ବିପଦରେ କଲରାପତିଆ ବାଘ; ଧ୍ଯାନ ଦେଉ ନାହିଁ ବନ ବିଭାଗ; ଚିନ୍ତାରେ ବିଶେଷଜ୍ଞ

ଅନୁଗୁଳ ଜିଲ୍ଲାରେ କଲରାପତରିଆ ବାଘ ବିପଦରେ। ବିଗତ ୫ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୭ଟି କଲରାପତାରିଆ ବାଘ ବିଭିନ୍ନ କାରଣରୁ ମରିଥିବା ବନ ବିଭାଗ ରେକର୍ଡ଼ରୁ ଜଣା ପଡୁଛି।

ବିପଦରେ ଅଛନ୍ତି କଲରାପତିଆ ବାଘ (ପ୍ରତୀକାତ୍ମକ ଛବି)

ବିପଦରେ ଅଛନ୍ତି କଲରାପତିଆ ବାଘ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କଲରାପତରିଆ ବାଘ ବିପଦରେ। ବିଭିନ୍ନ ଜଙ୍ଗଲରେ ଶିକାରୀ ଫାସରେ ପଡି ଏହି ପ୍ରଜାତିର ବାଘ ମୃତାହତ ହେଉଛନ୍ତି। ବିଗତ ୫ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୭ଟି କଲରାପତାରିଆ ବାଘ ବିଭିନ୍ନ କାରଣରୁ ମରିଥିବା ବନ ବିଭାଗ ରେକର୍ଡ଼ରୁ ଜଣା ପଡୁଛି। ସେମାନଙ୍କ ସୁରକ୍ଷା ଅଭାବରୁ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବେଶ ଓ ବନ୍ୟଜନ୍ତୁପ୍ରେମୀ।

ବିଲୁପ୍ତ ହେବାକୁ ଥିବା ପ୍ରାଣୀମାନଙ୍କ ମଧ୍ୟରେ କଲରାପତରିଆ ବାଘ ଅନ୍ୟତମ। ଏହି ପ୍ରଜାତିର ବାଘକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ଅନୁଗୁଳ ଜିଲ୍ଲାରେ ଅନୁଗୁଳ ବନ ଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନ ଖଣ୍ଡ ଏବଂ ଦେବଗଡ଼ ବନଖଣ୍ଡର ଖମାର ବନାଞ୍ଚଳ ରହିଛି। ତେବେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଓ ଆଠମଲ୍ଲିକ ବନଖଣ୍ଡରେ କଲରାପତରିଆ ବାଘ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି। ଅନ୍ୟ ଜଙ୍ଗଲଗୁଡିକରେ ମଧ୍ୟ ଅଳ୍ପ ସଂଖ୍ୟାରେ ଦେଖିବାକୁ ମିଳନ୍ତି। କିନ୍ତୁ ଯେଉଁ ଭଳି ଭାବେ ସେମାନଙ୍କୁ ସୁରକ୍ଷା ଦିଆଯିବା କଥା ସେଭଳି ଦିଆ ଯାଉ ନାହିଁ। ଫଳରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। ବିଭାଗୀୟ ରେକର୍ଡ ଅନୁସାରେ ବିଗତ ୫ବର୍ଷ ମଧ୍ୟରେ କେବଳ ଆଠମଲ୍ଲିକ ବନଖଣ୍ଡରେ ୪ଟି କଲରାପତରିଆ ବାଘ ମରିଛନ୍ତି। ସେହିପରି ଖମାର ବନାଞ୍ଚଳରେ ଗୋଟିଏ ଏବଂ ଛେଣ୍ଡିପଦା ବନାଞ୍ଚଳରେ ଗୋଟିଏ ଏହିପରି ଦୁଇଟି ବାଘ ମରିଛନ୍ତି। ଗତ ଦୁଇ ବର୍ଷ ପୂର୍ବେ ଦୁର୍ଗାପୁର ବନାଞ୍ଚଳରେ ଏକ କଲରାପତରିଆ ବାଘ ଶିକାରୀ ଫାଶରେ ପଡି ଦୀର୍ଘ ସମୟ ରହିବା ପରେ ଫାଶ ସହ ଜଙ୍ଗଲ ଭିତରକୁ ପଳାଇ ଥିଲା। ତେଣୁ ସେ ଜୀବିତ କି ମୃତ ଏ ପର୍ଯ୍ୟନ୍ତ ବନ ବିଭାଗ ପାଖରେ ଖବର ନାହିଁ। ତେଣୁ କଲରାପତରିଆ ବାଘ ସୁରକ୍ଷା ପାଇଁ ବନ ବିଭାଗ ସେଭଳି କୌଣସି କଡା ପଦକ୍ଷେପ ଗ୍ରହଣ କରୁ ନାହିଁ। ଜଙ୍ଗଲ ଭିତରେ ଶିକାରୀ ନିର୍ଭୟରେ ବିଚରଣ କରୁଛନ୍ତି। ଜନ୍ତୁ ଶିକାର ପାଇଁ ଫାଶ ପକାଉଛନ୍ତି। ଫଳରେ କଲରାପତରିଆ ଭଳି ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ସୁରକ୍ଷିତ ରହି ପାରୁ ନାହାନ୍ତି।

ପ୍ରତ୍ୟେକ ୪ବର୍ଷରେ ଥରେ ବ୍ୟାଘ୍ର ଗଣନା କରାଯାଏ। ସେହି ହିସାବରେ ଗତ ୨୦୧୬ ଗଣନା ଅନୁସାରେ ସତକୋଶିଆରେ ୧୮, ଆଠମଲ୍ଲିକରେ ୧୪, ମହାନଦୀ ଡିଭିଜନରେ ୧୭ଟି କଲରାପତାରିଆ ବାଘ ଅଛନ୍ତି। ଅନୁଗୁଳ ବନଖଣ୍ଡରେ ଗତ ୨୦୦୪ରେ ୪ଟି କଲରାପତରିଆ  ଥିବା ଗଣନାରୁ ଜଣା ପଡିଥିଲା। ତାପରେ ଆଉ ଗଣନା ହୋଇ ନାହିଁ। ବିଭିନ୍ନ ଜଙ୍ଗଲରେ ମହାବଳ ବାଘ ଗଣନା ଯେତିକି ଗୁରୁତ୍ୱର ସହ କରାଯାଏ କଲରାପତାରିଆ ବାଘ ଗଣନା ସେତିକି ଗୁରୁତ୍ୱର ସହ କରାଯାଏ ନାହିଁ। ଫଳରେ ସେମାନଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଜଣା ପଡେ ନାହିଁ। ଜିଲ୍ଲାରେ କେବକ ସତକୋଶିଆରେ ଏକ ମାତ୍ର ମହାବଳ ବାଘ ଅଛି। ତେଣୁ ସେହି ଗୋଟିଏ ମହାବଳ ବାଘ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ସମାନ ପ୍ରଜାତିର କଲରାପତରିଆ ବାଘ ସୁରକ୍ଷା ପାଇଁ ଚିନ୍ତା ନକରିବା ନିଶ୍ଚିତଭାବେ ଚିନ୍ତାର କାରଣ।

ପ୍ରାୟ ୧୫ଦିନ ପୂର୍ବେ ଆଠମଲ୍ଲିକ ବନଖଣ୍ଡରେ ଏକ କଲରାପତରିଆ ବାଘ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିଲା। ଶିକାରୀ ମାନେ ନିଶ ଓ ନଖ କାଟି ନେଇ ଯାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଲରାପତାରିଆ ବାଘ ସୁରକ୍ଷା ପାଇଁ ବନ ବିଭାଗ କେତେ ତତ୍ପର।

“ଆମ ରାଜ୍ୟରେ ବନ ବିଭାଗ କେବଳ ମହାବଳ ବାଘ ସୁରକ୍ଷା କଥା ଚିନ୍ତା କରୁଛି। କିନ୍ତୁ ମହାବଳ ବାଘ ସଂଖ୍ୟା ବହୁତ କମ। ଅପରପକ୍ଷରେ କଲରାପତରିଆ ବାଘ ସଂଖ୍ୟା ସନ୍ତୋଷଜନକ ଥିଲେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦେଇ ସେମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି କରିବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ," କହିଛନ୍ତି ପରିବେଶବିତ ପ୍ରସନ ବେହେରା।

“ଅନୁଗୁଳ ଜିଲ୍ଲାରେ କଲରାପତରିଆ ଭଳି ଦୁର୍ଲଭ ଜନ୍ତୁ ବିପଦରେ ରହିବା ନିଶ୍ଚିତ ଭାବେ ଏକ ଖରାପ କଥା। ସେମାନଙ୍କ ସୁରକ୍ଷା ନିହାତି ଆବଶ୍ୟକ। ତେବେ ସେମାନଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ପ୍ରସ୍ତାବ ଦେବେ। ବନ ବିଭାଗ ଉଚ୍ଚ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ," କହିଛନ୍ତି ଆଠମଲ୍ଲିକ ବିଧାୟକ ତଥା ବନ୍ୟଜନ୍ତୁ ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ସାଏ।
Published by:Soumya Das
First published: