୋଗ ଅଛି । ଯାହା ଦ୍ୱାରା ଓଡିଶାର ଯୁବକ ଯୁବତୀ ନିଯୁକ୍ତି ପାଇବେ । ବାହାରେ ଯାଇ ପିଲାମାନେ କାମ କରୁଛନ୍ତି । ରାଜ୍ୟ ସରକାର ଓଡିଶାରେ ନିଯୁକ୍ତି ସୃଷ୍ଟିର ନୈତିକ ଦାୟିତ୍ୱ କେବେ ବି ପାଳନ କରିନାହାଁନ୍ତି। କେବେ ବି ସରକାର ନିଯୁକ୍ତି ଦିଗରେ ଦୃଷ୍ଟି ଦେଇନାହାଁନ୍ତି । ଓଡିଶାରେ ଏକ ଦୁର୍ବିସହ ସ୍ଥିତି ରାଜ୍ୟ ସରକାର ସୃଷ୍ଟି କରିଛନ୍ତି । ଏହି ସର୍ଭେ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ। କାରଣ ପୂର୍ବରୁ ଅନେକ ସର୍ବେକ୍ଷଣରେ ଓଡ଼ିଶା ବେକାରୀ କ୍ଷେତ୍ରରେ ବହୁତ ଅଧିକ ବୋଲି ଜଣାପଡ଼ିଛି । ତା ହେଲେ ହଠାତ କେମିତି ନିଯୁକ୍ତି ବଢିଗଲା ବୋଲି ବିଜେପି କହିଛି।
ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି,"ଏହା କେବଳ ପ୍ରଚାର ସର୍ବସ୍ୱ ରାଜନୀତି। ରାଜ୍ୟବାସୀ ସତ କଣ ଜାଣିଛନ୍ତି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।