News18 Odia Digital
ଭୁବନେଶ୍ୱର: କେରଳ ଛୁଇଁଛି ମୌସୁମୀ। ସ୍ୱାଭାବିକ ସମୟର ତିନି ଦିନ ଆଗରୁ କେରଳରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୩ ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବ ବୋଲି କହିଛି ଭାରତୀୟ ପାଣିପାଗ କେନ୍ଦ୍ର। ସେପଟେ ମୌସୁମୀ ଓଡ଼ିଶା ଆସିବା ନେଇ ଏଯାଏଁ ସ୍ପଷ୍ଟ ହୋଇନି ଚିତ୍ର।
କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। କେରଳ ସହ ଆରବ ସାଗରର କିଛି ଅଞ୍ଚଳ ଓ ବଙ୍ଗୋପସାଗରର କିଛି ଅଂଶ କଭର କରିଛି। ଆସନ୍ତା ୩ ରୁ ୪ ଦିନ ଭିତରେ ଆରବ ସାଗରର ଆଉ କିଛି ଅଂଶ ସହ ଦକ୍ଷିଣ ଭାରତର କିଛି ଅଂଶ ସହ ସମ୍ପୂର୍ଣ୍ଣ କେରଳରେ ପ୍ରବେଶ କରିବ ମୌସୁମୀ। ସାଧାରଣତଃ ଜୁନ ୧ ରେ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଏଥର ତିନି ଦିନ ଆଗରୁ ଆସିଛି ମୌସୁମୀ। କିନ୍ତୁ ଓଡିଶା ଆସିବା ନେଇ ଏଯାଏ ସ୍ପଷ୍ଟ ହୋଇନି ଚିତ୍ର। ଜୁନ୍ ୧୦ ରୁ ୧୨ ମଧ୍ୟରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ପାଣିପାଗ ଅନୁକୂଳ ରହିଲେ ଆହୁରି ସଅଳ ସକ୍ରିୟ ହେବା ନେଇ ଆକଳନ କରାଯାଇଛି । ପଶ୍ଚିମା ପବନର ପ୍ରଭାବ ଅଧିକ ଶକ୍ତିଶାଳୀ ହେବାରୁ ମୌସୁମୀ ସକ୍ରିୟ ହୋଇଛି । ପ୍ରଭାବରେ ଦୁଇ ଦିନ ହେବ କେରଳ ଉପକୂଳରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ତାତି ନ ବଢିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳିହେବେ ଲୋକେ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରୁ ମିଳିବନି ନିସ୍ତାର । ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା। ସାଧାରଣତଃ ଜୁନ ୧୦ ରୁ ୧୫ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥାଏ। କିନ୍ତୁ ବର୍ତ୍ତମାନ ମୌସୁମୀ ପାଇଁ ପାଗ ଅନୁକୂଳ ନାହିଁ। ଜୁନ ୧୦ ତାରିଖ ପରେ ପାଗ ସ୍ବଭାବିକ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଆସନ୍ତା ୪ ରୁ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ତେବେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଜାରି ରହିବ ବୋଲି କହିଛି ପଣିପାଗ କେନ୍ଦ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।