ରାଜଧାନୀରେ ଡେଙ୍ଗୁ ଆତଙ୍କ; ରୋଗୀ ମୃତ୍ୟୁ ପରେ ଚେତିଲା ବିଏମସି

ରାଜଧାନୀର ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୬। ତେବେ ଡେଙ୍ଗୁ ରୋଗରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ବିଏମସି ଦେଖାଇଛି ତତ୍ପରତା।

ରାଜଧାନୀର କିଛି ଅଞ୍ଚଳରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା (ପ୍ରତୀକାତ୍ମକ ଛବି)

ରାଜଧାନୀର କିଛି ଅଞ୍ଚଳରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆତଙ୍କ। ରାଜଧାନୀର କିଛି ଅଞ୍ଚଳରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୬। ତେବେ ଡେଙ୍ଗୁ ରୋଗରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ବିଏମସି ଦେଖାଇଛି ତତ୍ପରତା। ଡେଙ୍ଗୁ ରୋଗରୁ ବଞ୍ଚିବାକୁ ଉପାୟ ବତାଉଛନ୍ତି ଖୋଦ ମେୟର।

ଡେଙ୍ଗୁ ମୃତ୍ୟୁ ପରେ ଚେତୁଛି ବିଏମସି। ରାଜଧାନୀରେ ଡେଙ୍ଗୁ ଉପଦ୍ରବ ବଢ଼ିବାରେ ଲାଗିଛି। ମୌସୁମୀ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଡେଙ୍ଗୁ ଜ୍ଵର। ଏକ କି ଦୁଇ ନୁହେଁ ୭୬ ରୁ ଅଧିକ ରୋଗୀ ଚିହ୍ନଟ ହେଲେନି ଏବେ ସୁଦ୍ଧା। ବିଶେଷ କରି ଡ଼ମଣା, ପଟିଆ, ଚନ୍ଦ୍ରଶେଖରପୁର, ନିଳାଦ୍ରୀବିହାର, ଶୈଳଶ୍ରୀ ବିହାର ଅଞ୍ଚଳରେ ଏକାଧିକ ରୋଗୀ ଚିହ୍ନଟ ପରେ ଚିନ୍ତାରେ ବିଏମସି। ନିଳାଦ୍ରୀବିହାର ଅଞ୍ଚଳର ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡେଙ୍ଗୁ ରୋଗରେ ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ବରଣ କରିବା ପରେ ତତ୍ପରତା ଦେଖାଇଛ ବିଏମସି। ଆଜି ସକାଳୁ ଖୋଦ ମେୟର ନିଳାଦ୍ରୀବିହାର, ଶୈଲଶ୍ରୀ ବିହାର ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହ ଦୁଇଟି ମେଡ଼ିକାଲ ଟିମ ମଧ୍ୟ ବୁଲି ସ୍ଥିତି ଦେଖିଛନ୍ତି। ଏହି ଅଞ୍ଚଳ ଗୁଡିକରେ ତୁରନ୍ତ ବୁଶ କଟିଂ, ମଶା ଧୁଆଁ ଛାଡ଼ିବା ସହ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି। ମଶାଙ୍କ ଵଂଶ ବୃଦ୍ଧି ଆଶଙ୍କା ଥିବାରୁ ସଫେଇ ଉପରେ ଗୁରୁତ୍ୱ ଦିଆଯାଇଛି।

"ସହରକୁ ସଫା ରଖିବାକୁ ବିଏମ୍ସି ସବୁବେଳେ ଉଦ୍ୟମ କରିଛି। ତଥାପି କିଛି ଲୋକ ନିଜ ଘର ଚରିପାଖ, ବାଡ଼ି ବଗିଚା ସଫା ନ ରଖିବାରୁ ଆଜି ଏଭଳି ସମସ୍ୟା ଦେଖାଦେଇଛି। ମୁଁ ଆଜି ଅନେକ ଅଞ୍ଚଳ ବୁଲିଲି ଲୋକଙ୍କ ସହ କଥା ହେଲି ଓ ତାଙ୍କୁ ନିଜେ ମଧ୍ୟ ବୁଝାଇଛି ଯେ କଣ କରିବ କିଭଳି ଚଳିବ। ଏହା ସହ ଡାକ୍ତରୀ ଟିମ ଅନୁଧ୍ୟାନ କରିଛନ୍ତି। ସଫେଇ କର୍ମଚାରୀ ମଧ୍ୟ କାମ ଆରମ୍ଭ କରିଛନ୍ତି,"କହିଛନ୍ତି ବିଏମ୍ସି ମେୟର ସୁଲୋଚନା ଦାଶ।

ଗତକାଲି ତଥ୍ୟ ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀର ଏକ ଘରୋଇ ମେଡ଼ିକାଲରେ  ଗୋଟିଏ ଡେଙ୍ଗୁ ଜନିତ ମୃତ୍ୟୁ ନେଇ ଖବର ମିଳିଥିଲା । ତେଣୁ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ପାଇଁ ଟିମ ପଠାଇଛି । ବର୍ତ୍ତମାନ ଡେଙ୍ଗୁ ସିଜିନ ଆରମ୍ଭ ହୋଇଯାଇଛି । ଗତବର୍ଷ ମଧ୍ୟ ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପିଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସର୍ଭିଲାନ୍ସ ମଧ୍ୟ ଚାଲିଛି । ଖୋର୍ଦ୍ଧାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଏବଂ ଆରଏମଆରସିକୁ ମିଶାଇ ୪ଟି ସେଣ୍ଟିନାଲ ସାଇଟ ଅଛି । ଲୋକମାନେ ଏହି କେନ୍ଦ୍ର ଗୁଡ଼ିକରେ ଯାଇ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ଜନ ସ୍ବାସ୍ଥ୍ୟ ବିଭାଗ ।

ଏଲିସା ମେଥଡ଼ ଦ୍ୱାରା ହିଁ ସଠିକ ରିପୋର୍ଟ ମିଳିପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି। ଡେଙ୍ଗୁ ପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ଅଛି। ଗତ ବର୍ଷ ଏହି ସମୟରେ ପ୍ରତ୍ୟକ ଦିନ ହସ୍ପିଟାଲ କୁ ୫୦ - ୬୦ ଡେଙ୍ଗୁ ରୋଗୀ ଆସୁଥିଲେ। ଏବେ ଯଦି ରାଜଧାନୀରେ ଡେଙ୍ଗୁ ବ୍ୟାପେ ତେବେ ଆମେ ଡେଙ୍ଗୁ ୱାର୍ଡ ଖୋଲିବୁ। ଜରୁରୀ ପରିସ୍ଥିତି ପାଇଁ ଯଦି ଆବଶ୍ୟକ ପଡେ ମେଡିସିନ ୱାର୍ଡ କୁ ବ୍ୟବହାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି।

"ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହେବ, ଡେଙ୍ଗୁ ସମ୍ଭାବନା ଅଧିକ। ଏଣୁ ସତର୍କ ରହିବା ଓ ନିଜର ପରିବେଶକୁ ସଫା ରଖିବା ହି ଏକମାତ୍ର ଉପାୟ। ଯଦି ଜ୍ଵର ହୁଏ ତେବେ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ଜରୁରୀ,"କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।
Published by:Soumya Das
First published: