ବିଧାନସଭାରେ ଶେଷ ସମ୍ମାନ; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ରାଜ୍ୟରେ ୩ ଦିନିଆ ଶୋକ ପାଳନ

ପଶ୍ଚିମ ଓଡ଼ିଶାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ନହ ଦାସଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ନିଜ ଫୋଲ୍‌ଡକୁ ଆଣିଥିଲା ବିଜେଡି । ଆଉ ୨୦୧୯ରେ ଲଗାତର ତୃତୀୟ ଏବଂ ବିଜେଡିରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ନବ କିଶୋର ।

ବିଧାନସଭାରେ ଶେଷ ସମ୍ମାନ; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ରାଜ୍ୟରେ ୩ ଦିନିଆ ଶୋକ ପାଳନ

ବିଧାନସଭାରେ ଶେଷ ସମ୍ମାନ; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ରାଜ୍ୟରେ ୩ ଦିନିଆ ଶୋକ ପାଳନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନେତା। କଂଗ୍ରେସରୁ କ୍ୟାରିୟର ଆରମ୍ଭ ଆଉ ବିଜେଡିରେ ମନ୍ତ୍ରୀ। ପଶ୍ଚିମ ଓଡ଼ିଶାରେ ଛାମୁଆ ନେତା ଥିଲେ ନବ କିଶୋର ଦାସ (Naba kishor das)।  ଲଗାତର ୩ ଥର ଝାରସୁଗୁଡ଼ାରୁ ହୋଇଥିଲେ ବିଧାୟକ (MLA)। ୨ ଥର କଂଗ୍ରେସ ଏବଂ ୨୦୧୯ରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ କିଏ ଜାଣିଥିଲା ଏମିତି ଭାବେ ଛାଡ଼ି ଚାଲିଯିବେ ଏହି ହେଭିୱେଟ୍‌ ନେତା ।

ନବ କିଶୋର ଦାସ । ପଶ୍ଚିମ ଓଡ଼ିଶାର ଟାଣୁଆ ରାଜନେତା । ଲଗାତର ୩ ଥରର ବିଧାୟକ। ପଶ୍ଚିମ ଓଡ଼ିଶାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ନହ ଦାସଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ନିଜ ଫୋଲ୍‌ଡକୁ ଆଣିଥିଲା ବିଜେଡି । ଆଉ ୨୦୧୯ରେ ଲଗାତର ତୃତୀୟ ଏବଂ ବିଜେଡିରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ନବ କିଶୋର । ଏହାପରେ ନବୀନ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଆଉ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ୨୦୨୦ ଏବଂ ୨୦୨୧ରେ ରାଜ୍ୟରେ କୋରୋନା ମହାମାରୀର ସଫଳ ମୁକାବିଲା କରିପାରିଥିଲେ । ସେହିପରି କୋଭିଡ ଟିକା ପରିଚାଳନାକୁ ବି ଦକ୍ଷତାର ସହ ସମ୍ପାଦନ କରିଥିଲେ ନବ । ପୁରା ବିଭାଗର କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ସମସ୍ତେ ଖୁସ୍‌ ଥିଲେ। ତେବେ ୨୦୦୪ରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିଲେ ନବ ଦାସ । ଏଥିରେ ପରାଜିତ ହୋଇଥିଲେ । ପରେ ୨୦୦୯ରେ ପୁଣି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ପ୍ରଥମଥର ପାଇଁ ଝାରସୁଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ଥରେ ୨୦୧୪ରେ ବି କଂଗ୍ରେସ ଟିକେଟରୁ ଲଢ଼ି ଲଗାତର ଦ୍ବିତୀୟ ଥର ପାଇଁ ବି ବିଧାୟକ ହୋଇଥିଲେ । ଏହି ସମୟରେ କଂଗ୍ରେସର ଛାମୁଆ ନେତା ଭାବେ ନବ ନିଜକୁ ପ୍ରତିପାଦିତ କରିଥିଲେ । ଏମିତିକି ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବି ହୋଇଥିଲେ । ତେବେ କଂଗ୍ରେସ ଛାଡ଼ି ୨୦୧୯ ଜାନୁଆରିରେ ବିଜେଡି ଦଳରେ ଯୋଗ ଦେଇଥିଲେ ।  ବିଜେଡି ଟିକେଟରୁ ନିର୍ବଚାନ ଲଢ଼ି ନବକିଶୋର ଦାସ ବିଜୟୀ ହୋଇଥିଲେ । ...ଜଣେ ପ୍ରଭାବଶାଳୀ ନେତା ଭାବେ ଓଡ଼ିଶା ରାଜନୀତିରେ ସକ୍ରିୟ ରହିଥିଲେ ନବ ଦାସ । ଶାସକ ଦଳରେ ସାମିଲ ହେବା ପୂର୍ବରୁ ବିରୋଧୀ ଦଳରେ ରହି ସରକାରଙ୍କୁ ବି କଡ଼ା ସମାଲୋଚନା କରିବାକୁ ପଛାଉ ନଥିଲେ ନବ । ଏହାସହ ନିଜ ଅଞ୍ଚଳରେ ବି ଲୋକଙ୍କ ପାଖରେ ଖୁବ ଲୋକପ୍ରିୟ ବି ଥିଲେ ସେ । ତେବେ କଂଗ୍ରେସ ବିଧାୟକ ଥିବାବେଳେ ବିଧାନସଭାରେ ପର୍ଣ୍ଣ ଭିଡିଓ ଦେଖିବା ଅଭିଯୋଗରେ ବିବାଦୀୟ ହୋଇପଡ଼ିଥିଲେ । ପରେ ଏଥିରୁ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା।....

୧୯୬୨ ମସିହା ଜାନୁଆରୀ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ନବ କିଶୋର ଦାସ । ପରିବାରରେ ୫ ଭାଇ ଭଉଣୀ ମଧ୍ୟରେ ନବ ଦାସ ଥିଲେ ମଝିଆ । ୧୯୭୮ରେ ସମ୍ବଲପୁର ଭୋଜପୁର ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୯ରେ ଇଂରାଜିରେ ସ୍ନାତକୋତ୍ତର ସହ ୧୯୯୪ ମସିହାରେ ଆଇନରେ ସ୍ନାତକ କରିଥିଲେ ନବ କିଶୋର । ୮୦ ଦଶକରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ପଢୁଥିବା ବେଳେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଜଣେ ଟାଣୁଆ ଛାତ୍ର ନେତା ଭାବେ ନବ ଦାସଙ୍କର ରହିଥିଲା ଦବ୍‌ଦବା । ଏହାସହ ନବ ବି ଜଣେ ବଡ଼ ଶିଳ୍ପପତି ଏବଂ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏକ ବଡ଼ ଟ୍ରାନ୍ସପୋର୍ଟ ଏଜେନ୍ସି ସହ ହୋଟେଲ ବିଜିନେସ୍‌ରେ ବି ସଫଳ ଥିଲେ ନବ । ସେହିପରି ନବ ଦାସଙ୍କର ପତ୍ନୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଝିଅ ଦୀପାଳୀ ଧିରେ ଧିରେ ରାଜନୀତିରେ ସକ୍ରିୟ ହେଉଛନ୍ତି । ତେବେ ନିକଟରେ ଶନି ସିଙ୍ଗଣାପୁରମରେ ଶନି ପୂଜା କରି ଚର୍ଚ୍ଚାରେ ଥିଲେ ନବ । ଗ୍ରହ ଶାନ୍ତି ପାଇଁ ୧ କୋଟିର ସୁନା କଳସ ଦେଇଥିବା ନେଇ ଗଣମାଧ୍ୟମରେ ହୋଇଥିଲା ଚର୍ଚ୍ଚା । ତେବେ ପରେ ନବ ଦାସ କହିଥିଲେ କି କୋଟିଏ ଟଙ୍କା ନୁହେଁ ମାତ୍ର ୧୦ ଲକ୍ଷ ଟଙ୍କା ଦେଇଥିଲେ । ଏବେ ଏହି ନେତାଙ୍କ ଅକାଳ ବିୟୋଗରେ ଖାଲି ଝାରସୁଗୁଡ଼ା ନୁହେଁ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

ଏହି ଖବର ପଢ଼ନ୍ତୁ - http://ଟିମ୍ ଇଣ୍ଡିଆ ରଚିଲା ଇତିହାସ, ପ୍ରଥମ ଥର ପାଇଁ ଜିତିଲା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ
Published by:Soubhagya Mishra
First published: