News18 Odia Digital
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଖଦି ମେଳା। ଚଳିତ ବର୍ଷ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପକ୍ଷରୁ ୧୪ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀ ଖଦି ବୋର୍ଡ଼ର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ।
ମହାମାରୀ ସମୟରେ ଏହି ଖଦି ବୁଣାକାର ଓ କାରିଗରମାନେ ଅନେକ କ୍ଷତି ସହିଥିଲେ। ବୁଣାକାରମାନଙ୍କୁ ପୁନଃ ସ୍ରାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବଜାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଖଦି ବୁଣାକାର ତଥା ଗ୍ରାମ୍ୟଶିଳ୍ପ କାରିଗରମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୟ କରିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ନିମନ୍ତେ ଏକ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀ ଆୟୋଜନର ମୂଳ ଲକ୍ଷ୍ୟ।
"ପ୍ରତିବର୍ଷ ଏହି ମେଳାର ଆୟୋଜନ ହେଉଥିବାବେଳେ ୨୦୨୦ରେ ମହାମାରୀ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଏହି ମେଳା।ଏବର୍ଷ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହେବ ମେଳା। ଖଦି ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଆମ ରାଜ୍ୟର ବୁଣାକାରଙ୍କୁ ରୋଜଗାର ଯୋଗାଇ ଦେବା ଓ ଖଦି ପୋଷାକକୁ ପ୍ରୋତ୍ସାହନ ଦେବା ପାଇଁ ଏହି ମେଳାର ଆୟୋଜନ ହେଉଛି। ରାଜଧାନିବାସୀ ଆସନ୍ତୁ ଖଦି ଜିନିଷ ଉପଭୋଗ କରନ୍ତୁ," କହିଛନ୍ତି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୦ ଗୋଟି ସାହାଯ୍ୟପ୍ରାପ୍ତି ଖଦି ଓ ଗ୍ରାମୋଦ୍ୟୋଗ ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବେ । ବିଭିନ୍ନ ଜିଲ୍ଲାରୁ କୁଶଳୀ କାରିଗର ଓ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ତଥା ବିକ୍ରୟ କରିବେ। ଏହି ପ୍ରଦର୍ଶନୀ ପ୍ରତ୍ୟେହ ଅପରାହ୍ନ ୩ ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତ୍ୟେହ ସଂଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରୁଚିପୂର୍ଣ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ରହିଛି ।