News18 Odia Digital
ଭୁବନେଶ୍ୱର: କିଏ ମାରାତ୍ମକ ? କ୍ୟାନ୍ସର ନା ଶାଶୂଘର ? କ୍ୟାନ୍ସର ସନ୍ଦେହରେ ଶାଶୁଘର ତଡ଼ିଦେଲେ । କିନ୍ତୁ ଡାକ୍ତରୀ ପରୀକ୍ଷା କହିଲା, କ୍ୟାନ୍ସର ନୁହେଁ, ଦାନ୍ତବିନ୍ଧା । ତଥାପି ନବବଧୂକୁ ଗ୍ରହଣ କଲେ ନାହିଁ ଶାଶୁଘର । ମାନସିକ ନିର୍ଯାତନାରେ ଜଳି ଜଳି ଶେଷରେ ଜୀବନ ହାରିଦେଲେ ନବବଧୂ ।
ଭୁବନେଶ୍ବର ଜିଜିପି କଲୋନୀରେ ଜଣେ ନବବଧୂଙ୍କ ଆତ୍ମହତ୍ୟା ପଛରେ ଲୁଚିଥିବା ଏହି ସାଂଘାତିକ ସତର ପର୍ଦ୍ଦାଫାସ୍ ହେବା ପରେ ଆଲୋଡ଼ନ ଖେଳିଯାଇଛି। ମୃତ ନବବଧୂଙ୍କ ପରିବାରର ଅଭିଯୋଗ ଆଧାରରେ ଶବ ବ୍ୟବଚ୍ଛେଦ କରି ତନାଘନା ଆରମ୍ଭ କରିଛି ପୋଲିସ।
ପ୍ରଜ୍ଞାଙ୍କ ଭାଇ ପ୍ରିୟବ୍ରତ ଅଭିଯୋଗ କରିଛନ୍ତି,"କ୍ୟାନ୍ସର ହୋଇଛି କହି ବିବାହର ୧୨ ଦିନ ପରେ ଭଉଣୀକୁ ଶାଶୁଘର ଲୋକ ଘରୁ ତଡ଼ିଦେଲେ । ଡାକ୍ତରୀ ଚିକିତ୍ସାରୁ କ୍ୟାନ୍ସର ହୋଇ ନ ଥିବା ଜଣାପଡ଼ିବା ପରେ ମଧ୍ୟ ଗ୍ରହଣ କଲେ ନାହିଁ । ମାନସିକ ସ୍ତରରେ ପୁରାପୁରି ଭାଙ୍ଗି ପଡ଼ିଥିବା ଭଉଣୀ ଶେଷରେ ଜୀବନ ହାରିଦେଲା ।
କଟକ ନିଆଳି ବ୍ଲକ ଲୁଣିଗାଁର ପ୍ରଭାକର ସ୍ବାଇଁଙ୍କ ଝିଅ ପ୍ରଜ୍ଞାପାରମିତା । ଗତ ଜୁନ୍ ୮ ତାରିଖରେ ଭୁବନେଶ୍ବର ପଟିଆ ଅଞ୍ଚଳରେ ରହୁଥିବା ଧରଣୀଧର ପାତ୍ରଙ୍କ ସାନପୁଅ ପ୍ରଶାନ୍ତଙ୍କ ସହ ପ୍ରଜ୍ଞାଙ୍କର ବିବାହ ହୋଇଥିଲା । ବାହାଘରର ୧୫ ଦିନ ପରେ ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି କହି ନଣନ୍ଦ ଓ ଶାଶୁ ଦେଇଥିଲେ ନିର୍ଯାତନା । ତୁରନ୍ତ ଆସି ଝିଅକୁ ନେଇଯିବାକୁ ବାପଘରକୁ ଫୋନ୍ କରି ଜଣାଇଥିଲେ । ଭଉଣୀକୁ ଜିଜିପି କଲୋନୀ ଭଡ଼ାଘରେ ରଖି ଚିକିତ୍ସା କରାଇଥିଲେ ପ୍ରିୟବ୍ରତ। ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଲା, କ୍ୟାନ୍ସର ନୁହେଁ, ବରଂ ପ୍ରଜ୍ଞାଙ୍କ ଦାନ୍ତରେ ହେଉଥିଲା ଯନ୍ତ୍ରଣା । ଛୋଟିଆ ଅପରେସନ ପରେ ଠିକ୍ ହୋଇଗଲେ ପ୍ରଜ୍ଞା । କିନ୍ତୁ ଶାଶୁଘର ଲୋକେ ପ୍ରଜ୍ଞାଙ୍କୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରି ଦେଇଥିଲେ । ଟେନ୍ସନ୍ରେ ଥିବା କହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ପ୍ରଜ୍ଞାଙ୍କ ଦେଢଶୁର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।