News18 Odia Digital
ଭୁବନେଶ୍ୱର: ଫେରିବ ଗ୍ରୀଷ୍ମପ୍ରବାହ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ତିନି ଦିନରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ୨୫ ରୁ ୨୬ ଏପ୍ରିଲ ଯାଏ ବଲାଙ୍ଗୀର, ବୌଦ୍ଧ, ଓ ସୋନପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ସେହିପରି ୨୭ ଏପ୍ରିଲରେ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।
ସେପଟେ ରାଜଧାନୀକୁ ଫେରିଲା ତାତି। ଶନିବାର ଦିନ ସାଢେ ୧୧ଟା ରୁ ୪୦ ଟପିଛି ତାତି। ଶୁକ୍ରବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରୀ ଥିବା ବେଳେ ଶନିବାର ମଧ୍ୟାହ୍ନରୁ ୪୦ ଟପିଲାଣି। ପାଣିପାଗ କେନ୍ଦ୍ର କହିଛି ଆହୁରି ବଢିବ। ୨୦୧୬ ରେ ଏପ୍ରିଲରେ ରାଜଧାନୀରେ ସର୍ବାଧିକ ୪୫.୮ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଯାହାକି ଏପ୍ରିଲ ମାସର ରାଜଧାନୀର ସର୍ବକାଳୀନ ରେକର୍ଡ଼। ସେହିପରି ୨୦୨୧ ଏପ୍ରିଲ ୨୫ ତାରିଖରେ ୪୩.୨ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ, ଝାରସୁଗୁଡାରେ ୩୭.୮ ଡ଼ିଗ୍ରୀ, ଗୋପାଳପୁରରେ ୩୦.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୭ ଡ଼ିଗ୍ରୀ, ପାରାଦ୍ୱୀପରେ ୩୧.୮ ଡ଼ିଗ୍ରୀ, ପୁରୀରେ ୩୨.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୮ ଡ଼ିଗ୍ରୀ, ହୀରାକୁଦରେ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।
ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଦିନ ୧୦ ଟା ରୁ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଏପ୍ରିଲ ୨୫ ରୁ ୨୭ ତାରିଖ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। କେନ୍ଦ୍ରୀୟ ଭାରତରେ ଆଣ୍ଟି ସାଇକ୍ଲୋନିକ ଫ୍ଲୋ ଜାରି ରହିଛି। ଫଳରେ ପାକିସ୍ତାନ ଓ ଆଫଗାନିସ୍ଥାନରୁ ଶୁଷ୍କ ବାୟୁ ଦେଶକୁ ଟାଣି ହୋଇଆସୁଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ପଡୁଛି। ଗୋଟେ ପଟେ ସୂର୍ଯ୍ୟଙ୍କ ପ୍ରଖରତା ଅଧିକ ରହୁଛି, ଅନ୍ୟପଟେ ଶୁଷ୍କ ବାୟୁପ୍ରବାହ। ଯାହା ତାତି ବଢାଇବାରେ ସହାୟକ ହୋଇଛି।
"ଫେବୃୟାରୀରୁ କ୍ରମାଗତ ଭାବେ ଓଡ଼ିଶାରେ ବର୍ଷା ନାହିଁ। ଫେବୃୟାରୀ ମାସରେ ୮୯ ପ୍ରତିଶତ ବର୍ଷା କମ ହୋଇଥିବା ବେଳେ ମାର୍ଚ୍ଚରେ ୯୬ ପ୍ରତିଶତ କମ ବର୍ଷା ହୋଇଛି। ଏପ୍ରିଲ ୨୦ ତାରିଖ ସୁଦ୍ଧା ୮୬ ପ୍ରତିଶତ କମ ବର୍ଷା ହୋଇଛି। ସାମୁଦ୍ରିକ ବାୟୁପ୍ରବାହ ଦୁର୍ବଳ ରହିଛି। ଏପଟେ ଶୁଷ୍କ ଗରମ ବାୟୁପ୍ରବାହ ଜାରି ରହିଛି। ଫଳରେ ତାପମାତ୍ରା ବଢିଚାଲିଛି,"କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।