News18 Odia Digital
ପୁରୀ: ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ କାଳିଆ ପଢିଆରୀ ହତ୍ୟା ଘଟଣାରେ ପୋଲିସକୁ ମିଳିଲା ବଡ଼ ସଫଳତା। ହତ୍ୟାକାଣ୍ଡର ସାତ ଦିନ ମଧ୍ୟରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ ୧୦ ଜଣ ଅପରାଧି। ମାର୍ଚ୍ଚ ୨୧ରେ ଛଅ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାର୍ଚ୍ଚ ୨୨ରେ ତିନି ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରି ହତ୍ୟାକାଣ୍ଡକୁ ନେଇ ପୂର୍ଣ୍ଣଛେଦ ପକାଇଲା ପୋଲିସ।
ଜମି ଡିଲ କାଳିଆ ପଢିଆରୀଙ୍କୁ ହତ୍ୟା କରିବା ପାଇଁ ମାଧ୍ୟମ ହୋଇଥିବା ବେଳେ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଘଟଣାସ୍ଥଳରେ ଜମି ଦଲିଲ ନିଆଯାଇଥିଲା । ହେଲେ ପ୍ରତିଶୋଧକୁ ନେଇ ହତ୍ୟାକାଣ୍ଡ ବୋଲି ପୋଲିସ କହିଥିବା ବେଳେ କୋରାପୁଟରୁ ରାଜ୍ୟ ବାହାରକୁ ଖସି ଯିବାପାଇଁ ଉଦ୍ୟମ କଲାବେଳେ ଧରିଲା ପୁରୀ ପୋଲିସ।
ଖବର ଅନୁଯାୟୀ, କାଳିଆ ପଢ଼ିଆରୀ ହତ୍ୟା ଘଟଣାରେ ପୁରୀ ପୋଲିସ ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ନାମ ଏତଲାରେ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତମାନଙ୍କୁ ଫେରାର କରାଇବାରେ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଟକ ରଖାଯାଇଛି। କାଳିଆ ପ୍ରତିହାରୀକୁ ଟୁଟୁ ମହାପାତ୍ର, କୁନମୁନି ସୁଆର, ହରି ପଣ୍ଡା ହତ୍ୟା କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ପୁରୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଗାଁର ଜଗନ ଖଟେଇ ବୋଲି ଜଣାପଡ଼ିଛି।
ମଙ୍ଗଳବାର ପୋଲିସ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ମୁନା ପାତ୍ର ଓ ସନ୍ଦୀପ ଜେନାଙ୍କୁ ଗିରଫ କରିଥିଲା। କାଳିଆକୁ ଫାୟାରିଂ ସମୟରେ ବାବା ମହାପାତ୍ର ସମେତ କୁନମୁନି ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ଉଲ୍ଲେଖ ରହିଛି। ତେଣୁ ଏହି ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗତକାଲି ପୋଲିସ କେବଳ ବାବା ମହାପାତ୍ରକୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ କୁନମୁନି, ଟୁଟୁ ଓ ହରି ପଣ୍ଡା ଫେରାର ଥିଲେ। ଏହି ଘଟଣାରେ ସୋମବାର ୬ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି।
ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। କେତେବେଳେ ଜମିଜମା ହେଉ ଅବା ମନ୍ଦିର ଭିତରେ ଲିଜକୁ ନେଇ ଘଟୁଛି ବାଦ ବିବାଦ ଓ ଅସନ୍ତୋଷ। ଯାହାର ପରିଣାମ ୨୦୧୨ରେ ଗୁନସିଂହରୀ ହତ୍ୟାକାଣ୍ଡ ଘଟଣା ଓ ତା'ର ପ୍ରତିଶୋଧକୁ ନେଇ ଏବେ କାଳିଆ ପଢ଼ିଆରୀର ହତ୍ୟା ଘଟଣା। ଆଉ ଏସବୁର ହତ୍ୟାକାରୀଙ୍କ ତାଲିକାରେ ରହିଛନ୍ତି ଅନେକ ସେବାୟତ। ତେଣୁ ସେବାୟତଙ୍କ ଭିତରେ ସମ୍ମନ୍ନୟ ଓ ବାଦ ବିବାଦକୁ ସମାଧନ କରିବା ପାଇଁ ସେବାୟତ ନିଯୋଗ ମାନଙ୍କ ସହ ଆଲୋଚନା ଓ ବିଚାର ବିମର୍ଷ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
"କାଳିଆ ପଢିଆରୀ ହତ୍ୟାକୁ ନେଇ ହୋଇଥିଲା ୩୦ ଲକ୍ଷର ସୁପାରୀ ଡିଲ। ଆଉ ହତ୍ୟାକାଣ୍ଡର ବ୍ଲୁପ୍ରୀଣ୍ଟକୁ ପ୍ରସ୍ତୁତ କରିଥିଲା ଗୁନଙ୍କ ଲଜ ମ୍ୟାନେଜର କାଳୁ ପାଣିଗ୍ରାହୀ। ତେବେ ଗତକାଲି ଗିରଫ ହୋଇଥିବା ଛଅ ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାର ପ୍ରତ୍ୟକ୍ଷଦର୍ଶି ବାବା ମହାପାତ୍ର, ଗୁନସିଂହାରୀଙ୍କ ବଡ଼ ଭାଇ କାଳିଆ ଓରଫ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର ଓ ତାଙ୍କ ପୁତୁରା ଦୋଳଗୋବିନ୍ଦ ଓରଫ ଆଶିଷ ମହାପାତ୍ର। ଆଉ କାଳିଆକୁ ହତ୍ୟା କରିବା ନେଇ କାଳୁ ଓରଫ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ଜରୀଆରେ ଡିଲ ଅନୁସାରେ ଅଗ୍ରୀମ ଦୁଇ ଲକ୍ଷ ଟଙ୍କା ଓ ବନ୍ଧୁକ ପାଇଁ ୭୦ ହଜାର ଟଙ୍କା ଦିଆଯାଇଥିଲା। ଆଉ ହତ୍ୟା ପରେ ସମସ୍ତ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାଳିଆକୁ ହତ୍ୟା କରିବା ପାଇଁ ବ୍ୟବହୃତ ପିସ୍ତଲ ଓ ୯ ଏମଏମ ଗୁଳି ଯୋଗାଇ ଦେଇଥିଲେ ବ୍ରହ୍ମଗିରି ରେଣ୍ଢାର ବନ୍ଧୁକ ବ୍ୟବସାୟୀ ମୁନ୍ନା ପାତ୍ର। ସେମାନଙ୍କ ବିରୁଦ୍ଧରେ ଟାଉନଥାନାରେ କେଶ ନମ୍ବର ୯୦/୨୨ ଓ ଦଫା ୩୦୨, ୧୨୦(ଖ), ୩୪ ଆଇପିସି, ସେକସନ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହେବା ସହ ଗିରଫ କରାଯାଇଛି। ଆଉ ଏବେବି ମୁଖ୍ୟ ଅଭିଯୁକ୍ତ ଟୁଟୁ ମହାପାତ୍ର, କୁନୁମୁନ ସୁଆର ଓ ହରୀ ପଣ୍ଡା ଫେରାର ଅଛନ୍ତି। ଆଉ ଅଭିଯୁକ୍ତଙ୍କ ଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଛଅଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି,’’ କହିଛନ୍ତି ଟାଉନଥାନା ଅଧିକାରୀ ତଥା ହତ୍ୟାକାଣ୍ଡର ତଦନ୍ତକାରୀ ଅଫିସର ଗୋକୁଳ ରଞ୍ଜନ ଦାଶ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।