ବ୍ଲାଙ୍କ ଫାୟରିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ; ସ୍ତ୍ରୀର ବନ୍ଧୁକରେ ଦେଖାଉଥିଲା ଦାଦାଗିରି

ଅଭିଯୁକ୍ତ ବିନୟଙ୍କ ସ୍ତ୍ରୀ ଜଣେ ଜାତୀୟ ସ୍ତରୀୟ ସ୍ପୋର୍ଟ ସୁଟର । ତାଙ୍କ ନାମରେ ଲାଇସେନ୍ସ ଥିବା ବନ୍ଧୁକରୁ ବିନୟ କିପରି ଗୁଳି ଚାଳନା କରିପାରୁଛି ସେନେଇ ତଦନ୍ତ କରୁଛି ପୋଲିସ ।

ବ୍ଲାଙ୍କ ଫାୟରିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ (ପ୍ରତୀକାତ୍ମକ ଛବି)

ବ୍ଲାଙ୍କ ଫାୟରିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମଙ୍ଗଳବାର ସିଆରପି ଛକ ନିକଟରେ ଫାଙ୍କା ଗୁଳି ଚାଳନା ଘଟଣା ମୁଖ୍ୟ ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କରିଛି ନୟାପଲ୍ଲି ଥାନା ପୋଲିସ । ଜବତ ହୋଇଥିବା ପିସ୍ତଲଟି ବିନୟଙ୍କ ପତ୍ନୀଙ୍କ ନାମରେ ଲାଇସେନ୍ସ ଥିବା ଜଣା ପଡ଼ିଛି।

ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ନୂଆ ଗ୍ୟାଙ୍ଗ । ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ତେଜୁଛି ବିବାଦ । କଥା କଥାକେ ଫୁଟୁଛି ଗୁଳି ।ମଙ୍ଗଳବାର ସିଆରପି ବ୍ଲାଙ୍କ ଫାୟରିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫାୟରିଂରେ ବ୍ୟବହୃତ ପିସ୍ତଲକୁ ମଧ୍ୟ ଜବତ କରିଛି ପୋଲିସ । ବିନୟଙ୍କ ପତ୍ନୀ ଜଣେ ଜାତୀୟ ସ୍ତରର ସ୍ପୋର୍ଟ ସୂଟର । ତେବେ ପତ୍ନୀଙ୍କ ବନ୍ଧୁକ କାହିଁକି ବିନୟ ଧରି ବୁଲୁଥିଲା ତାର ତଦନ୍ତ କରୁଛି ପୋଲିସ।

"ଭୁବନେଶ୍ୱର ସିଆରପି ଛକ ବ୍ଲାଙ୍କ ଫାୟରିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିନୟ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ସିଆରପି ଛକରେ ଅଭିଯୁକ୍ତ ବିନୟ ବରମୁଣ୍ଡା ଅଞ୍ଚଳର ବାବୁ ଜେନାଙ୍କୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ କରିଥିଲା। ସିଆରପି ଛକ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୁଳି ଫୁଟିବା ଦେଖି ଲୋକେ ଭୟଭୀତ ହୋଇଥିଲେ । ବିନୟଙ୍କୁ ଗିରଫ ପରେ ଫାଙ୍କା ଗୁଳି ଚାଳନା ନେଇ ତଦନ୍ତ କରାଯାଇଥିଲା । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ତେବେ ପୂର୍ଵ ଶତ୍ରୁତା କାହିଁକି ହେଲା ତାହା ଜଣା ପଡ଼ିନି,"କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଶ୍ରୀ ସିଂ କହିଛନ୍ତି ଯେ, ବିନୟ ବ୍ୟବହାର କରିଥିବା ବନ୍ଧୁକଟି ତାଙ୍କ ପତ୍ନୀଙ୍କ ନାମରେ ଲାଇସେନ୍ସ ରହିଛି । ତାଙ୍କ ପତ୍ନୀ ଟାର୍ଗେଟ ପ୍ରାକ୍ଟିସ ପାଇଁ ବନ୍ଧୁକ ଲାଇସେନ୍ସ ନେଇଛନ୍ତି। ତେଣୁ କେଉଁ ପରିସ୍ଥିତିରେ ପତ୍ନୀଙ୍କ ବନ୍ଧୁକ ଆଣି ବିନୟ ବ୍ୟବହାର କରୁଛି ତାର ତଦନ୍ତ ଚାଲିଛି।

ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ବିନୟ ଆଚର୍ଯ୍ୟ ଜଣେ ବିକମ୍ ଛାତ୍ର । ସେ ଜଣେ କଣ୍ଟ୍ରାକଟର ଭାବେ କାମ କରନ୍ତି । ଗତ ବର୍ଷ ଲଷ୍ମୀପୂଜା ବେଳେ ବିନୟଙ୍କୁ କିଛି ଦୃବୁର୍ତ୍ତ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ଯୁବକମାନେ ହେଲେ କେବିଏନ ଗ୍ୟାଙ୍ଗ ସଦସ୍ୟ । ତେଣୁ ତାହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା ବିନୟ ।  ଅଭିଯୁକ୍ତ ବିନୟ ଗୁଳିରୁ ବର୍ତ୍ତିଥିବା ବାବୁ ଜେନା ହେଉଛନ୍ତି କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନାଙ୍କ ଭାଇ ।

ଏବେଠୁ ଅପରାଧିଙ୍କୁ ସାବାଡ଼ ନକଲେ ଆଗକୁ ରାଜଧାନୀରେ ପତିଆରା ପାଇଁ ଗ୍ୟାଙ୍ଗୱାର ହେବା ନେଇ ପୋଲିସକୁ ଚେତାଇଲେଣି ଅପରାଧି । ତେଣୁ ପୋଲିସ ଅପରାଧି ଙ୍କ ପ୍ରତି ଆଗୁଆ କାର୍ଯ୍ୟାନୁଷ୍ଠାନ ନେବାକୁ ମତ ରଖିଛନ୍ତି ବୁଦ୍ଧିଜୀବୀ ।
Published by:Soumya Das
First published: