News18 Odia Digital
ଭୁବନେଶ୍ୱର: ଓଡ଼ିଶାକୁ ମିଳୁନି ଚାହିଦା ମୁତାବକ ଚାଉଳ। ଜାତୀୟ ଖାଦ୍ଯ ସୁରକ୍ଷା ଯୋଜନାରେ ଅନ୍ୟ ରାଜ୍ୟକୁ ଚାହିଦା ମୁତାବକ ଖାଦ୍ୟଶସ୍ୟ ମିଳୁଥିବା ବେଳେ ଓଡ଼ିଶା ଉପେକ୍ଷିତ ହେଉଛି। ଓଡ଼ିଶାର ମୁଖ୍ୟ ଖାଦ୍ୟ ଭାତ ହୋଇଥିବାରୁ ଗହମ ପରିବର୍ତ୍ତେ ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ର ନିକଟରେ ଦାବି ଉଠାଇଛି।
ଜାତୀୟ ଖାଦ୍ଯ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ଶତ ପ୍ରତିଶତ ଚାଉଳ ଦେବାକୁ ଦାବି ହେଉଛି। ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ପିୟୁସ ଗୋଏଲଙ୍କୁ ଚିଠି ଲେଖି ଦାବି ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଓଡ଼ିଶା ଲୋକଙ୍କ ମୁଖ୍ୟ ଖାଦ୍ଯ ଭାତ। ହିତାଧିକାରୀଙ୍କ ପାଇଁ ଗହମର ଚାହିଦା ବହୁତ କମ। କେବଳ ସେତିକି ନୁହେଁ ଗ୍ରାମାଞ୍ଚଳରେ ଅଟାକଳର ସୁବିଧା ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ। ଏପରି ସ୍ଥଳେ ଅନ୍ୟ ରାଜ୍ୟକୁ ଚାହିଦା ମୁତାବକ ଖାଦ୍ଯଶସ୍ଯ ମିଳୁଥିବା ବେଳେ ଓଡ଼ିଶାର ହିତାଧିକାରୀ ମଧ୍ୟ ଅଧିକାର ପାଇବା ପାଇଁ ହକଦାର। ଆସାମ,ଆନ୍ଧ୍ର, ଛତିଶଗଡ଼, ଗୋଆ,ତେଲେଙ୍ଗାନା ପରି ରାଜ୍ୟକୁ ମିଳୁଛି ଶତ ପ୍ରତିଶତ ଚାଉଳ। ପଞ୍ଜାବ ଓ ରାଜସ୍ଥାନକୁ ଚାହିଦା ମୁତାବକ ମିଳୁଛି ଶତପ୍ରତିତ ଗହମ । ହରିୟାଣାରେ ଅଧିକ ଗହମ ଉତ୍ପାଦନ ହେଉଥିବାରୁ କୁ ୬୭ ପ୍ରତିଶତ ଗହମ ଓ ୩୩ ପ୍ରତିଶତ ଚାଉଳ ଦିଆଯାଉଛି।
ମନ୍ତ୍ରୀ କହିଛନ୍ତି,"ଓଡ଼ିଶାରେ ଶତ ପ୍ରତିଶତ ଲୋକେ ଭାତ ଖାଉଛନ୍ତି । ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ୮୬ ପ୍ରତିଶତ ଚାଉଳ ଓ ୧୪ ଗହମ ଦେଉଛନ୍ତି । ଅନେକ ସମୟରେ ୧୪ ପ୍ରତିଶତ ଠାରୁ ଅଧିକ ଗହମ ଦେଉଛନ୍ତି। ଅନ୍ୟ ରାଜ୍ୟକୁ ଚାହିଦା ମୁତାବକ ଶସ୍ୟ ମିଳୁଥିବା ବେଳେ ଓଡ଼ିଶାକୁ ଉପେକ୍ଷା କରାଯାଉଛି," କହିଛନ୍ତି ମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ପରେ ସରକାରଙ୍କୁ ସମାଲୋଚନା କରିଛି ରାଜ୍ୟ ବିଜେପି। ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି,"ରାଜ୍ୟ ସରକାର କହୁଛନ୍ତି ଚାଉଳ ଆମର ଅଭାବ ନାହିଁ। ଓଡ଼ିଶା ଚାଉଳ ଉତ୍ପାଦନ କରିବାରେ ପଛୁଆ ନୁହଁ। କିନ୍ତୁ କେତେ ବେଳେ କହୁଛନ୍ତି ଚାଉଳ ଦିଅ କେତେ ବେଳେ ଗହମ ଦିଅ। ଆଉ କେବେ କହୁଛନ୍ତି କହୁଛନ୍ତି ଆମ ପାଖରେ ଅଛି ଦିଅନି। ବାଚଳାମି କରୁଛନ୍ତି ରାଜ୍ୟ ସରକାର। ପ୍ରକୃତରେ କେନ୍ଦ୍ର ସରକାର ଯେଉଁ ଉଚ୍ଚମାନର ଚାଉଳ ଦେଉଛନ୍ତି ତାହା ଲୋକ ମାନଙ୍କ ପାଖରେ ପହଞ୍ଚି ପାରୁନି,।
କଂଗ୍ରେସ ବି କଡ଼ା ଭାଷାରେ ସମାଲୋଚନା କରିଛି। ପୂର୍ବତନ ପିସିସି ସଭାପତି କହିଛନ୍ତି,"ଉପା ସରକାରର ଏହି ଯୋଜନାକୁ ନେଇ ନିର୍ବାଚନ ପାର ହେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ଚାଉଳ ପ୍ରସଙ୍ଗ ନିର୍ବାଚନ ଜିତିବାରେ ସହାୟକ ହେଉଥିବାରୁ ନିଜ ନାମରେ ପ୍ରଚାର ପ୍ରସାର କରି ଉଭୟ ଭୋଟ ନେଉଛନ୍ତି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।