News18 Odia Digital
କଟକ: ଆନ୍ଦୋଳନତର ସମ୍ବଲପୁର ବାର ଆସୋସିଏସନର ପୁଣି ୧୪ ଜଣ ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ବାର କାଉନସିଲ । ସୋମବାର ଦିନ ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ରଦ୍ଦ କରିଥିବା ବି.ସି.ଆଇ ମଙ୍ଗଳବାର ଦିନ ଦ୍ବିତୀୟ ପର୍ଯ୍ୟାୟରେ ଏହି ୧୪ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ରଦ୍ଦ କରିଛି ।
ବିଶେଷ କରି ସମ୍ବଲପୁର କୋର୍ଟ ପରିସରରେ ଗତ ସୋମବାର ଦିନ ଘଟିଥିବା ବିଶୃଙ୍ଖଳା ଓ ଭଙ୍ଗାରୁଜା ଘଟଣାକୁ ନେଇ ଭାରତୀୟ ବାର କାଉଁସିଲ ଏହି ଦୁତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୋମବାର ଦିନର ଘଟଣାକୁ ନେଇ ଓଡ଼ିଶା ବାର କାଉଁସିଲ ପକ୍ଷରୁ ଭାରତୀୟ ବାର କାଉଁସିଲକୁ ଅବଗତ କରାଯାଇଥିଲା । ସୋମବାର ଦିନ ଘଟିଥିବା ବିଶୃଙ୍ଖଳାକୁ ନେଇ ସମ୍ବଲପୁର ଟାଉନ ଥାନାରେ ଦୁଇଟି ଏତାଲା ହୋଇଥିବା କଥା ମଧ୍ୟ ଓଡ଼ିଶା ବାର କାଉନସିଲ ପକ୍ଷରୁ ଭାରତୀୟ ବାର କାଉନସିଲକୁ ଅବଗତ କରାଯାଇଥିଲା ।
ରୁଜୁ ହୋଇଥିବା ଏତାଲା ଅନୁଯାୟୀ ଲାଇସେନ୍ସ ସସପେଣ୍ଡ ହୋଇଥିବା ଓକିଲମାନେ ପୋଲିସ, ଜୁଡିସିଆଲ୍ ଅଫିସର ଏବଂ ଜିଲ୍ଲା ପ୍ରଶାସନ ବିରୋଧରେ ସମ୍ବଲପୁର ଜିଲ୍ଲା କୋର୍ଟର ମୁଖ୍ୟ ଫାଟକ ନିକଟରେ ତଥା ଆଖପାଖରେ ସ୍ଲୋଗାନ ଦେଇଥିଲେ । ଏହା ସହ ଜିଲ୍ଲା ଜଜ୍ ଏବଂ ଅନ୍ୟ ବିଚାରବିଭାଗୀୟ ଅଧିକାରୀ ତୁରନ୍ତ ଏହି ସ୍ଥାନ ଖାଲି କରି ଚାଲି ଯଆନ୍ତୁ, ଅନ୍ୟଥା ସେମାନେ ଏହାର ପରିଣାମର ସମ୍ମୁଖିନ ହେବେ ବୋଲି ମଧ୍ୟ ଉଲ୍ଲେଖ ଥିବା ବିସିଆଇ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ।
କୋର୍ଟ ଓ ଏହାର ଆଖପଖ ଅଞ୍ଚଳରେ 144 ଧାରା ଲଗାଯାଇଥିଲା ମଧ୍ୟ ଆନ୍ଦୋଳନରତ ଓକିଲମାନେ ପୋଲିସର ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରରେ ଜବରଦସ୍ତ ପ୍ରବେଶ କରିଥିଲେ ଏବଂ କୋର୍ଟ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ଏପରି କରି ସେମାନେ ସର୍ବୋଚ୍ଚ ଅଦାଲତଙ୍କ ଆଦେଶକୁ ଉଲ୍ଲଂଘନ କରିଛନ୍ତି ବୋଲି ମଧ୍ୟ ପ୍ରେସ ବିବୃତିରେ ଉଲ୍ଲେଖ କରିଛି ବିସିଆଇ ।
ସେପଟେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ପରବର୍ତ୍ତି ଶୁଣାଣି ବୁଧବାରକୁ ଧାର୍ଯ୍ୟ କରାଯାଇଛି । ଓକିଲଙ୍କ ହିଂସକ ଆନ୍ଦୋଳନକୁ ନେଇ ଓଡ଼ିଶା ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଏହା ଜଣାଇବା ପାଇଁ ଓଡ଼ିଶା ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିସି ମାଧ୍ୟମରେ ହାଜର ହୋଇ ଜଣାଇବା ପାଇଁ ନିଜ ପୂର୍ବ ନିର୍ଦ୍ଦେଶରେ କହିଥିଲେ ସୁପ୍ରିମ କୋର୍ଟ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।