News18 Odia Digital
ବାଲେଶ୍ୱର: ବାଲେଶ୍ବର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ହୋଇଛି ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର MRSAM । ରବିବାର ସକାଳ ୧୦ଟା ୩୪ ମିନିଟ୍ରେ ୩ନଂ ଲଞ୍ଚ ପ୍ୟାଡ଼ରୁ ଏହି ଉତ୍କ୍ଷେପଣ କରାଯାଇଛି । ଉତ୍କ୍ଷେପଣ ସମୟରେ ସ୍ଥିରି କୃତ କରାଯାଇଥିବା ସମସ୍ତ ଦିର, ଗତି, ଟାର୍ଗେଟ୍କୁ ସଠିକ ଭାବେ ଏହି ମିସାଇଲ ଛୁଇଁଥିବା କୁହାଯାଇଛି ।
ଡ଼ିଫେନ୍ସ ରିସର୍ଚ୍ଚ ଏଣ୍ଡ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ୍ ଓ ଭାରତ ଡ଼ାୟନାମିକ୍ ଲିମିଟେଡ଼ ଦ୍ବାରା ନିର୍ମାଣ କରାଯାଇଥିବା ଏମଆରଏସଏଏମ ( MRSAM ) କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷ୍ୟମତା ୨୫ରୁ ୭୦ କିଲୋମିଟର । ଏହା ବାୟୁମଣ୍ଡଳର ୧୨ କିଲୋମିଟର ଉପରେ ଶବ୍ଦର ଗତୀ ଠାରୁ ୪.୫ ଗୁଣ ଅଧିକ ବେଗରେ ଗତି କରିପାରିବ । ଏଥିରେ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । MRSAMର ଓଜନ ୧୫୪ କିଲୋଗ୍ରାମ, ଲମ୍ବ ୩.୮୪ ମିଟର ଓ ମୋଟେଇ ୧୭୮ ମିଲିମିଟର । ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସଲିଡ଼ ପ୍ରପୋଲାଣ୍ଟ ରକେଟ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି ।
MRSAM ପରୀକ୍ଷା ପାଇଁ ସ୍ଥାନୀୟ ଖଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ଡୁରାପାହି, ଜୟଦେବକସବାପାହି ଓ ସାହାଜାନଗରପାହିର ମୋଟ ୭ ହଜାର ଲୋକଙ୍କୁ ଖଡ଼ୁପାହି ସ୍କୁଲ, ତୁଣ୍ଡୁରା ଓ ଜୟଦେବକସବାପାହି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ଏକ ପରୀକ୍ଷଣ କରିବାକୁ ଥିବା ଏହି ମିସାଇଲ ପାଇଁ ପ୍ରତିରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ସ୍ଥିର କରାଯାଇଛି ।
କ୍ଷେପଣାସ୍ତ୍ର ପରୀକ୍ଷା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଦ୍ୱାରା ଭାରତ ନିଜର ପ୍ରତିରକ୍ଷା କ୍ଷେତରେ ଶକ୍ତି ବୃଦ୍ଧି କରିପାରିବ ବୋଲି କହିଛନ୍ତି।
"DRDO ନିର୍ଦ୍ଦେଶକ ସତୀଶ ରେଡି କ୍ଷେପଣାସ୍ତ୍ର ନିର୍ମାଣରେ ଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଏହା ଆଉ ଏକ ଉପଲବ୍ଧି ବୋଲି କହିଛନ୍ତି ।
ବିଡିଓ ସଦର ନରେନ୍ଦ୍ର ଖମାରି କହିଛନ୍ତି," ପ୍ରଶାସନ ଓ DRDO କତ୍ତୃପକ୍ଷଙ୍କ ଆଲୋଚନା ପରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ମୁଖ୍ୟତଃ ସୁରକ୍ଷା ଦୃଷ୍ଟିରୁ LC 3 ନିକଟବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥାଏ । ସ୍ଥାନାନ୍ତରିତ ସମସ୍ତ ଲୋକଙ୍କୁ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।