୧୨ ତାରିଖ ପୂର୍ବରୁ ଓଡି଼ଶା ଆସିବ ନାହିଁ ମୌସୁମୀ; ୧୧ ଯାଏଁ ହେବ ପ୍ରବଳ ଖରା ଗୁଳୁଗୁଳି

ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର। ୧୨ ତାରିଖ ପୂର୍ବରୁ ମୌସୁମୀ ରାଜ୍ୟକୁ ଆସିବନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।

୧୨ ତାରିଖ ଆଗରୁ ଓଡ଼ିଶା ଆସିବନି ମୌସୁମୀ (ପ୍ରତୀକାତ୍ମକ ଛବି)

୧୨ ତାରିଖ ଆଗରୁ ଓଡ଼ିଶା ଆସିବନି ମୌସୁମୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୂବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଉପକୂଳରେ ଅଣାୟତ କରୁଛି ଅସହ୍ୟ ଗୁଳୁଗୁଳି। ଆଜି ୬ ଜିଲ୍ଲା ଓ ଆସନ୍ତା ଦୁଇ ଦିନ ଅର୍ଯ୍ୟନ୍ତ ଆଭ୍ୟନ୍ତରୀଣର ୪ ଜିଲାରେ ଗ୍ରୀଷ୍ମପ୍ରବାହ ବା ହିଟ ୱେଭ ସ୍ଥିତି ଜାରି ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର। ନା କାଳବୈଶାଖୀ ପ୍ରଭାବ ଅଧିକ ରହିବ ନା ତାପମାତ୍ରା କମିବ। ସେପଟେ ୧୨ ତାରିଖ ପୂର୍ବରୁ ମୌସୁମୀ ରାଜ୍ୟକୁ ଆସିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଉପକୂଳରେ ଭୟଙ୍କର ଗୁଳୁଗୁଳି ଲୋକଙ୍କୁ ଶିଝେଇ ଦେଲାଣି। ପଶ୍ଚିମ ବା ଆଭ୍ୟନ୍ତରିଣ ଓଡ଼ିଶାର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଟିଟିଲାଗଡ଼ ରେ ଗତକାଲି ପାରଦ ୪୫ ଡିଗ୍ରୀ ରହିଥିବାବେଳେ ୬ ସହରର ତାପମାତ୍ରା ରହିଥିଲା ୪୪ ଡିଗ୍ରୀ ଉପରେ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡାରେ ହିଟ ୱେଭ ଜାରି ରହିଥିବାବେଳେ ଆସନ୍ତାକାଲି ଓ ୬ ତାରିଖ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ଖରା ଓ ଝାଞ୍ଜି ପବନ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏଣୁ ଦିନ ୧୧ଟା ରୁ ୩ ଟା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ଥିଲେ ସତର୍କତା ଅବଲମ୍ବନ କରି ଘରୁ ବାହାରନ୍ତୁ। ସେହିଭଳି ଉପକୂଳର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା ଓ ପୁରୀରେ କାଳବୈଶାଖୀ ବର୍ଷା ସମ୍ଭାବନା।

ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାକୁ ଉତ୍ତର ପଶ୍ଚିମ ଆଡୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏଣୁ ଦିନରେ ପ୍ରଚଣ୍ଡ ଖରା ହେଉଛି। ଉପକୂଳରେ ଆକାଶ ସାମାନ୍ୟ ମେଘାଛନ୍ନ ସାଙ୍ଗକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି। ଏଣୁ ଜଳବାୟୁରେ ଥିବା ଆର୍ଦ୍ରତା ଗୁଳୁଗୁଳି ବଢ଼ାଉଛି। ଉପକୂଳରେ ଦିନରେ ୫୦% ଗୁଳୁଗୁଳି ରାହୁଥିବାବେଳେ ସନ୍ଧ୍ୟା ସମୟରେ ଏହା ବୃଦ୍ଧି ପାଇ ୭୦% ହେଉଛି। ଏଣୁ ରାତିରେ ମଧ୍ୟ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଏହା ବ୍ୟତୀତ ମୌସୁମୀ ଆସନ୍ତା ୧୨ ତାରିଖ ବେଳକୁ ଦକ୍ଷିଣ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ହେଲେ ଏହି ସମୟରେ ଦୁର୍ବଳ ରହିବ, ଏଣୁ ବିଶେଷ ବର୍ଷା ହେବନାହିଁ। ୧୧ ତାରିଖ ପର୍ଯ୍ୟନ୍ତ ଖରା ଗରମ ଲାଗି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।

"ବର୍ତ୍ତମାନର ପାଣିପାଗ ଯାହା ରହିଛି ଆଭ୍ୟନ୍ତରୀଣରେ ଉତ୍ତର ପଶ୍ଚିମ ଆଡୁ ଶୁଷ୍କ ପବନ ବହୁଛି ଆଉ ଉପକୂଳ ରେ ସାମୁଦ୍ରିକ ପବନ ଯୋଗୁ ଗୁଳୁଗୁଳି ବଢୁଛି। ଯାହା ୧୧ ତାରିଖ ଯାଏଁ ଲାଗି ରହିବ। ଫଳରେ ମୌସୁମୀ ଆସିବାରେ ବି ବିଳମ୍ବ କରାଇବ," କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।
Published by:Soumya Das
First published: