News18 Odia Digital
କଟକ: ୠଷୀୟ ପର୍ଯ୍ୟଟକ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି । ୫ ଦିନ ଧରି ଜାରି ରହିଥିବା ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଜଣା ପଡ଼ିଛି । ଏହାରି ଭିତରେ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ଜାରି ରହିଥିବା ସସପେନ୍ସକୁ ଦୁର କରିବା ପାଇଁ ସେମାନଙ୍କ ସହଯାତ୍ରୀ ତଥା ଋଷିୟ ଦମ୍ପତି ପାନ ସେଙ୍କୋ ଓ ଟୁରଭୋ ଓ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ ନିଜ ହେଫାଜତକୁ ନେଇ ପାଞ୍ଚ ଦିନ ଧରି ଜେରା ମଧ୍ୟ ଜାରି ରଖିଛି କ୍ରାଇମବ୍ରାଞ୍ଚ।
ତେବେ ଏହି ପର୍ଯ୍ୟଟକ ମୃତ୍ୟୁ ମାମଲାରେ ରାୟଗଡ଼ା ଯାଇଥିବା କ୍ରାଇମବ୍ରାଞ୍ଚର ଦୁଇଟି ଯାକ ଟିମ ଯେଉଁ ସବୁ ପ୍ରମାଣ ସଂଗ୍ରହ କରିବା କଥା ସେଗୁଡ଼ିକୁ କ୍ରାଇମବ୍ରାଞ୍ଚ ସଂଗ୍ରହ କରି ସାରିଛି । ବିଶେଷ କରି ସାକ୍ଷୀମାନଙ୍କୁ ପଚରା ଉଚରା କାର୍ଯ୍ୟ ଶେଷ ହୋଇଥିବା ବେଳେ ପୋଷ୍ଟମର୍ଟମ କରିଥିବା ଡାକ୍ତର, ମାମଲାର ପ୍ରାଥମିକ ତଦନ୍ତ କରିଥିବା ରାୟଗଡ଼ା ପୋଲିସର କର୍ମଚାରୀଙ୍କ ସହ ଆଲୋଚନା କରିଛି ଟିମ । ଏହା ସହିତ ହୋଟେଲ ରୁମରୁ ମୃତକଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଓ ଶ୍ମଶାନ ଉଭୟ ମୃତକଙ୍କ ଚିତା ଭସ୍ମକୁ ମଧ୍ୟ ସଂଗ୍ରହ କରିଛି ।
ଏବେ ସଂଗୃହୀତ ହୋଇଥିବା ସେହି ପ୍ରମାଣ ଗୁଡ଼ିକୁ ସାଥିରେ ଧରି କ୍ରାଇମବ୍ରାଞ୍ଚ ଟିମ କଟକ ଫେରିବାର କାର୍ଯ୍ୟକ୍ରମ ରହିଛି । କଟକରେ ଟିମ ପହଞ୍ଚିବା ପରେ ଜବତ ହୋଇଥିବା ପ୍ରମାଣ ଓ ନମୁନା ଇତ୍ୟାଦିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ଓ ତାର ରିପୋର୍ଟକୁ ଅପେକ୍ଷା କରାଯିବ ବୋଲି ରାଜ୍ୟ ଅପରାଧ ଶାଖା ପକ୍ଷରୁ କୁହାଯାଇଛି।
ସେପଟେ ୠଷୀୟ ଦମ୍ପତି ପାନ ସେଙ୍କୋ ଓ ଟୁରଭୋଙ୍କୁ ୫ ଦିନ ଧରି ଜେରା କରି ସାରିଥିବା କ୍ରାଇମବ୍ରାଞ୍ଚ ଏବେ ସେମାନଙ୍କୁ ଆଉ ଜେରା କରାଯିବାର ଆବଶ୍ୟକତା ଅନୁଭବ କରୁନାହିଁ । ଫଳ ସ୍ବରୂପ ସେମାନଙ୍କୁ ଆଉ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯିବାର ଆବଶ୍ୟକତା ନଥିବା ଅନୁଭବ କରୁଛି ତଦନ୍ତକାରୀ ସଂସ୍ଥା । କିନ୍ତୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସେହି ଦମ୍ପତିଙ୍କୁ ଓଡ଼ିଶା ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ । ତେବେ ଉଭୟ ଦମ୍ପତି କ୍ରାଇମବ୍ରାଞ୍ଚର ହେପାଜତରେ ରହିବେ ଓ ସେମାନେ ଦେଶର ଅତିଥି ହୋଇଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ ଋଷିୟ ଦମ୍ପତିଙ୍କ ରହଣୀର ସମସ୍ତ ସୁବନ୍ଦୋବସ୍ତ କରାଯିବ ବୋଲି ଜଣା ପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।