ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରି : ବର୍ଷେ ପରେବି ମିଳିନି ନ୍ୟାୟ... ଦୁଃଖରେ ଦିନ କାଟୁଛନ୍ତି ବାପା ମା

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁକୁ ପୁରିଲା ବର୍ଷେ ।

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁକୁ ପୁରିଲା ବର୍ଷେ ।

  • Share this:
News 18 Odia Digital

ଭୁବନେଶ୍ୱର : ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ବର୍ଷେ ପୁରିଛି ସତ ହେଲେ ଆଜି ବି ନ୍ୟାୟ ନପାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ବାପା ମା । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ତାହାର ପ୍ରମାଣ ଖୋଜିପାଇଲା ନାହିଁ ପୋଲିସ । ବହୁ ପ୍ରଭାବଶାଳୀ ଅଧିକାରୀ ନେତାଙ୍କ ନାଁ ବି ସାମ୍ନାକୁ ଆସିଲା । ଏହାକୁ ନେଇ ରାଜନୀତି ବି ଜୋର ଧରିଲା । ପୋଲିସର ତଦନ୍ତ ଉପରେ ସନ୍ଦେହ କରିଥିଲେ ପରିବାର ଲୋକେ, ବିରୋଧୀ ଦଳ ଏବଂ ବହୁ ସ୍ୱେଚ୍ଛାସେବୀ ସଂଗଠନ ସିବିଆଇ ତଦନ୍ତ ଦାବିକରିଥିଲେ । କିନ୍ତୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାରଦେଲେ । ହେଲେ ତଦନ୍ତ ନାଁରେ ଦିନ ଗଡ଼ାଇ ଶେଷରେ ଏହାକୁ ଏକ ଆକସ୍ମିକ ମୃତ୍ୟୁର ରୂପ ଦେଇ ଫାଇଲକୁ ବନ୍ଦ କରିଦେଲା କ୍ରାଇମବ୍ରାଞ୍ଚ ।

ତିଥି ଅନୁସାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଶନିବାର ଦିନ ବର୍ଷେ ପୂରିଛି । ଶୋକାକୁଳ ପରିବେଶରେ ବାଲେଶ୍ବର ଜିଲ୍ଲା ଖଇରା ବେଗୁନିଆସ୍ଥିତ ଘରେ ପରିବାର ଲୋକ ଶନିବାର ଦିନ ଶ୍ରାଦ୍ଧ କ୍ରିୟାକର୍ମ କରିଛନ୍ତି । ସୌମ୍ୟରଞ୍ଜନଙ୍କ ଶ୍ରାଦ୍ଧକର୍ମ ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ପୁଲିସ ଓ ସରକାରରେ ଥିବା ପ୍ରଭାବଶାଳୀ ବ୍ୟକ୍ତି ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଉପରୁ ତାଙ୍କର ସବୁ ଭରସା ତୁଟିଯାଇଛି । ତଥାପି ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି ସୌମ୍ୟରଞ୍ଜନଙ୍କ ମାଆ । ପୁଅ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।

ସୂଚନାନୁସାରେ ଗତବର୍ଷ ଜୁଲାଇ ୧୩ ତାରିଖରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କର ଗଞ୍ଜାମ ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଦେହରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ । ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଆସିଥିଲା ସନ୍ଦେହ ଦୃଷ୍ଟି । କାହିଁକିନା ଘଟଣା ଦିନ ସୌମ୍ୟରଞ୍ଜନଙ୍କ ପାଖରେ କେବଳ ପତ୍ନୀ ବିଦ୍ୟାଭାରତୀ ହିଁ ଥିଲେ । ମୃତ୍ୟୁ ପରେ ତାଙ୍କର ବୟାନ ସନ୍ଦେହ ଘେରକୁ ଆଣିଥିଲା। ଏହା ସହିତ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଭୟ ମିଶି ତାଙ୍କ ପୁଅକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏମିତିକି ରୋଷେୟା ମନ୍ମଥ କୁମ୍ଭ ଏବିଷୟରେ ସବୁକିଛି ଜାଣିଥିବା ବି କହିଥିଲେ ପରିବାର ଲୋକେ । ଏପରିକି ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଉଠିଥିଲା । ଏସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ ।

ନ୍ୟାୟ ପାଇଁ ସୌମ୍ୟରଞ୍ଜନଙ୍କ ବାପା ମାଆ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୋଲିସ ଅଧିକାରୀମାନଙ୍କୁ ବି ଗୁହାରି କରିଥିଲେ। ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓ ଓ ରୋଷେୟାଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ କରିଥଲେ ବି କାହାକୁ ଗିରଫ କଲାନାହିଁ । ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ନେଇଥିଲା । ହେଲେ ତଦନ୍ତକୁ ଦିନ ଦିନ ଗଡାଇବା ପରେ ଏହା ଏକ ଆକସ୍ମିକ ଦୁର୍ଘଟଣା ଥିଲା ବୋଲି ଦର୍ଶାଇ ସବୁଦିନ ପାଇଁ ଫାଇଲ ବନ୍ଦ କରିଦେଲେ । ଏବେ ଅଧିକାରୀମାନେ ତଦନ୍ତ ନାମରେ ଦିନ ଗଡ଼ାଇଲେ, ଶେଷରେ ଏହା ଏକ ଆକସ୍ମିକ ଦୁର୍ଘଟଣା ଥିଲା ବୋଲି ଦର୍ଶାଇ ସବୁଦିନ ପାଇଁ ଫାଇଲ ବନ୍ଦ କରିଦେଲେ । ଏବେ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି ।
Published by:Soubhagya Mishra
First published: