News18 Odia Digital
ଭୁବନେଶ୍ୱର: ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା। କୋଭିଡ଼ ପରେ ସାରା ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢୁଥିବା ନେଇ ରିପୋର୍ଟ ଦେଇଛି ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ। ୨୦୨୦ ଶେଷ ସୁଦ୍ଧା ବିଶ୍ୱରେ ୧୦୬ ମିଲିୟନ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବା ରିପୋର୍ଟ କହୁଛି। ତେବେ ରାଜ୍ୟରେ କେତେ ଶିଶୁ ଶ୍ରମିକ ଅଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପାଖରେ ତାର ଖବର ନାହିଁ। ଗଣଶିକ୍ଷା ବିଭାଗର ୧୮ ଲକ୍ଷ ପିଲା ସ୍କୁଲ ନ ଆସିବା ରିପୋର୍ଟ ପରେ ଆରମ୍ଭ ହୋଇଛି ସ୍କୁଲ ଫେରା ଅଭିଯାନ।
ବଢ଼ିବାରେ ଲାଗିଛି ଶିଶୁ ଶ୍ରମିକଙ୍କ ସଂଖ୍ୟା। ବିଶେଷ କରି କୋଭିଡ ପରେ ସାରା ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢୁଥିବା କହିଛି ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ। ଆଇ.ଏଲ.ଓର ରିପୋର୍ଟ ଅନୁଯାୟୀ ୨୦୦୦ରୁ ୨୦୧୬ ମସିହା ଭିତରେ ବିଶ୍ୱରେ ୯୪ ମିଲିୟନ ଶିଶୁ ଶ୍ରମିକ ସଂଖ୍ୟା କମିଥିଲା। ହେଲେ ୨୦୧୬ରୁ ୨୦୨୦ ଭିତରେ ଶିଶୁ ଶ୍ରମିକ ସଂଖ୍ୟା ୮.୪ ମିଲିୟନ ବୃଦ୍ଧି ପାଇଛି। ଯାହା ୨୦୨୦ ଶେଷ ସୁଦ୍ଧା ୧୦୬ ମିଲିୟନ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ରାଜ୍ୟରେ କେତେ ଶିଶୁ ଶ୍ରମିକ ଅଛନ୍ତି ତାର ଖବର ନାହିଁ ଲେବର କମିଶନ ପାଖରେ କି ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ପାଖରେ। ରାଜ୍ୟ ସରକାର ଗତ ସପ୍ତାହରେ ଦେଇଥିବା ରିପୋର୍ଟ ମୁତାବକ ୧୮ ଲକ୍ଷ ପିଲା ସ୍କୁଲ ଆସୁନଥିବା ଜଣାଯାଇଛି। ଏବେ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ପକ୍ଷରୁ ଆରମ୍ଭ ହୋଇଛି ଖୋଲତାଡ଼। ଜିଲ୍ଲା ଶ୍ରମ ଅଧିକାରୀ ଓ ଶିକ୍ଷା ଅଧିକାରୀଙ୍କ ଜରିଆରେ ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଯୋଜନା। ଉଭୟ ପିଲା ଓ ଅଭିଭାବକଙ୍କୁ ସଚେତନ କରିବାକୁ ଯୋଜନା କରୁଥିବା କହିଛନ୍ତି ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ କମିଶନ।
୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୩ ଲକ୍ଷ ୩୪ ହଜାର ୪୧୬ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ। ୫ ରୁ ୯ ବର୍ଷ ଭିତରେ ୬୨,୪୦୦ ଓ ୧୦ରୁ ୧୪ ବର୍ଷ ମଧ୍ୟରେ ୨ଲକ୍ଷ ୭୨ ହଜାର ୧୬ ଜଣ ଥିଲେ। ଏହାପରେ ରାଜ୍ୟରେ କେତେ ଶିଶୁ ଶ୍ରମିକ ଅଛନ୍ତି ତାର ହିସାବ କାହାରି ପାଖରେ ନାହିଁ। ଗତ ସପ୍ତାହରେ ୧୮ ଲକ୍ଷ ପିଲା ସ୍କୁଲ ଆସୁନଥିବା ଗଣଶିକ୍ଷା ସଚିବ କହିବା ପରେ ଜୋର ଧରିଛି ତର୍ଜମା। ଅନ୍ୟପଟେ କମ ପିଲା ଥିବା ସ୍କୁଲକୁ ବନ୍ଦ କରି ଅନ୍ୟତ୍ର ମିଶାଇ ଦେବା ଯୋଗୁଁ ଅନେକ ପିଲା ସ୍କୁଲ ଛାଡ଼ିଥିବା କହିଛି ଅଭିଭାବକ ସଙ୍ଘ।
"ଆମେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ କଥା ହେଇଛୁ। ଯେ ଯେଉଁ ଗାଁରେ ସ୍କୁଲ ବନ୍ଦ କରାଯାଇଛି ପିଲା ସଂଖ୍ୟା କମ ଯୋଗୁଁ ସେଠି ଖୋଲନ୍ତୁ। ପିଲାମାନେ ଗାଁରେ ସ୍କୁଲ ବନ୍ଦ ଯୋଗୁଁ ଅନ୍ୟ ଗାଁକୁ ପଢିବାକୁ ଯାଉ ନାହାଁନ୍ତି। ସେ ବି କଥା ଦେଇଛନ୍ତି ଆବଶ୍ୟକ ସ୍ଥଳେ ବନ୍ଦ ସ୍କୁଲ ପୁଣି ଖୋଲାଯିବ। ଆମେ ଚେଷ୍ଟା କରୁଛୁ ଅନ୍ତତଃ କିଛି ପିଲାକୁ ପୁଣି ସ୍କୁଲ ଫେରାଇ ଆଣିବାକୁ," କହିଛନ୍ତି ରାଜ୍ୟ ଅଭିଭାବକ ସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।