ଆଜିଠାରୁ ୫ ଦିନ ରାଜ୍ୟରେ ଲଘୁଚାପ ବର୍ଷା : ଆଜି ଓ ଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳ ବର୍ଷା

ଆସନ୍ତାକାଲି ୭ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ସହ ୧୪ ଜିଲ୍ଲା କୁ ୟେଲୋ ୱାରନିଂ ଜାରି।

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

  • Share this:


News 18 Odia Digital

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାଂଲାଦେଶ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଯାହାଫଳରେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିବ । ବିଶେଷ କରି ଆଜି ପାଇଁ ୭ ଜିଲ୍ଲା ବରଗଡ, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଓ ଅଣ୍ଡରପାସ୍‌ ରାସ୍ତାରେ ଜଳବନ୍ଦୀ ସୃଷ୍ଟି ହୋଇପାରେ । ଗତ ମାସରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ କୃଷି କାର୍ଯ୍ୟ ପ୍ରଭାବିତ ହୋଇଥିଲା, ଚଳିତ ମାସରେ ଅଧିକ ବର୍ଷା କୃଷି କାର୍ଯ୍ୟକୁ ସୁହାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୋମବାର ଭଦ୍ରକ, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୫ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୟାଗଡର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୬ ତାରିଖରେ ମଧ୍ୟ କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି ।

ସାଧାରଣତଃ ଜୁନ ମାସରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ବଙ୍ଗୋପସାଗରରେ ସମୟେ ସମୟେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ ।  ଯାହା ଲଘୁଚାପର ରୂପ ମଧ୍ୟ ନିଏ । କିନ୍ତୁ ଚଳିତବର୍ଷ ବାୟୁମଣ୍ଡଳ ର ଚାପ ଯୋଗୁଁ ଜୁନ ମାସରେ ଆଦୌ କୌଣସି ସିଷ୍ଟମ୍ ସୃଷ୍ଟି ହୋଇନଥିଲା । ଫଳରେ ଜୁନ ମାସରେ ନିଆଣ୍ଟିଆ ବର୍ଷା ଦେଖିବାକୁ ମିଳିଛି । ବର୍ତ୍ତମାନ ଯେଉଁ ଲଘୁଚାପ ସୃଷ୍ଟି ହେଉଛି ତାହା ଯଦିଓ ଅଧିକ ଶକ୍ତିଶାଳୀ ହେବନାହିଁ  । କିନ୍ତୁ ଘୁର୍ଣ୍ଣିବଳୟ ପ୍ରଭାବରେ ପବନର ବେଗରେ ପରିବର୍ତ୍ତନ ଯୋଗୁ ରାଜ୍ୟରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବ । ଜୁଲାଇ ମାସରେ କିଛି ଦିନ ବର୍ଷା ହେବ ଯାହା ଜୁନ ମାସର ନିଆଣ୍ଟିଆ ବର୍ଷାର କ୍ଷତି ଭରଣା କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ସାରା ଦେଶକୁ ଛୁଇଁଛି ମୌସୁମୀ । ଜୁନ ୧୬ ରେ ଓଡ଼ିଶାର କିଛି ଅଂଶ କୁ ମୌସୁମୀ ବାୟୁ ଛୁଇଁଥିବାବେଳେ ୨୦ ତାରିଖରେ ସାରା ରାଜ୍ୟକୁ ଛୁଇଁଥିଲା । ହେଲେ ଜୁନ ମାସରେ ନିଆଣ୍ଟିଆ ବର୍ଷା ଚାଷ ପାଇଁ ଚିନ୍ତା ବଢ଼ାଇଥିଲା ।
Published by:Soubhagya Mishra
First published: