News18 Odia Digital
ପୁରୀ: ଏଏସଆଇ ଅଧିକ୍ଷକ କମିଟି ସଦସ୍ଯ ଥିବା ବେଳେ ରତ୍ନଭଣ୍ଡାର ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ ନକରି ଏଭଳି ଚିଠି ଦେବା ପ୍ରସଙ୍ଗ ଏଏସଆଇର ମନ୍ଦ ଉଦ୍ଦେଶ୍ୟ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ଯ। ସେପଟେ ଏଏସଆଇ ଅଧିକ୍ଷକ ଅଶିରୁ ଅଧିକ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ବେଳେ ପୁରୀ ମନ୍ଦିର ପ୍ରତି ଯଥେଷ୍ଟ ସମୟ ଦେଇପାରୁନଥିବା ବୈଠକରେ ସ୍ୱକାର କରିଛନ୍ତି ଏଏସଆଇ ଅଧିକ୍ଷକ।
"ଶ୍ରୀମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣରେ ଅବହେଳା କରୁଛି ଏଏସଆଇ। ଆଉ ଏହାକୁ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଏସଆଇର କାର୍ଯ୍ଯଧାରା ପ୍ରତି ଅସନ୍ତୋଷ ବ୍ୟକ୍ତ କଲେ ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଓ ପରିଚାଳନା କମିଟି ସଦସ୍ଯ। ଶ୍ରୀମନ୍ଦିର ପ୍ରତି ଏଏସଆଇ କରୁଛି ଅବହେଳା। ଗର୍ଭଗୃହ ହେଉ ଅବା ଜଗମୋହନ ଓ ନାଟମଣ୍ଡପ। ସଠିକ୍ ଭାବେ ମରାମତି କରୁନାହିଁ ଏଏସଆଇ। ସେପଟେ ଏଏସଆଇ ଅଧିକ୍ଷକ ଅଶିରୁ ଅଧିକ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ବେଳେ ପୁରୀ ମନ୍ଦିର ପ୍ରତି ଯଥେଷ୍ଟ ସମୟ ଦେଇପାରୁନାହିଁ," ବୈଠକରେ ସ୍ୱକାର କରିଛନ୍ତି ଏଏସଆଇ ଅଧିକ୍ଷକ।
ସୂଚନା ଅନୁଯାୟୀ ବୈଠକ ଆରମ୍ଭରୁ ଏଏସଆଇ ଉପରେ ବର୍ଷିଲେ ସୁଦର୍ଶନ ପଟନାୟକ। ଏଏସଆଇ ଅଧିକ୍ଷକ ପରିଚାଳନା କମିଟିର ସଦସ୍ଯ ରହିଥିବା ବେଳେ କାହିଁକି ଗୃହରେ ଏହି ପ୍ରସଙ୍ଗକୁ ଉପସ୍ଥାପନ ନକରି ଔପଚାରିକ ଭାବେ ଚିଠି ଦେଇ ଚୁପ ବସିଯାଉଛନ୍ତି। ରତ୍ନଭଣ୍ଡାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଏସଆଇର ଏଭଳି କାର୍ଯ୍ଯକାରିତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁଦର୍ଶନ।
"ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନେଇ ନିଆଗଲା ପଦକ୍ଷେପ। ପରିଚାଳନା କମିଟିର ନିସ୍ପତି କ୍ରମେ ଓରସେକ(ORSEC)କୁ ଦିଆଯିବ ପ୍ରୋଜେକ୍ଟ। ସେମାନେ କିଭଳି ପ୍ରୋଜେକ୍ଟ କରିବେ ତାର ଏକ ପ୍ରସ୍ତାବ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦେବେ। ତାପରେ ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଯେଉଁଥିରେ ମହାପ୍ରଭୁଙ୍କ ମାଲିକାନା ଅଧିନରେ ଥିବା ଜମି ଗୁଡିକର ଡିଜିଟାଇଜେସନ ଓ କେଉଁ କେଉଁ ଯାଗାରେ କିଭଳି ସ୍ଥିତିରେ ଜମି ଗୁଡିକ ରହିଛି ତାହାର ଏକ ଡାଟାବେସ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
ସେପଟେ ବିର୍ଲା ଫାଉଣ୍ଡେସନ ପକ୍ଷରୁ ହେବାକୁ ଥିବା ଆଦର୍ଶ ଗୁରୁକୂଳ ପାଇଁ ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ କରାଯାଇ ଜମି ହସ୍ତାନ୍ତର କରାଯିବ। ଆଗାମୀ ପରିଚାଳନା କମିଟି ବୈଠକକୁ ବିର୍ଲାକୁ ଡକାଯାଇ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ଯ ପ୍ରଶାସକ ବୀର ବିକ୍ରମ ଯାଦବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।