ଏଥର ସଅଳ ଆସିପାରେ ମୌସୁମୀ ବାୟୁ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଟଳିଲା ବାତ୍ୟା, ଆସୁଛି ମୌସୁମୀ। ଏଥର ସଅଳ ଆସିପାରେ ମୌସୁମୀ ବାୟୁ। ମୌସୁମୀ ବାୟୁ ପ୍ରବାହ ନେଇ ଅନୁକୂଳ ରହିଛି ପାଣିପାଗ। ଆସନ୍ତା ମେ ୧୫ ତାରିଖରେ ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ମୌସୁମୀ ବାୟୁ ଆସୁଥିବାରୁ କେରଳ ମଧ୍ୟ ଶୀଘ୍ର ଆସିବ ବୋଲି ପୂର୍ବାନୁମାନ ହୋଇଛି।
ରାଜ୍ୟକୁ ମଧ୍ୟ ଶୀଘ୍ର ଛୁଇଁପାରେ ମୌସୁମୀ ବାୟୁ। ମେ ୧୫ ତାରିଖ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ସାଧାରଣତଃ ମେ ୨୦ରେ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ। ହେଲେ ଏଥର ୫ ଦିନ ପୂର୍ବରୁ ଆସିବ। ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି। ବାୟୁ ପ୍ରବାହ ଶ୍ସକ୍ତିଶାଳୀ ରହିଛି। ଯାହା ଫଳରେ ମୌସୁମୀ ବାୟୁ ଶୀଘ୍ର ଆଣ୍ଡାମାନ ସାଗର ଛୁଇଁବ। ସାଧାରଣତଃ ଜୁନ ୧ ତାରିଖରେ କେରଳ ଓ ଜୁନ ୧୦ରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରେ। ହେଲେ ଏଥର ସମୟର ୫ ଦିନ ପୂର୍ବରୁ ମୌସୁମୀ ବାୟୁ ଆସିବ ବୋଲି ପୂର୍ବାନୁମାନ କରାଯାଉଛି।
"ବର୍ତ୍ତମାନ ମୌସୁମୀ ବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ରହିଛି। ଏହା ସହ ସମୁଦ୍ର ପତନ ର ତାପମାତ୍ରା, ବାୟୁ ଚଳନ ମୌସୁମି ବାୟୁକୁ ସକ୍ରିୟ କରୁଛି। ଯାହା ଫଳରେ ଆଗୁଆ ଆଣ୍ଡାମାନ ଆସୁଛି ଓ ଆଶା କରାଯାଉଛି ରାଜ୍ୟକୁ ମଧ୍ୟ ଆଗୁଆ ପ୍ରବେଶ କରିବ,"କହିଛନ୍ତି ବରିଷ୍ଠ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାଶ।
ଅନ୍ୟପଟେ ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଫଳରେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ଆଉ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆହୁରି ୨୪ ଘଣ୍ଟା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି। ସେହିଭଳି କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ଦେଖିବାକୁ ମିଳିବ ହେଲେ ବିଶେଷ ବର୍ଷା ହେବ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ବା ଅଧି ରହିବା ସମ୍ଭାବନା। ୧୫ ଓ ୧୬ତାରିଖ ରେ କିଛି ଜିଲାରେ କାଳବୈଶାଖୀ ସକ୍ରିୟ ରହିବ।
"ଏବେ ବାତ୍ୟାର ପ୍ରଭାବ ଓଡ଼ିଶାକୁ ନାହିଁ।ତେବେ ଆଗକୁ ତାପମାତ୍ରା ବଢ଼ିବ। ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା ସାରା ରାଜ୍ୟରେ। ଏକ ସପ୍ତାହ ଖରା ଗରମ ପରେ ପୁଣି ପାଣିପାଗରେ ପରିବର୍ତ୍ତନ ଆସିପାରେ,"କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ।
Published by:Soumya Das
First published: