ରାଜ୍ୟରେ ଜୁଲାଇ ୧୭ ଯାଏ ପ୍ରବଳ ବର୍ଷା ; ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା

ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

  • Share this:
News 18 Odia Digital

ଭୁବନେଶ୍ୱର : ଜୁଲାଇ ପହିଲାରୁ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏ କେତେକ ସ୍ଥାନରେ ମଧ୍ୟମ ଓ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ପ୍ରଥମ ଲଘୁଚାପଟି ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ରହିବା ଦ୍ୱାରା ୧୧ ରୁ ୧୩ ତାରିଖ ଯାଏ ସାରା ରାଜ୍ୟରେ ପ୍ରତିଦିନ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଦ୍ୱିତୀୟ ଲଘୁଚାପଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ୧୪ ତାରିଖରେ ଅବପାତରେ ପରିଣତ ହେବ । ଓଡ଼ିଶା ଉପରେ ୨ ଦିନ ପ୍ରଭାବ ରହିବା ପରେ ଉତ୍ତର-ପଶ୍ଚିମ ବା ପଶ୍ଚିମ ଆଡ଼େ ଗତି କରିବ । ଏହାର ପ୍ରଭାବରେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ୧୭ ତାରିଖ ଆଡ଼କୁ ବର୍ଷା କମିବ ।

ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଜି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ପୁରୀ, ଜଗତସିଂହପୁର, ଅନୁଗୁଳ ଓ କଟକ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ୧୨ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସପ୍ତାହ ମଧ୍ୟରେ ୨୦୦ମିମିରୁ ଅଧିକ ଓ କିଛି ସ୍ଥାନରେ ୩୦୦ ମିମି ବର୍ଷା ହୋଇପାରେ । ୧୪ରୁ ୧୬ ତାରିଖ ୩ ଦିନ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳରେ ସବୁଠାରୁ କମ୍‌ ବର୍ଷା ହେବ । ଫଳରେ ମହାନଦୀ ଓ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକ ଫୁଲିବାର ସମ୍ଭାବନା ରହିଛି । ଅତ୍ୟଧିକ ବର୍ଷା ସମ୍ଭାବନା ଥିବାରୁ ୧୭ତାରିଖ ପର୍ଯ୍ୟନ୍ତ କୃଷି କାର୍ଯ୍ୟ ନ କରିବାକୁ ପରାମର୍ଶ ଦିଆଯାଇଛି ।
Published by:Soubhagya Mishra
First published: