ମୌସୁମୀ ପୂର୍ବରୁ ବିଏମ୍ସିକୁ ଘାରିଛି ପରିମଳ ଚିନ୍ତା (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ମୌସୁମୀ ପୂର୍ବରୁ ବିଏମ୍ସିକୁ ଘାରିଛି ପରିମଳ ଓ ପରିବେଶ ଚିନ୍ତା । ଅନୁଷ୍ଠିତ ହୋଇଯାଇଛି ୫ଟି ଗୁରୁତ୍ତ୍ବପୂର୍ଣ୍ଣ ବିଭାଗ ସମ୍ବଳିତ ଷ୍ଟାଣ୍ଡିଂ କମିଟି ବୈଠକ । ସ୍ବାସ୍ଥ୍ୟ, ପରିମଳ, ବିଦ୍ୟୁତ୍, ଜଳ ଯୋଗାଣ ଓ ଡ୍ରେନେଜ ଆଦି ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ପ୍ରତିକାର ନେଇ ବିସ୍ତୃତ ଆଲୋଚନା ହୋଇଛି।
ବିଏମ୍ସିର କାଉନ୍ସିଲ ବୈଠକ ପୂର୍ବରୁ ଆୟୋଜିତ ହେଉଛି ବିଭିନ୍ନ ଷ୍ଟାଣ୍ଡିଂ କମିଟିର ବୈଠକ। ପବ୍ଲିକ୍ ହେଲଥ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୈଠକ । ଯେଉଁଥିରେ ସ୍ବାସ୍ଥ୍ୟ, ଜଳଯୋଗାଣ, ବିଦ୍ୟୁତ୍, ପରିମଳ, ବିଦ୍ୟୁତ୍ ଓ ଡ୍ରେନେଜ ଭଳି ଗୁରୁତ୍ତ୍ବପୂର୍ଣ୍ଣ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା । ଆଗକୁ ମୌସୁମୀ ଥିବା ବେଳେ ପରିମଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କର୍ପୋରେଟର । ପରିମଳ ବ୍ୟବସ୍ଥାରେ ନିୟୋଜିତ ଥିବା ବିଭିନ୍ନ ଘରୋଇ ସଂସ୍ଥାଙ୍କ କାର୍ଯ୍ୟକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି ।
ସହରର ଆଲୋକୀକରଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ ସମସ୍ତ ଓ୍ବାର୍ଡ଼ରେ ହାଇମାଷ୍ଟ ଲାଇଟ୍ ଲଗାଯିବା ଓ ବିଏମ୍ସିର ୩ଟି ଯାକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିଭଳି ୨୪*୭ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ ସେଥିନେଇ ପ୍ରସ୍ତାବ ଆସିଥିଲା। ଭୁବନେଶ୍ବରକୁ ପଲିଥିନ୍ ମୁକ୍ତ କରିବାକୁ ଯାଇ ଏନ୍ଫୋର୍ସମେଣ୍ଟ କଡାକଡି କରିବାକୁ ନିଆଯାଇଛି ନିଷ୍ପତ୍ତି । ବର୍ତ୍ତମାନ କେବଳ ଗୋଟିଏ ସେଣ୍ଟ୍ରାଲ ସ୍କ୍ବାର୍ଡ ଥିବା ବେଳେ ୩ଟି ଯୋନରେ ଅଧିକ ୩ଟି ସ୍କ୍ବାର୍ଡ଼ ଗଠନ କରାଯିବ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆବଶ୍ୟକ ଥିବା ବାୟୋ ମାଇନିଂ ପ୍ଲାଣ୍ଟକୁ କିଭଳି କମିଟିର ହସ୍ତକ୍ଷେପ ଜରିଆରେ କାର୍ଯ୍ୟକ୍ଷମ କରାଯିବ ସେଥିପ୍ରତି ଗୁରୁତ୍ତ୍ବ ଦିଆଯାଇଥିଲା । ପ୍ରତି ଓ୍ବାର୍ଡ଼ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଜରିଆରେ ୫ଶହ ଲେଖାଏଁ ବୃକ୍ଷ ରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ଜଳସ୍ତର ବୃଦ୍ଧି କରିବା ପାଇଁ ୩୦୬୨ଟି ବର୍ଷା ଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ସହରରେ ଥିବା ସମସ୍ତ ଇ-ଶୌଚାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
" ଅନେକ ଦିନରୁ ଅନେକ ଥର ସହର ସଫେଇ କୁ ନେଇ ଅଭିଯୋଗ ଆସୁଛି। ଯିଏ ଏହି ଦାୟିତ୍ୱ ନେଇଛନ୍ତି ତାଙ୍କର ଅବଧି ସରୁଛି । ଖୁବଶୀଘ୍ର ନୂଆ ଏଜେନ୍ସି ମାଧ୍ୟମରେ କିଭଳି ଭଲ କାମ ହୋଇ ପାରିବ ତାକୁ ଗୁରୁତ୍ୱ ଦିଆଯିବ। ଜୁଲାଇ ୧ ତାରିଖ ଠାରୁ ନୂଆ ଏଜେନ୍ସି ବୁଝିବ ପରିମଳ କାମ। ସେହିଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକ କୁ ନେଇ ୩ ଜୋନରେ ୩ ଟି ନୂଆ ସ୍କ୍ବାର୍ଡ ଗଠନ କରାଯିବ ଓ ନିୟମିତ ବ୍ୟବଧାନ ରେ ପ୍ଲାଷ୍ଟିକ ବନ୍ଦ ଉପରେ ଗୁରୁତ୍ୱ ଦିଆଯିବ," କହିଛନ୍ତି ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।
"ଆଜି ଷ୍ଟାଣ୍ଡିଂ କମିଟିରେ କେଉଁ କେଉଁ କାମକୁ ପ୍ରାଥମିକତା ଦେଇ କରାଯିବ ବିଶେଷ କରି ତାରି ଉପରେ ଆଲୋଚନା ହୋଇଥିଲା। ପରିମଳ, ଡ୍ରେନେଜ, ଇଲେକ୍ଟ୍ରିଫିକେସନ ଭଳି ମୁଖ୍ୟ ସମସ୍ୟା ବର୍ଷା ପୂର୍ବରୁ ସୁଧାରିବାର ଆବଶ୍ୟକ ରହିଛି। ଏଣୁ ଏହି ସବୁ କାମକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ ହୋଇଛି,"କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।