News18 Odia Digital
ଭୁବନେଶ୍ୱର: ଆଜି ଖୋଲିବ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ! ଆଜି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ ଆଜି ଆସିପାରେ। ରିପୋର୍ଟ ଆସିବା ପରେ ସତ ମିଛ ଜଣା ପଡିବ ।
ଆହୁରି ମଧ୍ଯ ଦରକାର ପଡ଼ିଲେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ସମ୍ବଲପୁର ଏସପି କହିଛନ୍ତି । ପୂର୍ବରୁ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟରୁ ଜଣାପଡ଼ିଛି । ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାକୁ ନେଇ ତଦନ୍ତ ଚାଲୁ ରହିଛି । ଏହାରି ଭିତରେ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଛି ପୋଲିସ ।
ଚିନ୍ମୟୀଙ୍କ ବାପା, ମାଆ ଓ ଭଉଣୀଙ୍କୁ ପୋଲିସ ପଚରାଉଚରା କରିଛି । ଏହି ସମୟରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ବି. ଗଙ୍ଗାଧର, ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।ଅନ୍ଯପଟେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଚିନ୍ମୟୀ । କିନ୍ତୁ କେମିତି ପାଣିରେ ବୁଡ଼ିଲେ, ତାହା ଜାଣିପାରୁନି ପୋଲିସ । ଏହାରି ଭିତରେ ସାମ୍ନାକୁ ଆସିଛି ଚିନ୍ମୟୀଙ୍କ ବେକରେ ଥିବା ଏକ ଦାଗ । ଚିନ୍ମୟୀଙ୍କ ପରିବାର କହିଛନ୍ତି, ଯଦି ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ତେବେ ବେକରେ କାହିଁକି ଦାଗ ରହିବ ? ଚିନ୍ମୟୀଙ୍କୁ ମାରି ଦେବା ପରେ ପିସି ବ୍ରିଜ ଉପରୁ ନଦୀକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଚିନ୍ମୟୀଙ୍କ ମାଆ ଅଭିଯୋଗ ଆଣିଛନ୍ତି ଯେ ଶେଷ ଥର ଝିଅକୁ ଫୋନ୍ କରିବା ବେଳେ ସେ ଶ୍ବାସରୁଦ୍ଧ ଭଳି ମନେ ହେଉଥିଲା ।
ସାଇଣ୍ଟିଫିକ୍ ଟିମ୍ ସହ ବୁର୍ଲା ପୋଲିସର ଏକ ଟିମ୍ ପାୱାର କେନାଲ ଓ ସାଇଫନ ପାଖକୁ ଯାଇ ତଦନ୍ତ କରିଛନ୍ତି । ଘଟଣାସ୍ଥଳରେ ପାଣିର ଗଭୀରତା ସହ ଡ୍ୟାମ୍ ଉଚ୍ଚତା ମାପିଛନ୍ତି । ପୋଲିସର ଆଉ ଏକ ଟିମ୍ ଭୁବନେଶ୍ବର ବିଜେବି ନଗର ଭଡ଼ାଘରେ ଯାଞ୍ଚ କରି ଚିନ୍ମୟୀଙ୍କ ବ୍ୟାଗ୍, ଲାପ୍ଟପ ଓ କିଛି କାଗଜପତ୍ର ଜବତ କରିଛି ।
ଏହି ଘଟଣାରେ ୩୧ ଜଣଙ୍କୁ ଜେରା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ଜଣ ଦୋକାନୀ ଓ ଜଣେ ଢାବା ମାଲିକ ସମେତ ଅନେକ ଛାତ୍ରଛାତ୍ରୀ ଥିବା କହିଛନ୍ତି ସମ୍ବଲପୁର ଏସପି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।