ରାଜ୍ୟରେ ବଢ଼ିଛି ଜଙ୍ଗଲର ପରିମାଣ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ଼ଭୁକ୍ତ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିମାଣ ମୋଟ ୫୭ ହଜାର ୧୬୦ ବର୍ଗ କିମିକୁ ବୃଦ୍ଧି ହୋଇଛି, ଯାହା ରାଜ୍ୟର ମୋଟ ଭୌଗୋଳିକ ଅଞ୍ଚଳର ୩୬.୭୧ ପ୍ରତିଶତ। ଦେଶର ମୋଟ ଭୌଗୋଳିକ ଅଂଚଳର ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ୩.୭୧ ପ୍ରତିଶତ ଅଧିକ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍କାର ଦ୍ଵି-ବାର୍ଷିକ ଆକଳନ ଆଧାରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତ ୨୦୧୯ ରୁ ୨୦୨୧ ବର୍ଷ ମଧ୍ୟରେ ମୋଟ ୮୯୩ ବର୍ଗ କି.ମି. ଜଙ୍ଗଲ ଅଂଚଳର ଅଭିବୃଦ୍ଧି ଘଟିଛି । ସେହିଭଳି ଦେଶରେ ଓଡିଶାର ହେନ୍ତାଳ ବଣ ବୃଦ୍ଧିରେ ପ୍ରଥମ ହୋଇଥିଲା ବେଳେ ଜଙ୍ଗଲ ଅଞ୍ଚଳ ବୃଦ୍ଧିରେ ତୃତୀୟ ଓ ଜଙ୍ଗଲ ଅଞ୍ଚଳ ବାହାରେ ଥିବା ବୃକ୍ଷ ଆଚ୍ଛାଦନରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ରାଜ୍ୟରେ ନଦୀ ସମୂହର ଜଳସ୍ରୋତକୁ ଚିରୋସ୍ରୋତା କରିବାପାଇଁ ସବୁଜ ମହାନଦୀ ମିଶନ ଯୋଜନାରେ ମହାନଦୀ ଓ ତାର ଉପନଦୀ ସମୁହ ବ୍ରାହ୍ମଣୀ, ବୈତରଣୀ, ତେଲ ଓ ଲବ୍, ଋଷିକୂଲ୍ୟା ଓ ବଂଶଧାରା ଅବବାହିକାରେ ଅବସ୍ଥିତ ସରକାରୀ, ରାଜସ୍ୱ ଜଙ୍ଗଲ ଓ ବେସରକାରୀ ବ୍ୟକ୍ତିଗତ ଜମିରେ ବ୍ୟାପକ ବୃକ୍ଷ ରୋପଣ ପୂର୍ବକ ସବୁଜ ବଳୟ ସୃଷ୍ଟି କରାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ବନ ଦିବସ କାର୍ଯ୍ୟକ୍ରମ ଅବସରରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। “ଜଙ୍ଗଲ ଓ ସ୍ଥାୟୀ ଉତ୍ପାଦନ ଓ ବ୍ୟବହାର " ଥିମକୁ ଆଧାର କରି ଆୟୋଜିତ ହୋଇ ଯାଇଛି ରାଜ୍ୟସ୍ତରୀୟ ବିଶ୍ଵ ବନ ଦିବସ କାର୍ଯ୍ୟକ୍ରମ। ରାଜ୍ୟରେ ବନୀକରଣ ତଥା ଜଙ୍ଗଲ ପରିମାଣ ଵୃଦ୍ଧି ଉପରେ ବିଭାଗୀୟ ଉଦ୍ୟମ ଉପରେ ଆଲୋକପାତ ହୋଇଥିଲା। ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଡ଼ଃ ମୋନା ଶର୍ମାଙ୍କ ସୂଚନା ଅନୁଯାୟୀ, ବନ ବିଭାଗର କ୍ଷେତ୍ର କର୍ମଚାରୀ ତଥା ଜନସାଧାରଣଙ୍କୁ ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସନ୍ତୁଷ୍ଟ ହୋଇ ଚଳିତ ବର୍ଷ ପୁରସ୍କାର ରାଶିକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧିକରିଛନ୍ତି। ପୁରସ୍କାର ସଂଖ୍ୟା ୨୦ ରୁ ୪୦ କୁ ବୃଦ୍ଧି କରିଛନ୍ତି । ଲୋକଙ୍କ ଜୀବନ ଜୀବିକାକୁ ବିଚାରକୁ ନେଇ ରାଜ୍ୟ ସରକାର ବାଉଁଶ ଜଙ୍ଗଲରେ କାର୍ଯ୍ୟ କରିବା ପାଇଁ ଚଳିତ ବର୍ଷ ବନ ସୁରକ୍ଷା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି।
ସେ ଆହୁରି କହିଛନ୍ତି,"୨୦୨୧-୨୨ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ ସମଗ୍ର ରାଜ୍ୟରେ ୧.୦୯ ଲକ୍ଷ ହେକ୍ଟର ପରିମିତ ସ୍ଥାନରେ ୩.୬୫ କୋଟି ଚାରା ବୃକ୍ଷରୋପଣ ସହିତ ୪୭୨୭ ଦୀର୍ଘ କି.ମି. ପଥପାର୍ଶ୍ଵ ବନୀକରଣ କରାଯାଇଅଛି । ଏହା ବ୍ୟତିତ ୨.୧୩ କୋଟି ଚାରା ସ୍ବଳ୍ପ ମୂଲ୍ୟ (ଚାରାପତି ଏକ ଟଙ୍କା ହାରରେ) ଜନସାଧାରଣଙ୍କୁ ଓ ସରକାରୀ ଅନୁଷ୍ଠାନ ଗୁଡିକୁ ବିନାମୂଲ୍ୟରେ ସେମାନଙ୍କ ନିଜ ଜମି, ବାଡି ବଗିଚାରେ ବୃକ୍ଷରୋପଣ ପାଇଁ ବଣ୍ଟନ କରାଯାଇଛି"।
ତଥ୍ୟ ଅନୁସାରେ, ରାଜ୍ୟର ଚାଲିଥିବା ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମରେ ମୋଟ ୪୬୦୫ ସଂଖ୍ୟକ ବନ ସୁରକ୍ଷା ସମିତି ଅଂଶ ଗ୍ରହଣ କରି ଜଙ୍ଗଲ ପୁନରୋଦ୍ଧାର କାର୍ଯ୍ୟରେ କର୍ତବ୍ୟରତ ଅଛନ୍ତି। ପ୍ରାୟ ୧୪',୨୬୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଉକ୍ତ ଯୋଜନାର ବିଭିନ୍ନ ଉପାର୍ଜନକ୍ଷମ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହେବା ସଙ୍ଗେ ସଙ୍ଗେ ୪.୨ ଲକ୍ଷ ପରିବାର ମଧ୍ୟ ଉପକୃତ ହୋଇଛନ୍ତି। ସେହିଭଳି ୧୬, ୫୦୦ରୁ ଅଧିକ ବନ ସୁରକ୍ଷା ସମିତି ଓ ପରିବେଶ ଉନ୍ନୟନ କମିଟି ଗଠନ କରାଯାଇ ପ୍ରାୟ ୧୩,୬୦୦ ବର୍ଗ କି.ମି. ଉଚ୍ଚତା ଜଙ୍ଗଲର ସୁରକ୍ଷା ସହ ପୁନଉଦ୍ଧାର କରାଯାଉଛି।
ଏହି ଅବସରରେ ଚଳିତ ବର୍ଷ ୨ ଜଣ ବନାଞ୍ଚଳ ଅଧିକାରୀ, ୬ଜଣ ବନପାଳ ଏବଂ ୧୨ ଜଣ ବନରକ୍ଷୀଙ୍କୁ ନିଜର ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ "ରାଜ୍ୟ ବନ ପୁରଷ୍କାର ୨୦୨୨ରେ ସମ୍ମାନିତ କରାଯାଇଛି । ପୁରସ୍କାର ସ୍ବରୂପ ସେମାନଙ୍କୁ ମାନପତ୍ର, ଫଳକ ସହ ଦଶ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।