News18 Odia Digital
ଭୁବନେଶ୍ୱର: ରାଜଧାନୀରୁ କୋଟିଏ ଟଙ୍କାର କୋକେନ୍ ଜବତ ଘଟଣାରେ ୨ ମାଫିଆଙ୍କୁ ନେଇ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଉଭୟଙ୍କୁ ୪ଦିନ ରିମାଣ୍ଡରେ ଆଣି ଜେରା କରୁଛି ତଦନ୍ତକାରୀ ଟିମ । ପ୍ରଥମ ଦିନର ଜେରା ବେଳେ କୋକେନ ମାଷ୍ଟରମାଇଣ୍ଡ ରବି ସିଂର ମୋବାଇଲକୁ ଏସଟିଏଫର ତଦନ୍ତ ପରିସରଭୁକ୍ତ କରାଯାଇଛି ।
ଦୁଇ ମାଫିଆଙ୍କୁ ରିମାଣ୍ଡରେ ଆଣିବା ପରେ ମାରାଥନ ଜେରା ଆରମ୍ଭ କରିଛି ତଦନ୍ତକାରୀ ଟିମ । ରିମାଣ୍ଡର ପ୍ରଥମ ଦିନରେ ଦୁଇ ଅଭିଯୁକ୍ତଙ୍କୁ ଏନସିବି କର୍ମଚାରୀଙ୍କ ମଧ୍ୟ ପଚରାଉଚୁରା କରୁଛନ୍ତି । NCBର ଦୁଇ ଜଣିଆ ଟିମ ଆଜି ଅଭିଯୁକ୍ତକୁ ଆନ୍ତର୍ଜାତୀୟ ଲିଙ୍କ ନେଇ ଦୀର୍ଘ ସମୟ ଧରି ଜେରା କରିଥିବା ଜଣା ପଡ଼ିଛି। ବିଶେଷ କରି କୋକେନ୍ ଦିଲ୍ଲୀରୁ ଭୁବନେଶ୍ୱର କିଭଳି ଆଣିଲେ, ପୂର୍ବରୁ କେବେ ଆଣିଥିଲେ କି ଓ କେଉଁମାନଙ୍କ ସହ ଡିଲ କରିବାକୁ ଯୋଜନା ହୋଇଥିଲା ସେନେଇ ଅଭିଯୁକ୍ତକୁ ଜେରା ହୋଇଥିବା ଜଣା ପଡ଼ିଛି ।
ଜୟଦେବ ବିହାର ଜାଭିଅର ଛକ ନିକଟରୁ ଜବତ ୧କୋଟି ଟଙ୍କାର କୋକେନକୁ ନେଇ ପୂର୍ବରୁ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପକୁ ଆଖି ଆଗରେ ରଖି ବ୍ଲୁପ୍ରିଣ୍ଟ ତିଆରି କରୁଥିଲେ ଗିରଫ ଦୁଇ ମାଫିଆ । ଟାର୍ଗେଟରେ ଥିଲେ ବିଦେଶୀ ଦର୍ଶକ । ପ୍ରାଥମିକ ତଦନ୍ତରୁ ଏସଟିଏଫ ଜାଣିବାକୁ ପାଇଥିଲା ଜବତ କୋକେନ୍ ଦିଲ୍ଲୀ ଆଣିଥିଲା ମାଷ୍ଟରମାଇଣ୍ଡ ରବି । ଭୁବନେଶ୍ୱରରେ ସନ୍ନିର ସହଯୋଗରେ ବେପାର କରିବା ପାଇଁ ଯୋଜନା ହୋଇଥିଲା।
ଏସଟିଏଫ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,"ଦୁଇ କୋକେନ୍ ମାଫିଆଙ୍କ ମୋବାଇଲ ଯାଞ୍ଚ କରିବା ପରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଡିଲ କରୁଥିବା ବେଳେ ଫୋନ କଲ କରନ୍ତି ନାହିଁ। ହ୍ଵାଟ୍ସଆପ ଓ ଟେଲିଗ୍ରାମ ଜରିଆରେ ସେମାନେ କଥାବାର୍ତ୍ତା ହୁଅନ୍ତି। ଡିଲ ପାଇଁ ସେମାନେ କୋର୍ଡ଼ ୱାର୍ଡ଼ ବ୍ୟବହାର କରନ୍ତି। ତେଣୁ ସେମାନଙ୍କୁ ଧରିବା ସହଜ ହୁଏ ନାହିଁ। ଏବେ ସେମାନଙ୍କଠାରୁ ୨୦୨ଗ୍ରାମ କୋକେନ୍ ଜବତ ହୋଇଛି। ଆଶଙ୍କା କରାଯାଉଛି ଅଭିଯୁକ୍ତ ଅଧିକ ପରିମାଣ କୋକେନ୍ ଆଣି ଡିଲ କରିଥାଇପାରେ। ତେଣୁ ସେ ଯେଉଁମାନଙ୍କୁ କୋକେନ ଦେଇଛି ସେନେଇ ତଦନ୍ତ ଚାଲିଛି"।
ସୂଚନାଯୋଗ୍ୟ, ଦୁଇ ମାଫିଆଙ୍କୁ ଜେରା ବେଳେ ଜଣା ପଡ଼ିଥିଲା ଏମାନେ ଭୁବନେଶ୍ୱର ହେବାକୁ ଥିବା ୨୦୨୩ ହକି ବିଶ୍ୱକପକୁ ଫୋକସ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।