ନିଖୋଜ ପୁଅର ଫେରିବା ବାଟକୁ ୧୫ ବର୍ଷ ହେଲା ଚାହିଁ ବସିଛି ମାଆ

ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମାଆ । ୨୦୦୭ ମସିହାରୁ ପୁଅ କେଉଁ ଆଡେ ଯାଇଛି ଯେ ଆଉ ଘରକୁ ଫେରୁନି ।

ନିଖୋଜ ପୁଅର ଫେରିବା ବାଟକୁ ୧୫ ବର୍ଷ ହେଲା ଚାହିଁ ବସିଛି ମାଆ

ନିଖୋଜ ପୁଅର ଫେରିବା ବାଟକୁ ୧୫ ବର୍ଷ ହେଲା ଚାହିଁ ବସିଛି ମାଆ

  • News18 Odia
  • Last Updated :
  • Jagatsinghapur, India
  • Share this:
News 18 Odia Digital

ଜଗତସିଂହପୁର; ସ୍ୱାମୀ ଆରପାରିକୁ ଚାଲିଯିବାର କିଛି ମାସ ପରେ ପୁଅ ଘର ଛାଡ଼ି କେଉଁଆଡ଼େ ନିଖୋଜ ହୋଇଗଲା । ଏହା ଭିତରେ ୧୫ ବର୍ଷ ପୁରି ଗଲାଣି, ହେଲେ ନିଖୋଜ ପୁଅ ସେଇ ଦିନରୁ ଆଉ ଘରକୁ ଫେରି ନାହିଁ । କେତେ ଦିଅଁ ଦେବତାଙ୍କ ପାଖରେ ମାନସିକ କରି ପୁଅର ଫେରିବା ବାଟକୁ ଚାହିଁ ବସିଛି ବୃଦ୍ଧା ମାଆ ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଶଙ୍କରସାହି ଗାଁର ସ୍ୱର୍ଗତ ଧୁଲେଶ୍ୱର ଦାଶଙ୍କ ପତ୍ନୀ ସେବତୀ ଦାଶ ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି । ୨୦୦୫ ମସିହାରେ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ସବୁ ଦୁଃଖ କଷ୍ଟ ଓ ଯନ୍ତ୍ରଣାକୁ ଛାତିରେ ଚାପି ପୁଅ ମୁହଁକୁ ଚାହିଁ ବଞ୍ଚି ରହିଥିଲେ ସେବତୀ । ହେଲେ ୨୦୦୭ ମସିହାରୁ ପୁଅ କେଉଁ ଆଡେ ଯାଇଛି ଯେ ଆଉ ଘରକୁ ଫେରୁନି । ପୁଅ କଟକ ବାଦାମବାଡ଼ିରେ ଏକ ଛୋଟ ବହି ଦୋକନ କରିଥିଲା । ଆଉ ଦିନ ସେହିଠାରୁ କୁଆଡେ ନିଖୋଜ ହୋଇଗଲା । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବିତି ଗଲାଣି ୧୫ ବର୍ଷ । ପୁଅର ଏକ ଫୋଟୋକୁ ଧରି ଗାଁ'ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଖୋଜି ଚାଲିଛି ମା' । ଏ ନେଇ ବାଲିକୁଦା ଥାନାରେ ମଧ୍ୟ ଜଣାଇଥିଲେ ସେବତୀ । ସେବତୀଙ୍କର ନିଜର ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ସରକାରଙ୍କ ପକ୍ଷରୁ ମିଳୁଥିବା ମାସକୁ ଭତ୍ତା ୫୦୦ ଟଙ୍କା ଓ ୫ କେଜି ଚାଉଳ ହିଁ ତାଙ୍କ ବଞ୍ଚିବାର ରାହା ପାଲଟିଛି । ପୁଅକୁ ପାଇବା ପାଇଁ ଭଗବାନଙ୍କ ଉପରେ ଭରସା ରଖି କେତେ ଦିଅଁ ଦେବତାଙ୍କ ପାଖରେ ମାନସିକ ରଖି ଗୁହାରି ଜଣାଇଛନ୍ତି ସେବତୀ ।

ନିଖୋଜ ପୁଅ


ବୟସର ଅପରାହ୍ନରେ ପୁଅକୁ ଖୋଜି ଖୋଜି ଥକି ପଡିଲେଣି ସେବତୀ । ନିଖୋଜ ଶ୍ରୀଧର ଦାଶଙ୍କୁ ତାଙ୍କର ସାଙ୍ଗସାଥି ମଧ୍ୟ ବିଭିନ୍ନ ସ୍ଥାନ ବୁଲି ଖୋଜାଖୋଜି କରିଛନ୍ତି । ହେଲେ କୌଣସି ସନ୍ଧାନ ମିଳିପାରିନାହିଁ । ପୁଅକୁ ଝୁରି ଝୁରି ରୋଗାଗସ୍ତ ହୋଇ ପଡିଲେଣି ସେବତୀ । ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ସାଙ୍ଗକୁ ଦେହରେ ଆଉ ବଳ ନାହିଁ । ଏପରି ଦୁର୍ଦଶା ଦେଖି ଗାଁ ଲୋକ ମାନେ ଯିଏ ଯାହା ଗଣ୍ଡେ ଦିଅନ୍ତି ତାହାକୁ ଖାଇ ବଞ୍ଚି ରହିଛନ୍ତି ଏହି ବୃଦ୍ଧା । କିଛି ଦିନ ତଳେ ଏକ ବାଇକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ଆଉ ଠିକ ଭାବରେ ଚାଲିବା ମଧ୍ୟ ସମ୍ଭବ ହେଉନାହିଁ ତାଙ୍କ ପକ୍ଷରେ । ଆଉ କେତେଦିନ ପରେ ହଜିଲା ପୁଅ ଘରକୁ ଫେରିବ ଆଉ ମାଆ ଆଖିରୁ ଲୁହ ପୋଛି ଦେବ ସେହି ଦିନକୁ ଅପେକ୍ଷା କରି ବସିଛନ୍ତି ସେବତୀ ।
Published by:Soubhagya Mishra
First published: