ସାପ କମୁଡ଼ାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ବାରଙ୍ଗ ନନ୍ଦନକାନନ ଖୁଆଡ଼ ନଂ ୩୦(ଖ)ରେ ରହୁଥିବା ଆଫ୍ରିକୀୟ ସିଂହୀ ଗଙ୍ଗା ମୃତ୍ୟୁ ହୋଇଛି। ଖୁଆଡ ଭିତରେ ବିଷାକ୍ତ ଚିତି ସାପ ଆକ୍ରମଣରେ ସିଂହୀର ମୃତ୍ୟୁ ସନ୍ଦେହ କରାଯାଉଛି । ତେବେ ଶବ ବ୍ଯବଛେଦ ପରେ ସିଂହ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ସେପଟେ ଗଙ୍ଗାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି । ତେବେ ଚକିତ୍ସା ଅବହେଳା ପାଇଁ ଗଙ୍ଗାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
"ସାପ କାମୁଡ଼ାରେ ସିଂହୀ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶନିବାର ସକାଳେ ନନ୍ଦନକାନନରେ ଥିବା ୧୫ ବର୍ଷୀୟ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଛି । ପ୍ରାଥମିକ ଚିକିତ୍ସା ସହ ତିନୋଟି ଆଣ୍ଟି ଭେନମ ଦିଆ ଯିବାପରେ ମଧ୍ୟ ବିଷ ରକ୍ତରେ ଖେଳି ଯାଇଥିବାରୁ ଗଙ୍ଗାର ମୃତ୍ୟୁ ହୋଇଛି । ଓୟୁଏଟିର ଏକ ଡାକ୍ତରୀ ଟିମ ସିଂହୀର ପୋଷ୍ଟ ମର୍ଟନ କରିଥିବା ବେଳେ ରିପୋର୍ଟ ଆସିଲେ ପ୍ରକୃତ ସତ ସମ୍ନାକୁ ଆସିବ। ଶନିବାର ସକାଳୁ ଏନକ୍ଲୋଜର ଖୋଲିବା ପରେ ଗଙ୍ଗାର ସ୍ଵଭାଵରେ ପରିବର୍ତ୍ତନ ଦେଖା ଦେଇଥିଲା । ନନ୍ଦନକାନନ ଭେଟନାରୀ ଟିମ ଆସି ପ୍ରଥମେ ଚିକିତ୍ସା କରିଥିଲେ । ପ୍ରାଥମିକ ଚିକିତ୍ସା ସମୟରେ ପାଣି କୁଣ୍ଡ ଭିତରେ ଏକ ସାପ ଦେଖିବାକୁ ମିଳିଥିଲା । ତେଣୁ ସାପ କାମୁଡ଼ାରେ ଗଙ୍ଗାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି," କହିଛନ୍ତି ନନ୍ଦନକାନନ ଉପନିର୍ଦେଶକ ସଞ୍ଜିତ କୁମାର ।
ସେପଟେ ସିଂହୀର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି,"ସିଂହୀ ଏନକ୍ଲୋଜର ଭିତରକୁ ବିଷାକ୍ତ ସାପ କେମିତି ଆସିଲା। ସିଂହୀକୁ ଆଣ୍ଟି ଭେନମ ଦିଆଯିବାର ଅବହେଳା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ ଲାଇନ ଅନୁସାରେ ସାପ କାମୁଡ଼ା ପରେ ୧୦ ଭେଲ ଆଣ୍ଟି ଭେନମ ଦିଆଯିବା କଥା । ହେଲେ ୩ ଭେନମ ଦିଆଯାଇ କାହିଁକି ବନ୍ଦ କରି ଦିଆଗଲା ତାହାକୁ ନେଇ ପ୍ରଶ୍ନ । ଏପରିକି ନନ୍ଦନକାନନରେ ଆବଶ୍ୟକୀୟ ଆଣ୍ଟି ଭେନମ ଥିଲା ନା ନାହିଁ ତାହା ବି ସନ୍ଦେହ ପ୍ରକଟ କରୁଛି।"
ସୂଚନାଯୋଗ୍ୟ, ଗତ କିଛି ଦିନ ଭିତରେ ମାଈ ଗରଳ, ମାଈ ବଜ୍ରକାପ୍ତା , ଦୁଇଟି ବାଘ ଛୁଆଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗତ ୪ମାସ ମଧ୍ୟରେ ୪୫ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ଜାନୁୟାରୀ ରେ ସର୍ବାଧିକ ୧୮ ଜୀବଙ୍କ ମୃତ୍ୟୁ ଘଟିଥିବା ବେଳେ ଅସୁସ୍ଥତା ଓ ରୋଗାଗ୍ରସ୍ତ ଜନ୍ତୁଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଜଣା ପଡ଼ିଥିବା ବେଳେ ଚିଡ଼ିଆଖାନାରେ ଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।