ଉଭୟ ପେଟ୍ରୋଲ ଓ ବ୍ୟାଟେରୀରେ ଗାଡ଼ି ତିଆରି କରି ଚର୍ଚ୍ଚାରେ ବ୍ରହ୍ମପୁରର ଏହି ବ୍ୟକ୍ତି

ଗାଡ଼ି ଗ୍ୟାରେଜ ମାଲିକ ସାଇରାମ ଆଚାରୀ ତିଆରି କଲେ ଟୁ-ଇନ୍‌-ୱାନ ଗାଡ଼ି। ଉଭୟ ପେଟ୍ରୋଲ ଓ ବ୍ୟାଟେରୀରେ ଗାଡ଼ି ଚାଲୁଥିବା ଯୋଗୁଁ ସହରବାସୀ ଏହି ଗାଡ଼ିକୁ ପସନ୍ଦ କରିବା ସହ ତିଆରି ପାଇଁ ଦିନକୁ ଏକାଧିକ ଅର୍ଡ଼ର ଦେଉଛନ୍ତି।

ଉଭୟ ପେଟ୍ରୋଲ ଓ ବ୍ୟାଟେରୀରେ ଗାଡ଼ି ତିଆରି କରି ଚର୍ଚ୍ଚାରେ ବ୍ରହ୍ମପୁରର ଏହି ବ୍ୟକ୍ତି

ଉଭୟ ପେଟ୍ରୋଲ ଓ ବ୍ୟାଟେରୀରେ ଗାଡ଼ି ତିଆରି କରି ଚର୍ଚ୍ଚାରେ ବ୍ରହ୍ମପୁରର ଏହି ବ୍ୟକ୍ତି

  • Share this:
News18 Odia Digital

ବ୍ରହ୍ମପୁର: ପେଟ୍ରୋଲ ଦର ବୃଦ୍ଧି ନେଇ ଏବେ ଦିନକୁ ଦିନ ବଢ଼ୁଛି ବ୍ୟାଟେରୀ ଗାଡ଼ିର ଚାହିଦା। ତେବେ ବ୍ୟାଟେରୀ ଗାଡ଼ିରେ ଦୂର ସ୍ଥାନକୁ ଯାତାୟତ କରିବା ସମ୍ଭବପର ନୁହେଁ। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରର ଜଣେ ଗାଡ଼ି ଗ୍ୟାରେଜ ମାଲିକ ଉଭୟ ବ୍ୟାଟେରୀ ଓ ପୋଟ୍ରୋଲରେ ଚାଲିବା ଭଳି ଏକ ଗାଡ଼ି ତିଆରି କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା।

ସହରର ରାମଲିଙ୍ଗମ ପୋଖରୀ ନିକଟରେ ଗାଡ଼ି ଗ୍ୟାରେଜ କରିଥିବା ସାଇରାମ ଆଚାରୀ ଏହି ଗାଡ଼ିକୁ ତିଆରି କରିଛନ୍ତି। ଏହି ଗାଡ଼ିରେ ୫୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରାୟ ଏକ ବର୍ଷ ଧରି ରିସର୍ଚ୍ଚ କରିବା ପରେ ଏଭଳି ଟୁ-ଇନ୍‌-ୱାନ ଗାଡ଼ି ତିଆରି କରିଛନ୍ତି ସାଇରାମ।

ସାଇରାମଙ୍କ ଟୁ-ଇନ୍‌-ୱାନ ଗାଡ଼ି ବିରଳ ହୋଇଥିବା ବେଳେ ଏ ସମ୍ପର୍କରେ ଜାଣିବା ପରେ ଅନେକ ଏଭଳି ଗାଡ଼ି ତିଆରି କରିବା ନିମନ୍ତେ ତାଙ୍କୁ ଅର୍ଡ଼ର ଦେଉଛନ୍ତି।

ବ୍ରହ୍ମପୁର ସହରରେ ଏବେ ଚର୍ଚ୍ଚାରେ ସାଇରାମ ଆଚାରୀ। ସାଇରାମ ଏକ ଗ୍ୟାରେଜ ମାଲିକ ହୋଇଥିବା ବେଳେ ଏବେ ତାଙ୍କ କାମକୁ ସମସ୍ତେ ପ୍ରଂଶାସ କରୁଛନ୍ତି। କାରଣ ସାଇରାମ ତିଆରି କରିଛନ୍ତି ଟୁ-ଇନ୍‌-ୱାନ ଗାଡ଼ି। ବ୍ରହ୍ମପୁର ରାମଲିଙ୍ଗମ ପୋଖରୀ ନିକଟରେ ସାଇରାମ ଏକ ଗାଡ଼ି ଗ୍ୟାରେଜ କରିଛନ୍ତି। ଲକଡାଉନ ସମୟରେ ରିସର୍ଚ୍ଚ କରି ଏକ ପ୍ରଥମେ ଏକ ବ୍ୟାଟେରୀ ଗାଡ଼ି କରିବା ନିମନ୍ତେ ମନସ୍ତ କରିଥିଲେ। ଏହାପରେ ସେ ଚିନ୍ତା କଲେ କିଛି ନୂଆ ଗାଡ଼ି କରିବା ନିମନ୍ତେ। ଯାହାଫଳରେ ସେ ୟୁଟ୍ୟୁବର ସହୟତାରେ ବିଭିନ୍ନ ଭିଡ଼ିଓ ଦେଖି ରିସର୍ଚ୍ଚ କରି ଏକ ବର୍ଷ ମଧ୍ୟରେ ତିଆରି କରିଛନ୍ତି ଟୁ-ଇନ୍‌-ୱାନ ଗାଡ଼ି।

‘‘ଏହି ଗାଡ଼ିରେ ମୋଟ ୫୫,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। ଗାଡ଼ିରେ ବ୍ୟାଟେରୀରେ ଚାଲିବା ନିମନ୍ତେ ବିଭିନ୍ନ ଯାନ୍ତ୍ରିକ ସାରଞ୍ଜାମ ରଖିଛନ୍ତି। ଏହାର ଏକ କନେକ୍ସନ ଚାବିକୁ ଦେଇଛନ୍ତି। ଯାହାଫଳରେ ଚାବି ଅନ କରିବା ବେଳେ ନିଜ ଇଚ୍ଛା ମୁତାବକ ବ୍ୟାଟେରୀରେ ଗାଡ଼ି ଚଳାଇବ ହେବ ନଚେତ୍ ପେଟ୍ରୋଲ ଦ୍ବାରା ମଧ୍ୟ ଗାଡ଼ି ଚଳାଇ ହେବ। ଏଭଳି ଗାଡ଼ି ତିଆରି କରିବା ପରେ ସେ ନିଜେ ଅନେକ ଦୂର ଦୂରାନ୍ତର ସ୍ଥାନକୁ ଯାଇ କିଭଳି ବ୍ୟାଟେରୀ ଓ ପେଟ୍ରୋଲ ଉଭୟ କାମ ଦେଉଛି ସେ ନେଇ ପ୍ରଥମେ ପରୀକ୍ଷା କରିଥିଲେ। ଏହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିଲା। ଯାହାଫଳରେ ସାଇରାମଙ୍କ ଏଭଳି ସଫଳ ଗାଡ଼ି ଚର୍ଚ୍ଚାକୁ ଆସିବା ପରେ ଏବେ ସହରର ଅନେକ ଲୋକେ ଏଭଳି ଗାଡ଼ି ତିଆରି କରିବା ନିମନ୍ତେ ଅର୍ଡର ଦେଉଛନ୍ତି,’’ କହିଛନ୍ତି ଗାଡ଼ି ଗ୍ୟାରେଜ ମାଲିକ ସାଇରାମ ଆଚାରୀ।

‘‘ବର୍ତ୍ତମାନ ସମୟରେ ଅନେକ ବ୍ୟାଟେରୀ ଗାଡ଼ିକୁ ବ୍ୟବହାର କରିଥାନ୍ତି। କିନ୍ତୁ ବ୍ୟାଟେରୀ ଗାଡ଼ି ଧରି ଦୂର ରାସ୍ତାକୁ ଯିବା ସମ୍ଭବପର ହେଉନଥିବା ବେଳେ ସାଇରାମଙ୍କ ଏଭଳି ଟୁ-ଇନ୍‌-ୱାନ ଗାଡ଼ିକୁ ସମସ୍ତେ ପସନ୍ଦ କରୁଛନ୍ତି। ପ୍ରତିଦିନ ସହରର ଲୋକେ ଏହି ଗାଡ଼ିକୁ ଆସି ଦେଖିବା ସହିତ ଗାଡ଼ିରେ କେଉଁ ସବୁ ସୁବିଧା ରହିଛି ସେ ନେଇ ପଚାରି ବୁଝୁଛନ୍ତି। ଅନେକ ଲୋକେ ପଚାରି ବୁଝିବା ପରେ ଏଭଳି ଗାଡ଼ି ତିଆରି କରିବା ନେଇ ଅର୍ଡ଼ର ମଧ୍ୟ ଦେଉଛନ୍ତି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ଟୁ-ଇନ୍‌-ୱାନ ଗାଡ଼ି କୌଣସ କମ୍ପାନୀ ବାହାର କରିନାହିଁ। ଯାହାଫଳରେ ସାଇରାମଙ୍କ ଦ୍ବାରା ତିଆରି କରାଯାଇଥିବା ଏହି ଗାଡ଼ିଟି ଏବେ ସହରରେ ବେଶ ଆଦୃତ ହୋଇଛି,’’ କହିଛନ୍ତି ସାଇରାମଙ୍କ ଗ୍ୟାରେଜରେ କାମ କରୁଥିବା ଯୁବକ ବାବୁ କୁମାର ସାହୁ।

ଅନେକ ବ୍ୟାଟେରୀ ଗାଡ଼ି କମ୍ପାନୀର ନିୟମ ପ୍ରକାରେ କିଛି କିଲୋମିଟର ଚାଲିବା ପରେ ବନ୍ଦ ହୋଇଯାଇଥାଏ। ତେବେ ଏଭଳି ଟୁ-ଇନ୍‌-ୱାନ ଗାଡ଼ି ଧରି ଚଳାଇବା ଦ୍ବାରା ନିଜର ମନ ମୁତାବକ ଯେତେବେଳେ ଇଚ୍ଛା ହେଲା ସେତେବେଳେ ବ୍ୟାଟେରୀ ଓ ପେଟ୍ରୋଲ ଦ୍ବାରା ଗାଡ଼ି ଚଳାଇ ପାରବା। ଗୋଟିଏ ପଟେ ପେଟ୍ରୋଲ ଦର କମିଲେ ପେଟ୍ରୋଲକୁ ବ୍ୟବହାର କରି ଗାଡ଼ି ଚଳାଇ ହେବ ଅନ୍ୟପଟେ ବ୍ୟାଟେରୀରେ ଗାଡ଼ି ଚଳାଇ ପ୍ରଦୂଷଣକୁ ମଧ୍ୟ ରୋକା ଯାଇପାରିବ। ସେହିପରି ଏଭଳି ଗାଡ଼ି ଦ୍ବାରା ଦୂରସ୍ଥାନକୁ ଗଲେ କୌଣସି ଅସୁବଧା ହେବନାହିଁ। ତେଣୁ ଏଭଳି ଗାଡ଼ି ନିଶ୍ଚିତ ଭାବେ ବେଶ ସହାୟକ ହେବ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଇରଫାନ ଦାସ।

ସାଇରାମଙ୍କ ଦ୍ବାରା ତିଆରି ହୋଇଥିବା ଏହି ଟୁ-ଇନ୍‌-ୱାନ ଗାଡ଼ିକୁ ସହରବାସୀ ବେଶ ପସନ୍ଦ କରୁଥିବା ବେଳେ ପ୍ରତିଦିନ ଏକାଧିକ ବ୍ୟକ୍ତି ଏଭଳି ଗାଡ଼ି ନିର୍ମାଣ କରିବା ନିମନ୍ତେ ତାଙ୍କୁ ଅର୍ଡ଼ର ଦେଉଛନ୍ତି। ଆଗାମୀ ଦିନରେ ଗାଡ଼ିର ସଫଳତାକୁ ନେଇ ଏଭଳି ଅନେକ ଗାଡ଼ି ନିର୍ମାଣ କରି ଯେଉଁମାନେ ଅର୍ଡ଼ର ଦେଉଛନ୍ତି ସେମାନଙ୍କୁ ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି ସାଇରାମ।
Published by:Lipina Das
First published: