News18 Odia Digital
ଭୁବନେଶ୍ୱର : କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଅବଧିକୁ ଆଉ ତିନି ବର୍ଷ ପାଇଁ ବଢ଼ାଇ ଦିଆଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରବିବାର ଦିନ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ଆଧାରରେ ଅକ୍ଷୟ ତୃତୀୟା ଓ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ।
ରବିବାର ପୂର୍ବାହ୍ନରେ କ୍ୟାବିନେଟ ବୈଠକ ବସିଥିବା ବେଳେ ଏଥିରେ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏନେଇ ସବିଶେଷ ସୂଚନା ଦିଆଯାଇ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ସହାୟତା ମିଳିବ।
ସେହିପରି କୋଭିଡ଼ରେ ଅନାଥ ହୋଇଥିବା ପିଲାଙ୍କ ଲାଗି ଆଶୀର୍ବାଦ ଯୋଜନା ଲାଗୁ ହୋଇଥିବା ବେଳେ ଏବେ ସେମାନଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।
ଐତିହ୍ୟ ସହର ପୁରୀରେ ‘ଅବଢ଼ା’ ଯୋଜନାରେ ବେଳାଭୂମି ରାସ୍ତାର ଉନ୍ନତୀକରଣ ଓ ସମ୍ପ୍ରସାରଣ ସହ ଆଚାର୍ଯ୍ୟ ହରିହର ଛକର ପୁନଃଉନ୍ନତୀକରଣ, ଦିଗବାରେଣୀ ଛକରେ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା, ଯାତ୍ରିକା ଓ ସିପସରୁବାଲି ନିକଟରେ ପାର୍କିଂ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।
ଭବାନୀପାଟଣାସ୍ଥିତ ନୂଆ ସରକାରୀ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣ କରାଯିବ। ଏଥିରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମସ୍ଥଳୀ, ଆହାର କେନ୍ଦ୍ର, ଶବାଗାର, ଇଏସ୍ଏସ୍, ରାସ୍ତା, ପାଚେରୀ, ଡ୍ରେନ୍, ସୌନ୍ଦର୍ଯ୍ୟୀକରଣ କରାଯିବ। ଏସମ୍ପର୍କିତ ଟେଣ୍ଡରକୁ ବି ଅନୁମୋଦନ କରାଯାଇଛି। ଉପରୋକ୍ତ ତିନିଟି ପ୍ରକଳ୍ପ ପୂର୍ତ୍ତ ବିଭାଗ କରିବ।
ସେହିପରି ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ପଲିସି-୨୦୨୨ ଉପରେ କ୍ୟାବିନେଟ୍ ମୋହର ବାଜିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୫୫ କୋଟିର ଅନୁଦାନ ସଂକ୍ରାନ୍ତ ପ୍ରସ୍ତାବ, ଅଧ୍ୟାପକ ପ୍ରମୋସନ ନେଇ ରୁଲ୍ସରେ ସଂଶୋଧନ, ଓଡ଼ିଶା ଏମ୍ଏସ୍ଏମ୍ଇ ଉନ୍ନତୀକରଣ ନୀତି-୨୦୧୬ରେ ସଂଶୋଧନ, କୃଷି ପରିସଂଖ୍ୟାନ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଅଧିନିୟମରେ ସଂଶୋଧନ ସମେତ ବିଭିନ୍ନ ବିଭାଗର ପୂର୍ବରୁ ଥିବା ଭିନ୍ନ ଭିନ୍ନ ନିୟମଡ଼ିକ ସଂଶୋଧନ କରିବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।