ବଡ଼ଦାଣ୍ଡରେ ଦୀପ ଜାଳି ସରକାରଙ୍କୁ ସଦବୁଦ୍ଧି ପାଇଁ ଗୁହାରୀ କଲେ କିଡ୍ନି ରୋଗୀ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ରାଜ୍ୟର ହଜାର ହଜାର କିଡ୍ନି ରୋଗୀ ସେମାନଙ୍କ ପରିବାର ସମ୍ପର୍କୀୟଙ୍କଠାରୁ କିଡ୍ନି ପ୍ରତ୍ୟାରୋପଣ କରିଛନ୍ତି । ପ୍ରତ୍ୟାରୋପଣ ପରବର୍ତୀ ସ୍ୱାସ୍ଥ୍ୟବସ୍ଥା ଠିକ୍ ରଖିବା ଲାଗି ସରକାରଙ୍କ ପକ୍ଷରୁ ପୂର୍ବରୁ ମାଗଣା ଔଷଧ ଯୋଗାଇ ଦିଆଯାଉଥିଲା । ଉନ୍ନତମାନର ଔଷଧ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ସରକାର ଅନ୍ୟ ଏକ ଔଷଧ କମ୍ପାନି ସହ ଚୁକ୍ତିବଦ୍ଧ ହେବା ପରେ ଏହି ଔଷଧ ଖାଇ କିଡ୍ନି ରୋଗୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ରାଜ୍ୟର ଶହଶହ କିଡ୍ନି ରୋଗୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୨୩ ଜଣ କିଡ୍ନି ରୋଗୀ ମୃତ୍ୟୁବରଣ କରିସାରିଲେଣି । ତେଣୁ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦେବା ସ୍ଳୋଗାନ ଦେଇ କିଡ୍ନି ରୋଗୀମାନେ ବଡ଼ଦାଣ୍ଡରେ ଦୀପ ଜାଳି ସିଂହଦ୍ୱାରକୁ ଯାଇଥିଲେ ।
କିଡ୍ନି ରୋଗୀ ଜୟଶ୍ରୀ ବେହେରା କହିଛନ୍ତି, ମେଡିକାଲ୍କୁ ଯାଇ ପୂର୍ବ ଔଷଧ ଲେଖିଲେ ଡାକ୍ତର ମନା କରି ଦେଉଛନ୍ତି । ଘରୋଇ ଚିକିତ୍ସାଳୟକୁ ଯାଇ ସେ ମେଡିସିନ ଖାଅ ବୋଲି କହୁଛନ୍ତି । କିଡ୍ନି ରୋଗୀମାନେ ସମ୍ବଳ ଅଭାବ ଯୋଗୁଁ ସରକାରଙ୍କ ମାଗଣା ଔଷଧ ଉପରେ ନିର୍ଭରଶୀଳ ହୋଇଥିଲେ । ଚିକିତ୍ସକଙ୍କ ଏଭଳି ନକରାତ୍ମକ ଭାବନା ସେମାନଙ୍କୁ ଆଘାତ ଦେଉଛି ବୋଲି ସେ କହିଛନ୍ତି । ଏନେଇ କିଡ୍ନି ରୋଗୀମାନେ ୬୦ ଦିନ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ । ମନ୍ତ୍ରୀ, ସଚିବଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ । ନୂଆ ଔଷଧ ବଦଳରେ ପୁରୁଣା ଔଷଧ ଦେବା ପାଇଁ ଦାବି କରିଛନ୍ତି । ନବୀନ ସରକାରଙ୍କୁ ସଦବୁଦ୍ଧି ଦେବା ସହ କିଡ୍ନି ରୋଗୀଙ୍କ କଥାକୁ ଗୁରୁତର ସହ ନେଇ ବିଚାର କରିବାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।