News18 Odia Digital
କଟକ: ଋଷୀୟ ପର୍ଯ୍ୟଟକ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ମାମଲାରେ ଏବେ ଆସଛି ଏକ ନୂଆ ମୋଡ। ଏହି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ କରି ପରଦା ଉଠିବାରେ ଲାଗିଛି। ଏପର୍ଯ୍ୟନ୍ତ ସଂଗୃହିତ ତଥ୍ୟ, ପ୍ରମାଣ ଓ ସାକ୍ଷୀଙ୍କ ବାୟନରୁ ଉଭୟଙ୍କ ମୃତ୍ୟୁ ପଛରେ ବିଦେଶୀ ଶକ୍ତି କିମ୍ବା କୌଣସି ଏକ ଷଡ଼ଯନ୍ତ୍ର ନଥିବା କଥା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଉଭୟଙ୍କ ମୃତ୍ୟୁ ଅପମୃତ୍ୟୁ ତାରିକା ଭୁକ୍ତ ଓ ଏହି ମୃତ୍ୟୁ ସହିତ କୌଣସି ଅପରାଧିକ ଦିଗ ଜଡିତ ହୋଇ ନାହିଁ । ତଥାପି ଅଧିକ ଅନୁସନ୍ଧାନ ପାଇଁ ଉଭୟ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ଚିତା ଭସ୍ମରୁ ସଂଗୃହିତ ହୋଇଥିବା ହାଡ ଓ ଚୁଟିକୁ ପରୀକ୍ଷା ପାଇଁ ରାଜ୍ୟର ବାହାରର କୌଣସି ଏକ କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଯିବ ବିଶେଷ କରି ଭ୍ଲାଦମିର ବିଦାନୋଭ ଭିସରା ଗଚ୍ଛିତ ଥିବାରୁ ତାହାକୁ ଜାଞ୍ଚ ପାଇଁ ଦିଲ୍ଲୀ ଏମ୍ସକୁ ପଠାଯିବ ବୋଲି ଜଣା ପଡ଼ିଛି । ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କୁ କୌଣସି ବିଷାକ୍ତ ପଦାର୍ଥ ଦିଆଯାଇଥିଲା କି ନାହିଁ ତାହାର ଜାଞ୍ଚ ପାଇଁ ଏହି ସମସ୍ତ ପରୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଆସନ୍ତୁ ଜାଣିବା ଉଭୟଙ୍କ ମୃତ୍ୟୁକୁ ନେଇ କଣ କହୁଛି କ୍ରାଇମବ୍ରାଞ୍ଚର ଥିଓରୀ । ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭ ପରସ୍ପରର ଅନ୍ତରଙ୍ଗ ବନ୍ଧୁ ଥିଲେ । ଅତ୍ୟଧିକ ମଦ୍ୟପାନ ଯୋଗୁଁ ହୃଦଘାତ ଯୋଗୁଁ ଭ୍ଲାଦମିର ବିଦାନୋଭଙ୍କ ମୃତ୍ୟୁ ଓ ବନ୍ଧଙ୍କୁ ହରାଇବା ଶୋକରେ ପାବେଲ ଆଣ୍ଟୋଭ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ଆପାତତା କୁହାଯାଇ ପାରେ ବୋଲି ମଧ୍ୟ କହିଛି କ୍ରାଇମବ୍ରାଞ୍ଚ । ଭ୍ଲାଦମିର ବିଦାନୋଭଙ୍କ ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖ ସଂନ୍ଧ୍ୟା ବେଳେ ପାବେଲ ଆଣ୍ଟୋଭ ହଠାତ ହୋଟେଲର ଛାତ ଉପରୁ ଯିବାକୁ ଲାଗିଥିଲେ। ଏହା ଦେଖି ହୋଟେଲର ଜଣେ କର୍ମଚାରୀ ତାଙ୍କ ବାରଣ କରିବାରୁ ପାଭେଲ ସମ୍ପୃକ୍ତ କର୍ମକାରୀଙ୍କୁ ମାଡ଼ ମାରିବା ଦୃବ୍ୟବହାର ପ୍ରଦର୍ଶନ କରି ଛାତ ଉପରୁ ଚାଲିଯାଇଥିଲେ। ଏନେଇ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ହୋଟେଲର ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିବା ପରେ ଉଭୟ ଛାତ ଉପରକୁ ଯାଇଥିବା ସମୟରେ ପାବେଲଙ୍କୁ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।
ଏହାର ଭିତରେ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ସହ ରାୟଗଡ଼ା ଆସିଥିବା ଏହି ଋଷୀୟ ଦମ୍ପତିଙ୍କୁ ଏକ ପ୍ରକାର କ୍ଲିନ୍ ଚିଟ ଦେଇଛି ତଦନ୍ତକାରୀ ସଂସ୍ଥା । ଉଭୟଙ୍କୁ ଲଗାତାର ୫ ଦିନ ଧରି ଜେରା କରିବା ସହ ଦୁଇ ସହଯାତ୍ରୀଙ୍କ ମୃତ୍ୟୁ ପଛରେ ଏହି ପତିପତ୍ନୀ ପାନ ସେଙ୍କୋ ଓ ଟୁରଭୋଙ୍କ କୌଣସି ଭୂମିକା ନଥିବା ତଦନ୍ତରୁ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ଫଳସ୍ବରୂପ ଉଭୟଙ୍କ ବୟାନ ରେକର୍ଡ କରିବା ସହିତ ସେହି ସମୟର ଭିଡ଼ିଓ ଗ୍ରାଫି କରି ସେମାନଙ୍କୁ ନିଜ ହେଫାଜତରୁ ମୁକ୍ତ କରିଛି ତଦନ୍ତକାରୀ ଟିମ । ଏବେ ପାନ ସେଙ୍କୋ ଓ ଟୁରଭୋ ଓଡ଼ିଶା ଭିତରେ ଥିବା ଓ ପ୍ରତିଦିନ ନିଜର ଲୋକେସନର ତଥ୍ୟକୁ କ୍ରାଇମବ୍ରାଞ୍ଚ ସହ ସେୟାର କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଉଭୟ ପତିପତ୍ନୀଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟିଥିଲେ ମଧ୍ୟ ସେମାନଙ୍କ ରିଟର୍ଣ୍ଣ ଟିକେଟ ଆସନ୍ତା ୬ ତାରିଖ ପାଇଁ ବୁକ ଥିବାରୁ ଭାରତ ଛାଡ଼ିବା ପୂର୍ବ ଦିନ ଉଭୟ କ୍ରାଇମବାଞ୍ଚ ସହିତ ଯୋଗାଯୋଗ କରିବେ ଓ କ୍ରାଇମବ୍ରାଞ୍ଚର ଅନୁମତି ମଳିବା ପରେ ଯାଇ ଉଭୟ ଦେଶ ଛାଡ଼ି ପାରିବେ ବୋଲି ସର୍ତ୍ତ ରଖାଯାଇଛି ।
ସେପଟେ ଦୁଇ ମୃତଙ୍କ ବାବଦରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ସେହି ସୂଚନା ମୁତାବକ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭ ପରସ୍ପର ଘନିଷ୍ଟ ବନ୍ଧୁ ଥିଲେ। ଉଭୟଙ୍କ ବନ୍ଧୁତା ୪୦ ବର୍ଷ ପୁରୁଣା ବୋଲି ତଦନ୍ତରୁ ଜଣା ପଡ଼ିଛି । ଏପରିକି ମୃତକଙ୍କ ପରିବାର ଲୋକେ ଭିଡ଼ିଓ କନଫରେସନିଂ ଜରିଆରେ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଏହାର ପୃଷ୍ଟି ମଧ୍ୟ କରିଛନ୍ତି । ଏହା ବ୍ୟତୀତ ଭ୍ଲାଦମିର ବିଦାନୋଭ ପୁଅ ଓ ପାବେଲ ଆଣ୍ଟୋଭ ଝିଅ ନିଜ ନିଜ ବାପାଙ୍କ ମୃତ ଦେହର ଅନ୍ତିମ ସଂସ୍କାର କରି ସେମାନଙ୍କ ଚିତାଭସ୍ମକୁ ଋଷ ପଠାଇବା ପାଇଁ ସ୍ବୀକୃତି ଦେଇଥିବା କଥା ମଧ୍ୟ କ୍ରାଇମବ୍ରାଞ୍ଚକୁ କହିଥିଲେ ।
ଓଡ଼ିଶା ଭ୍ରମଣରେ ଆସିଥିବା ଚାରି ଜଣ ଋଷିୟ ପର୍ଯ୍ୟଟକ ପୂର୍ବରୁ ଏକାଧିକ ଥର ସାଙ୍ଗ ହୋଇ ବିଭିନ୍ନ ଦେଶ ଭ୍ରମଣ କରିଛନ୍ତି । ଭ୍ଲାଦମିର ପେସାରେ ଜଣେ ଡାକ୍ତର ହୋଇଥିବା ବେଳେ ପାବେଲ ଜଣେ ମାସଂ ବ୍ୟବସାୟୀ ତଥା ସ୍ଥାନୀୟ ବିଧାୟକ ଥିଲେ । ସେହି ପରି ପାନ ସେଙ୍କୋ ଋଷର ଏକ ଟାୟାର ନିର୍ମାଣକାରୀ କମ୍ପାନୀରେ କାମ କରୁଥିବା ବେଳେ ଓ ଟୁରଭୋଙ୍କ ପେସାରେ ଜଣେ ଆଡ଼ଭୋଟ ଅଟନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।